ଉପର ମୁଣ୍ଡରେ ବର୍ଷା ନାହିଁ : କମିବାରେ ଲାଗିଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର
22/07/2019 at 5:40 PM

ସମ୍ବଲପୁର୨୨|୭: ଉପର ମୁଣ୍ଡରେ ବର୍ଷା ନାହିଁ । କମିବାରେ ଲାଗିଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ଗଲା ସପ୍ତାହେ ଧରି ହୀରାକୁଦରେ ପାଣି ଲଗାତର କମିବାରେ ଲାଗିଛି । ଗଲା ୫ବର୍ଷରେ ଏଭଳି ସ୍ଥିତି କେବେ ହୋଇନଥିଲା । ଏହାଦ୍ବାରା ବିଦ୍ୟୁତ୍ ଉତ୍ପାଦନ ଏବଂ ଜଳସେଚନ ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି ।

ହୀରାକୁଦ ସ୍ଥିତି ସାଂଘାତିକ । ଉପର ମୁଣ୍ଡରେ ବର୍ଷା ନାହିଁ । ଗଲା ସପ୍ତାହେ ହେଲାଣି ହୀରାକୁଦରେ କମିବାରେ ଲାଗିଛି ଜଳସ୍ତର । ଜୁଲାଇ ମାସ ବେଳକୁ ଯୋଉଠି ହୀରାକୁଦର ପାଣି ନିସ୍କାସନ ହେବା କଥା ସେଠି ଚଳିତ ବର୍ଷ ଜଳସ୍ତର କମିବା ପରିସ୍ଥିତିକୁ ସଂଗୀନ କରିଛି ।

ଜୁଲାଇ ୧୬ରେ ୬୦୦ଫୁଟ ଉପରେ ପାଣି ଥିବା ବେଳେ ୨୨ବେଳକୁ ଏହା ୫୯୮ଫୁଟକୁ ଖସି ଆସିଲାଣି । ଏତେବେଳକୁ ଉପରମୁଣ୍ଡରେ ୩୫୦ ମିଲିମିଟର ବର୍ଷା ହେବା କଥା । ହେଲେ ହୋଇଛି ମାତ୍ର ୧୭୫ମିଲିମିଟର ବର୍ଷା । ଯେଉଁଥି ପାଇଁ ଜଳଭଣ୍ଡାରକୁ କମିଛି ଜଳ ପ୍ରବେଶ ।

ହୀରାକୁଦରେ ପାଣି ନାହିଁ । ଫଳରେ ବୁର୍ଲା ଜଳବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରରେ ବିଜୁଳି ଉତ୍ପାଦନ କମିଛି । ସେପଟେ ଉଭୟ ବରଗଡ଼ କେନାଲ ଓ ଶାସନ କେନାଲରେ ଜଳ ପ୍ରବାହ କମିଥିବାରୁ ତଳମୁଣ୍ଡରେ ଚାଷୀଙ୍କ ପାଖରେ ପହଞ୍ଚିପାରୁନି ପାଣି । ଫଳରେ ଗଜାମରୁଡ଼ି ପରିସ୍ଥିତି ସୃଷ୍ଟି ହେଲାଣି । ଯାହାକୁ ନେଇ ଏବେ ଚିନ୍ତାରେ ଚାଷୀ ।

ହୀରାକୁଦରେ ଜଳସ୍ତର ୫୯୫ଫୁଟକୁ ଖସିଲେ ଶିଳ୍ପକୁ ଜଳଯୋଗାଣ, ୫୯୦ଫୁଟକୁ ଖସିଲେ କୃଷି ଓ ବିଦ୍ୟୁତ୍ ଉତ୍ପାଦନ ପାଇଁ ଜଳ ଯୋଗାଣ ବନ୍ଦ କରାଯାଏ । ଯଦି ଆଗକୁ ବଡ଼ ବର୍ଷା ନହୁଏ ତାହେଲେ ସ୍ଥିତି ଗମ୍ଭୀର ହେବ ତାହା ଜଳ ଜଳ ଦେଖାଗଲାଣି ।
