ମହାନଦୀରେ ଆସୁଛି ବନ୍ୟା, ହୀରାକୁଦରୁ ୩୪ଟି ଗେଟ୍‌ ନିଷ୍କାସିତ ହେଉଛି ଜଳ

Published By : Prameya-News7 Bureau | August 14, 2022 IST

ସମ୍ବଲପୁର ୧୪।୦୮:  ଅବିରତ ବର୍ଷା । ଉପରମୁଣ୍ଡରେ ବର୍ଷା ଛାଡୁନି କି ତଳ ମୁଣ୍ଡରେ ଥମୁନି । ଫଳରେ ଫୁଲି ଚାଲିଛି ମହାନଦୀ । ତଳିଆ ଅଞ୍ଚଳକୁ ଡରାଇଲାଣି ବନ୍ୟା ଆଶଙ୍କା । ମହାନଦୀ ତଳ ମୁଣ୍ଡର ୭ ଜିଲ୍ଲାରେ ଛୋଟ କିମ୍ବା ମଧ୍ୟମ ଧରଣର ବନ୍ୟା ଆଶଙ୍କା ଦେଖାଦେଇଛି । କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ ଆଦି ଜିଲ୍ଲାକୁ ସତର୍କ କରାଯାଇଛି ।

ଖବର ଅନୁଯାୟୀ, ଶନିବାରରୁ ହୀରାକୁଦର ୩୪ ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି । ବର୍ତ୍ତମାନ ହୀରାକୁଦରେ ଜଳସ୍ତର ୬୧୬.୫୬ ଫୁଟ ରହିଛି । ପ୍ରତି ସେକେଣ୍ଡରେ ୫ ଲକ୍ଷ ୪୧ ହଜାର ୯୮୮ କ୍ୟୁସେକ୍‌ ଜଳ ପ୍ରବେଶ କରୁଛି। ସେକେଣ୍ଡ ପ୍ରତି ୫ ଲକ୍ଷ ୬୧ ହଜାର ୫୪ କ୍ଯୁସେକ ଜଳ ନିଷ୍କାସନ କରାଯାଉଛି। ଆଜି ମୁଣ୍ଡୁଳିରେ ୬ ଲକ୍ଷ କ୍ୟୁସେକ୍ ଜଳ ପହଞ୍ଚିବ । ସୋମବାର ସକାଳ ସୁଦ୍ଧା ୭ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେଉଥିବ । ଛତିଶଗଡ଼ ଏବଂ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ଯୋଗୁଁ ତେଲ ନଦୀରୁ ଅଧିକ ପରିମାଣର ଜଳ ମହାନଦୀରେ ପଡିବ । ଫଳରେ ହୀରାକୁଦର ଆହୁରି ଅଧିକ ଗେଟ୍ ଖୋଲିବାକୁ ପଡିପାରେ ।

ଅନ୍ୟପଟେ ମହାନଦୀ ବଢୁଥିବା ବେଳେ ବୈତରଣୀ ଏବଂ ଜଳକା ବିପଦ ସଂକେତ ପାର୍ କରିଯାଇଛନ୍ତି । ବନ୍ୟା ସ୍ଥିତି ମୁକାବିଲା ଲାଗି ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ଅଗ୍ନିଶମ ବିଭାଗ ପକ୍ଷରୁ ୧୫ ଜିଲ୍ଲାକୁ ସ୍ବତନ୍ତ୍ର ଟିମ୍ ପଠାଯାଇଛି । ସମ୍ବଲପୁରରେ ପ୍ରବଳ ବର୍ଷା ଯୋଗୁଁ ସହରର ବିଭିନ୍ନ ସ୍ଥାନରେ ଘରେ ପାଣି ପଶିଛି । ଗୁଣ୍ଡେରପୁର ବ୍ରିଜ୍ ଉପରେ ଚାଲିଛି ପାଣି । ଫଳରେ ସୁବର୍ଣ୍ଣପୁର ଓ ସମ୍ବଲପୁର ଯୋଗାଯୋଗ ବିଚ୍ଛିନ ହୋଇଛି।

ସେହିପରି ହୀରାକୁଦ କଲୋନୀ ସମେତ ଅନ୍ଯାନ୍ଯ ତଳିଆ ଅଞ୍ଚଳରେ ପାଣି ପଶୁଛି । ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ବନ୍ୟା ମୁକାବିଲା ପାଇଁ ସମ୍ବଲପୁର ପ୍ରଶାସନ ପ୍ରସ୍ତୁତି କରିଛି । ସମ୍ବଲପୁରରେ ୭ଟି ବନ୍ୟା ଆଶ୍ରୟସ୍ଥଳ ପ୍ରସ୍ତୁତ ରହିଛି । ଏପର୍ଯ୍ୟନ୍ତ ୧ ହଜାର ୫ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଏନେଇ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.