ଇତିହାସ ରଚିଲେ ନୀରଜ ଚୋପ୍ରା, ହେଲେ ବିଶ୍ଵର ନମ୍ବର ଓ୍ଵାନ ଜାଭେଲିନ ଫିଙ୍ଗାଳି

Published By : Prameya-News7 Bureau | May 22, 2023 IST

ନୂଆଦିଲ୍ଲୀ: ଇତିହାସ ରଚିଲେ ଅଲିମ୍ପିକ ପଦକ ବିଜେତା ନୀରଜ ଚୋପ୍ରା। ପ୍ରଥମ ଭାରତୀୟ ଜାଭେଲିନ ଫିଙ୍ଗାଳି ଭାବେ ନୀରଜ ବିଶ୍ଵ ମାନ୍ୟତାରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି। ଭାରତର ମହାନ ଆଥଲେଟ୍‌ଙ୍କ ମଧ୍ୟରୁ ଅନ୍ୟତମ ନୀରଜ ବିଶ୍ଵର ଏକ ନମ୍ବର ଜାଭେଲିନ ଫିଙ୍ଗାଳି ଆଣ୍ଡରସନ ପିଟର୍ସଙ୍କୁ ପଛରେ ପକାଇ ଏହି ଉପଲବ୍ଧି ହାସଲ କରିଛନ୍ତି।

ନୀରଜ ଚୋପ୍ରା ୨୦୨୧ ଟୋକିଓ ଅଲିମ୍ପିକ୍ସରେ ସ୍ଵର୍ଣ୍ଣ ପଦକ ଜିତିବା ପରେ ଆଉ ପଛକୁ ଫେରି ଚାହିଁ ନାହାନ୍ତି। ଅଲିମ୍ପିକ୍ସରେ ୮୭.୫୮ ମିଟର ଜାଭେଲିନ  ଫିଙ୍ଗି ନୀରଜ  ଚୋପ୍ରା ଭାରତୀୟ କ୍ରୀଡା ଇତିହାସରେ ନିଜର ନାମ ଲିପିବଦ୍ଧ କରିଥିଲେ। ଏହା ପରେ ନୀରଜ ଚୋପ୍ରା ନିଜ ଖେଳରେ ନିରନ୍ତର ଉନ୍ନତି ଘଟାଇ ଚାଲିଛନ୍ତି। ଜୁରିଚ୍‌ରେ ଆୟୋଜିତ ସମ୍ମାନଜନକ ଡାଇମଣ୍ଡ ଲିଗ୍‌ରେ ନୀରଜ କ୍ୟାରିୟରର ଭଲ ପ୍ରଦର୍ଶନ କରି ୮୯.୬୩ ଜାଭେଲିନ ଫିଙ୍ଗି ସ୍ଵର୍ଣ୍ଣ ପଦକ ଜିତିଛନ୍ତି। ତାଙ୍କର ଏହି ଉତ୍କୃଷ୍ଟ ପ୍ରଦର୍ଶନ ଜାଭେଲିନରେ ତାଙ୍କର ପ୍ରତିଷ୍ଠା ଏବଂ ସାମର୍ଥ୍ୟକୁ ଦୁଇ ଗୁଣିତ କରିଛି।

ଆଉ ଏବେ ଦୋହାରେ ଆୟୋଜିତ ଦୋହା ଡାଇମଣ୍ଡ ଲିଗ୍‌ରେ ୮୮.୬୭ ଭାଲା ଫିଙ୍ଗି ସ୍ଵର୍ଣ୍ଣ ପଦକ ଜିତିବାରୁ ନୀରଜଙ୍କ ମାନ୍ୟତାରେ ଉନ୍ନତି ଘଟିଛି ଏବଂ ଏହି ତାରକା ଖେଳାଳି ନିଜ କ୍ୟାରିୟରର ଶ୍ରେଷ୍ଠ ମାନ୍ୟତା ହାସଲ କରି ଶୀର୍ଷକୁ ଉଠିଛନ୍ତି। ଟୋକିଓ ଅଲିମ୍ପିକ୍ସର ରୌପ୍ୟ ପଦକ ବିଜେତା ଜାକୁବ ଭାଡଲେଜେଚ୍‌ ୮୮.୬୩ ମିଟର ଜାଭେଲିନ ଫିଙ୍ଗି ଦ୍ଵିତୀୟ ସ୍ଥାନରେ ରହିଛନ୍ତି। ବିଶ୍ଵ ଚାମ୍ପିଅନ ଆଣ୍ଡରସନ ପିଟର୍ସ ଯିଏ ଗତ ବର୍ଷ ଦୋହାରେ ୯୩ ମିଟର ଜାଭେଲିନ ଫିଙ୍ଗିଥିଲେ ସେ ନିଜର ଶ୍ରେଷ୍ଠ ପ୍ରୟାସରେ ୮୫.୮୮ ମିଟର ପର୍ଯ୍ୟନ୍ତ ଜାଭେଲିନ ଫିଙ୍ଗି କାଂସ୍ୟ ପଦକ ଜିତିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.