ହକି ମହାସମର: ପ୍ରଥମ ଦିନରେ ଖେଳାଯିବ ୪ଟି ମ୍ୟାଚ୍, ରାଉରକେଲାରେ ଭାରତ-ସ୍ପେନ ଉଦ୍‌ଘାଟନୀ ମୁକାବିଲା

Published By : Prameya-News7 Bureau | January 13, 2023 IST

ଭୁବନେଶ୍ୱର ୧୩/୦୧: ବାରବାଟୀ ଷ୍ଟାଡିୟମରେ ରଙ୍ଗାରଙ୍ଗ ଉଦ୍‌ଘାଟନୀ ପର୍ବରେ ବାଜି ସାରିଛି ପୁରୁଷ ହକି ବିଶ୍ୱକପ୍‌-୨୦୨୩ର ବିଗୁଲ । ଶୁକ୍ରବାର ଠାରୁ ଆରମ୍ଭ ହେବ ବିଶ୍ୱକପ୍‌ର ଅସଲ ଲଢ଼େଇ । ଲଢ଼େଇ ପାଇଁ ରାଉରକେଲା ଓ ଭୁବନେଶ୍ୱରରେ କ୍ଷେତ୍ର ପ୍ରସ୍ତୁତ ହୋଇ ରହିଛି । ଅଭ୍ୟାସ ସରିଛି, ରଣନୀତି ବି ପ୍ରସ୍ତୁତ ଖାଲି ସେହି ମୁହୂର୍ତ୍ତକୁ ଅପେକ୍ଷା । କେତେବେଳେ ଗଡ଼ିବ ବଲ୍‌ । ଖେଳାଳି ଉତ୍ସାହିତ, ଦର୍ଶକଙ୍କ ଉତ୍କଣ୍ଠା ବଢ଼ି ବଢ଼ି ଚାଲିଛି । ବିଶ୍ୱର ସର୍ବବୃହତ୍‌ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଉଦ୍‌ଘାଟନୀ ମୁକାବିଲାକୁ ନେଇ ସମସ୍ତେ ବ୍ୟାକୁଳ । ଘରୋଇ ଭାରତ ଓ ସ୍ପେନ ଏହି ଲଢ଼େଇରେ ହେବେ ଅବତୀର୍ଣ୍ଣ ।

ଗତ ବୁଧବାର ଦିନ କଟକରେ ଉଦଘାଟନୀ ପର୍ବ ଶେଷ ହୋଇଥିବାରୁ ରାଉରକେଲାରେ ଶୁକ୍ରବାର ସେମିତି ବିଶେଷ ରଙ୍ଗାରଙ୍ଗ ଉତ୍ସବର ଯୋଜନା ନାହିଁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସିକିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ ଏବଂ ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍‌) ଓ ହକି ଇଣ୍ଡିଆର ବରିଷ୍ଠ ଅଧିକାରୀଙ୍କ ସହ ବହୁ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ ସନ୍ଧ୍ୟାରେ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପରାହ୍ଣ ୪ଟା ୪୮ ସୁଦ୍ଧା ବିର୍ସା ମୁଣ୍ଡା ଷ୍ଟାଡିୟମ ହକି ଗ୍ରାମରେ ପହଞ୍ଚିବେ । ଦୁଇ ଘଣ୍ଟା ବିଶ୍ରାମ ପରେ ମ୍ୟାଚ୍‌ ଦେଖିବା ପାଇଁ ଷ୍ଟାଡିୟମକୁ ଯିବେ । ଏହାପରେ ରାତି ସାଢ଼େ ସାତଟା ସୁଦ୍ଧା ହକି ଗ୍ରାମକୁ ଫେରିବେ । ସେଠାରେ ରାତ୍ରି ଯାପନ କରିବା ପରେ ଶନିବାର ପୂର୍ବାହ୍ନ ୧୧ଟା ୩୦ ମିନିଟରେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ ।

ଶୁକ୍ରବାର ପ୍ରଥମ ଦିବସରେ ମୋଟ୍‌ ୪ଟି ମ୍ୟାଚ୍‌ ଖେଳାଯିବ । ପୁଲ୍‌ ଏ’ର ଦୁଇଟି ମ୍ୟାଚ୍‌ ଭୁବନେଶ୍ୱରରେ ରହିଛି । ଅପରାହ୍ଣ ୧ଟାରୁ ଆର୍ଜେଣ୍ଟିନା-ଦକ୍ଷିଣ ଆଫ୍ରିକା ଏବଂ ଅପରାହ୍ଣ ୩ଟାରୁ ଅଷ୍ଟ୍ରେଲିଆ-ଫ୍ରାନ୍ସ ମ୍ୟାଚ୍‌ ଆରମ୍ଭ ହେବ । ସେହିପରି ରାଉରକେଲାରେ ପୁଲ ଡି’ର ପ୍ରଥମ ମ୍ୟାଚ୍‌ ଅପରାହ୍ଣ ୫ଟାରୁ ଇଂଲଣ୍ଡ-ୱେଲ୍ସ ମଧ୍ୟରେ ଏବଂ ସନ୍ଧ୍ୟା ୭ଟାରୁ ଘରୋଇ ଭାରତ ଓ ସ୍ପେନ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍‌ ଖେଳାଯିବ ।

ଓଡ଼ିଶା କ୍ରମାନ୍ୱୟରେ ଦ୍ୱିତୀୟ ଥର ହକି ବିଶ୍ୱକପ୍‌ ଆୟୋଜନ କରି ହକି ଇତିହାସରେ ନୂଆ ଫର୍ଦ୍ଦ ଯୋଡ଼ିଛି । ଏଥରକୁ ମିଶାଇ ଭାରତ ଚତୁର୍ଥ ଥର ବିଶ୍ୱକପ୍‌ ଆୟୋଜନ କରୁଛି । ପୂର୍ବରୁ ୧୯୮୨ରେ ମୁମ୍ବାଇ, ୨୦୧୦ରେ ନୂଆଦିଲ୍ଲୀ ଏବଂ ୨୦୧୮ରେ ଭୁବନେଶ୍ୱରରେ ଆୟୋଜିତ ହୋଇଥିଲା । ପ୍ରଥମ ଥର ହକି ବିଶ୍ୱକପ୍‌ ଦୁଇ ଭିନ୍ନ ସହରରେ ଆୟୋଜିତ ହେଉଛି । ପୂର୍ବ ସଂସ୍କରଣ କେବଳ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହୋଇଥିଲା । କିନ୍ତୁ ୨୦୨୩ ସଂସ୍କରଣକୁ ରାଜ୍ୟ ସରକାର ଉଭୟ ରାଉରକେଲା ଓ ଭୁବନେଶ୍ୱରରେ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଥିଲେ । ଯେଉଁଥିପାଇଁ ରାଉରକେଲାରେ ନିର୍ମାଣ ହୋଇଥିଲା ୨୦ ହଜାରରୁ ଊଦ୍ଧ୍ୱର୍ ଦର୍ଶକ ଧାରଣ କ୍ଷମତା ରଖିଥିବା ବିର୍ସା ମୁଣ୍ଡା ଷ୍ଟାଡିୟମ । ମାତ୍ର ୧୫ ମାସ ମଧ୍ୟରେ ଷ୍ଟାଡିୟମର କାର୍ଯ୍ୟ ଶେଷ ହୋଇଥିଲା।
ରାଜ୍ୟ ତଥା ଦେଶରେ ଏଥର ବିଶ୍ୱକପ୍‌ର ପ୍ରଚାର ପ୍ରସାରକୁ ଆୟୋଜକଙ୍କ ପକ୍ଷରୁ ବ୍ୟାପକ କରାଯାଇଥିଲା । ଡିସେମ୍ବର ୫ ତାରିଖରୁ ବିଶ୍ୱକପ୍‌ ଟ୍ରଫି ଦେଶ ଭ୍ରମଣ ଆରମ୍ଭ କରିଥିଲା । ଡିସେମ୍ବର ୨୫ ତାରିଖରେ ଟ୍ରଫି ପୁଣି ଭୁବନେଶ୍ୱରରେ ପହଞ୍ଚି ରାଜ୍ୟ ଭ୍ରମଣରେ ବାହାରିଥିଲା । ଆଜି ସକାଳେ ସୁନ୍ଦରଗଡ଼ରେ ଟ୍ରଫିକୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଆସନ୍ତାକାଲି ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳାଯିବାକୁ ଥିବା ଉଦ୍‌ଘାଟନୀ ମ୍ୟାଚ୍‌ରେ ବିଶ୍ୱକପ୍‌ ଟ୍ରଫି ପ୍ରଦର୍ଶିତ ହେବ ।

ବିଶ୍ୱକପ୍‌ ଶୁକ୍ରବାର ଠାରୁ ଆରମ୍ଭ ହୋଇ ୨୯ ତାରିଖରେ ଶେଷ ହେବ । ମୋଟ୍‌ ୪ଟି ଗ୍ରୁପ୍‌ରେ ୧୬ଟି ଦଳ ଭାଗ ନେଇଛନ୍ତି । ବିଶ୍ୱକପ୍‌ରେ ମୋଟ୍‌ ୪୪ଟି ମ୍ୟାଚ୍‌ ଖେଳାଯିବ । ରାଉରକେଲାରେ ୨୦ଟି ଏବଂ ଭୁବନେଶ୍ୱରରେ ଫାଇନାଲ ସମେତ ୨୪ଟି ମ୍ୟାଚ୍‌ ରହିଛି । ପୁଲ୍‌ ଏ’ରେ ଅଷ୍ଟ୍ରେଲିଆ, ଆର୍ଜେଣ୍ଟିନା, ଫ୍ରାନ୍ସ, ଦକ୍ଷିଣ ଆଫ୍ରିକା ପୁଲ୍‌ ବି’ରେ ବେଲଜିୟମ, ଜର୍ମାନୀ, ଦକ୍ଷିଣ କୋରିଆ, ଜାପାନ ପୁଲ୍‌ ସି’ରେ ନେଦରଲାଣ୍ଡ୍‌ସ, ନ୍ୟୁଜିଲାଣ୍ଡ, ମାଲେସିଆ, ଚିଲି ଏବଂ ପୁଲ୍‌ ଡି’ରେ ଭାରତ, ଇଂଲଣ୍ଡ, ସ୍ପେନ ଓ ୱେଲ୍ସ ରହିଛନ୍ତି ।

ଘରୋଇ ଭାରତୀୟ ଦଳ ପ୍ରଥମ ମ୍ୟାଚ୍‌ରେ ସ୍ପେନକୁ ଭେଟିବା ପରେ ଆସନ୍ତା ୧୫ ତାରିଖ ଦ୍ୱିତୀୟ ମ୍ୟାଚ୍‌ରେ ଇଂଲଣ୍ଡକୁ ଏବଂ ପୁଲର ଅନ୍ତିମ ମ୍ୟାଚ୍‌ ୱେଲ୍ସ ବିପକ୍ଷରେ ୧୯ ତାରିଖରେ ଖେଳିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.