ଇତିହାସ ରଚିଲେ ଭାରତୀୟ ବଂଶୋଦ୍ଭବ ଋଷି ସୁନକ, ଦୀପାବଳିରେ ବ୍ରିଟେନକୁ ମିଳିଲା ପ୍ରଥମ ହିନ୍ଦୁ ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | October 24, 2022 IST

ନୂଆଦିଲ୍ଲୀ: ଇତିହାସ ରଚିଲେ ଭାରତୀୟ ବଂଶୋଦ୍ଭବ ଋଷି ସୁନକ। ଦୀପାବଳିରେ ବ୍ରିଟେନକୁ ମିଳିଲା ପ୍ରଥମ ହିନ୍ଦୁ ପ୍ରଧାନମନ୍ତ୍ରୀ। ନିର୍ବାଚନରେ ସୁନକ ବିଜୟୀ ହୋଇଥିବା ବିଦ୍ଧିବଧ ଘୋଷଣା କରାଯାଇଛି। ସୁନକ ପେନି ମୋର୍ଡାଣ୍ଟକୁ ହରାଇ ନିର୍ବାଚନରେ ବିଜୟ ହାସଲ କରିଛନ୍ତି। ଋଷି ସୁନକଙ୍କୁ ୧୮୦ରୁ ଅଧିକ ସାଂସଦଙ୍କ ସମର୍ଥନ ମିଳିଥିବା ବେଳେ ପେନି ମୋର୍ଡାଣ୍ଟ  ତାଙ୍କଠୁ ବହୁ ପଛରେ ରହିଥିଲେ। ମୋର୍ଡାଣ୍ଟ ନିଜ ନାଁ ପ୍ରତ୍ୟାହାର କରିବା ପରରେ ସୁନକ ୟୁକେର ପ୍ରଧାନମନ୍ତ୍ରୀ ହେବାର ପଥ ପରିଷ୍କାର ହୋଇଥିଲା। ସେ ବ୍ରିଟେନର ପ୍ରଥମ ହିନ୍ଦୁ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ଅକ୍ଟୋବର ୨୮ରେ ସେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ।

ଲିଜ୍ ଟ୍ରସଙ୍କ ଇସ୍ତଫା ପରେ ବ୍ରିଟେନରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟ ଶେଷ ହୋଇଛି । ଋଷି ସୁନକ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ହୋଇଛନ୍ତି । କିଛି ଦିନ ତଳେ ଦ ଗାର୍ଡିୟନ ନିଜର ରିପୋର୍ଟରେ କହିଥିଲା ଯେ, ବ୍ରିଟେନର ଅଧିକାଂଶ ଲୋକେ ଏବଂ କନଜରଭେଟିଭ ପାର୍ଟିର ଅନେକ ନେତା ସେପ୍ଟେମ୍ୱରରେ ହିଁ ଋଷି ସୁନକଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଥିଲେ। ଲିଜ୍ ଟ୍ରସଙ୍କ ଚୟନ ଭୁଲ ପ୍ରମାଣିତ ହେଲା। ଋଷି ସୁନକ ବିତର୍କ ସମୟରେ ଲିଜ୍ ଟ୍ରସଙ୍କ ଟ୍ୟାସ ହ୍ରାସ ବ୍ରିଟେନ ଅର୍ଥ ବ୍ୟବସ୍ଥା ଉପରେ ଘାତକ ପ୍ରମାଣିତ ହେବ ବୋଲି କହିଥିଲେ।

ସୋମବାର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ପ୍ରଧାନମନ୍ତ୍ରୀ ଦୌଡରୁ ଓହରି ଯାଇଥିଲେ। ଏହା ପରେ ସୁନକଙ୍କ ପ୍ରଧାନମନ୍ତ୍ରୀ ହେବା ପ୍ରାୟତଃ ନିଶ୍ଚିତ ହୋଇ ଯାଇଥିଲା। ବ୍ରିଟେନର ରାଜନୀତି ପାଇଁ ଆଜି ହେଉଛି ବଡ ଦିନ। କାରଣ  ଗତ ତିନି ମାସରେ ହିଁ ଋଷି ସୁନକ ତୃତୀୟ ବ୍ୟକ୍ତି ଯିଏ ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି।

ସର୍ବପ୍ରଥମେ ବୋରିସ୍ ଜନସନ ଇସ୍ତଫା ଦେବା ପରେ ଲିଜ୍ ଟ୍ରସ ଋଷି ସୁନକଙ୍କୁ ପରାସ୍ତ କରି ପ୍ରଧାନମନ୍ତ୍ରୀ ହୋଇଥିଲେ। ହେଲେ ସେ ପଦରେ ଅଧିକ ସମୟ ତିଷ୍ଠି ପାରିଲେ ନାହିଁ। ୪୫ ଦିନରେ ତାଙ୍କୁ ପ୍ରଧାନମନ୍ତ୍ରୀ ପଦରେ ଇସ୍ତଫା ଦେବାକୁ ପଡିଥିଲା। ଏହା ପରେ ବ୍ରିଟେନର ପ୍ରଧାନମନ୍ତ୍ରୀ ହେବା ପାଇଁ ଋଷି ସୁନକ ଦୌଡରେ ସାମିଲ୍ ହୋଇଥିଲେ। ଆଉ ଏଥର ତାଙ୍କୁ ବିଜୟ ମିଳିଛି। ଭାରତ ପାଇଁ ଋଷି ସୁନକ ଜିତିବା କୌଣସି  ଦୀପାବଳିଠୁ କମ ନୁହେଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.