COP15 ସମ୍ମିଳନୀରେ ଐତିହାସିକ ଜୈବ ବିବିଧତା ବୁଝାମଣା ଉପରେ ମୋହର, ବିକାଶଶୀଳ ଦେଶକୁ ମିଳିବ ଲାଭ

Published By : Prameya-News7 Bureau | December 19, 2022 IST

ନୂଆଦିଲ୍ଲୀ: ମିଳିତ ଜାତିସଂଘ ଜୈବ ବିବିଧତା ସମ୍ମିଳନୀ( କୋପ-୧୫)ରେ ଜୈବ ବିବିଧତାର ସୁରକ୍ଷା ପାଇଁ ଐତିହାସିକ ବୁଝାମଣା ଉପରେ ମୋହର ବାଜିଛି । କାନାଡାର ମଣ୍ଟ୍ରିୟଲ ସହରରେ ସୋମବାର ସଦସ୍ୟ ରାଷ୍ଟ୍ର ଗୁଡିକ ମଧ୍ୟରେ ଜୈବ ବିବିଧତାର ସୁରକ୍ଷା ପାଇଁ ବିକାଶଶୀଳ ଏବଂ ଗରିବ ଦେଶଙ୍କୁ ପ୍ରତିବର୍ଷ ୩୦ ବିଲିୟନ ଡଲାରର ଆର୍ଥିକ ସହାୟତା ଉପରେ ମହମତି ପ୍ରକାଶ ପାଇଛି । ଏହି ବୁଝାମଣା ଆଦିବାସୀଙ୍କ ଅଧିକାରୀ ରକ୍ଷା ପାଇଁ ଦେଶରେ ମହତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ । ଏହାପରେ ଆଦିବାସୀଙ୍କ ମନରେ ସଂରକ୍ଷଣ ଯୋଗୁଁ ବିସ୍ଥାପନର ଭୟ କମିବ ।

ବୁଝାମଣାର ସବୁଠୁ ମହତ୍ୱପୂର୍ଣ୍ଣ ଅଂଶ ହେଉଛି ୨୦୩୦ ସୁଦ୍ଧା ଜୈବ ବିବିଧତା ପାଇଁ ମହତ୍ୱପୂର୍ଣ୍ଣ ଧରା ଯାଉଥିବା ୩୦ ପ୍ରତିଶତ ଭୂମି ଏବଂ ମହାସାଗରର ରକ୍ଷା ପାଇଁ ପ୍ରତିବଦ୍ଧତା । ବର୍ତ୍ତମାନ ସମୟରେ ୧୭ ପ୍ରତିଶତ ସ୍ଥଳ ଏବଂ ୧୦ ପ୍ରତିଶତ ସମୁଦ୍ରିକ କ୍ଷେତ୍ର ସଂରକ୍ଷିତ ରହିଛି । ବୁଝାମଣା ଅନୁସାରେ ଗରିବ ଦେଶଙ୍କ ପାଇଁ ଆର୍ଥିକ ସହାୟତା ରାଶିକୁ ୨୦୨୫ ସୁଦ୍ଧା ବଢାଇ ଅନ୍ତନ୍ତଃ ୨୦ ବିଲିୟନ ଡଲାର କରାଯିବା । ୨୦୩୦ ସୁଦ୍ଧା ଏହି ରାଶିକୁ ବଢାଇ ୩୦ ବିଲିୟନ ଡଲାର ପ୍ରତିବର୍ଷ କରାଯିବ । ଏହାଛଡା ୨୦୩୦ ସୁଦ୍ଧା ବିଭିନ୍ନ ମାର୍ଗରୁ ଜୈବ ବିବିଧତା ପାଇଁ ୨୦୦ ବିଲିୟନ ଡଲାର ସଂଗ୍ରହ କରିବା ସବସିଡିକୁ ପର୍ଯ୍ୟାୟକ୍ରମେ ଶେଷ କରିବା ପାଇଁ ଆହ୍ୱାନ ଦିଆଯାଇଛି ।

ଏହା ପୂର୍ବରୁ ଭାରତ କୋପ-୧୫ରେ ଜୈବ ବିବିଧତା ସଂରକ୍ଷଣ ପାଇଁ ଏକ ନୂଆ ଏବଂ ସମର୍ପିତ ପାଣ୍ଠି ଗଠନର ତତ୍କାଳ ଆବଶ୍ୟକତା ଉପରେ ଜୋର ଦେଇଥିଲା । ଭାରତ କହିଥିଲା ଯେ ସଂରକ୍ଷଣ ଦାୟିତ୍ୱ ଏବଂ କ୍ଷମତା ଉପରେ ଆଧାରିତ ହେବା ଦରକାର, କାରଣ ଜଳବାୟୁ ପରିବର୍ତ୍ତନ ଜୈବ ବିବିଧତାକୁ ପ୍ରଭାବିତ କରୁଛି । ଜୈବ ବିବିଧତାର ସଂରକ୍ଷଣ ଲକ୍ଷ୍ୟକୁ ଲାଗୁ କରିବା ପାଇଁ ଅଧିକ ବୋଝ ବିକାଶଶୀଳ ଦେଶ ଉପରେ ପଡିଥାଏ ।  

ଭାରତ ସହ ୧୯୬ ଦେଶର ପ୍ରତିନିଧି ଡିସେମ୍ୱର ୭ରୁ ଆରମ୍ଭ ହୋଇଥିବା ମିଳିତ ଜାତିସଂଘ ଜୈବ ବିବିଧତା ଶିଖର ସମ୍ମିଳନୀ (କୋପ-୧୫)ରେ ନୂଆ ବୈଶ୍ୱିକ ଜୈବ ବିବିଧତା ରୂପରେଖ ଉପରେ ବାର୍ତ୍ତାକୁ ଚୂଡାନ୍ତ ରୂପ ଦେବା ପାଇଁ ଏକାଠି ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.