ଭୁବନେଶ୍ବର୧୬|୧୦: ରାତିଟାରେ, ପୁଣି ଟନେଲ୍ ଭିତରେ ୫ ଘଣ୍ଟା ଫସି ରହିଲା ଟ୍ରେନ୍ । ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ, ବଡ଼ ଧରଣର ଅଘଟଣ ସିନା ଟଳିଗଲା, ହେଲେ ଅନ୍ଧାର ଭିତରେ ପୂରା ଅଣନିଶ୍ବାସୀ ହୋଇଗଲେ ଲୋକେ । ହୀରାଖଣ୍ଡ ଏକ୍ସପ୍ରେସରେ ଜଗଦଲପୁରରୁ ଭୁବନେଶ୍ବର ଆସୁଥିବା ଲୋକେ ଗତରାତିରେ ଏମିତି ପରିସ୍ଥିତିର ସାମ୍ନା କରିଥିଲେ । କିଛି ଯାତ୍ରୀ ଫେସବୁକରେ ପୋଷ୍ଟ କରିବା ପରେ ଘଟଣା ସାମ୍ନାକୁ ଆସିଲା । ଆଉ ନ୍ୟୁଜ୍ ସେଭେନରେ ଖବର ପ୍ରସାରଣ ଓ ଯାତ୍ରୀଙ୍କ ପ୍ରତିକ୍ରିୟା ଦେଖିବା ପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି ରେଳବାଇ ।
ଟନେଲ ଭିତରେ ୫ ଘଣ୍ଟା । ଚାରିଆଡ଼ ଅନ୍ଧାର ଆଉ ଟନେଲ ଭିତରେ ଅଟକି ଗଲା ଟ୍ରେନ । ଯେତିକି ଯେତିକି ସମୟ ଗଡୁଛି ସେତିକି ସେତିକି ବଢୁଛି ଯାତ୍ରୀଙ୍କ ଭୟ। ଏଣେ ନିଶ୍ବାସ ନେବାରେ ବି କଷ୍ଟ ହେଉଛି। ଏମିତି କିଛି ଆତଙ୍କଭରା ସମୟକୁ ସାମ୍ନା କରୁଥିଲେ ଜଗଦଳପୁର-ଭୁବନେଶ୍ବର ହୀରାଖଣ୍ଡ ଏକ୍ସପ୍ରେସରେ ଆସୁଥିବା ଯାତ୍ରୀମାନେ। ରାତି ପ୍ରାୟ ୮ଟା ୩୫। ଟିକିରି ରାଉଳି ମଧ୍ୟରେ ଥିବା ୮ନମ୍ବର ଟନେଲ୍ ଭିତରେ ଟ୍ରେନଟି ଅଟକି ରହିଥିଲା । ରାତି ସାଢ଼େ ଗୋଟାଏ ପର୍ଯ୍ୟନ୍ତ। କିଟିକିଟିଆ ଅନ୍ଧାରରେ ଫସିରହିଥିଲେ ଯାତ୍ରୀମାନେ।
ସ୍ବାଭାବିକ ବେଗରେ ମାଡ଼ି ଚାଲିଥିଲା ଟ୍ରେନ୍ । ୮ ନମ୍ବର୍ ଟନେଲ୍ ଆଗରେ ହଠାତ୍ ବିଦ୍ୟୁତ୍ ଖୁଣ୍ଟି ପଡ଼ିଯିବାରୁ ତାର ଛନ୍ଦି ହୋଇଗଲା । ଡ୍ରାଇଭରଙ୍କ ଆଖିରେ ପଡୁ ପଡୁ ଉପସ୍ଥିତ ବୁଦ୍ଧି ଖଟାଇ ଟ୍ରେନ୍ ଅଟକାଇ ଦେଲେ ସେ । ବଡ଼ ଧରଣର ଅଘଟଣ ବର୍ତ୍ତିଗଲା । ହେଲେ ଯାତ୍ରୀମାନେ ସାମ୍ନା କଲେ ନାହିଁ ନଥିବା ଅସୁବିଧା । ମୋବାଇଲ୍ ଟାୱାର୍ ନଥିବାରୁ ଫୋନ୍ ଧରିଲାନି । ଫେସବୁକରେ ପୋଷ୍ଟ ପରେ ଘଟଣା ସାମ୍ନାକୁ ଆସିଲା । ଟେକ୍ନିକାଲ୍ ଟିମ୍ ଯାଇ ମରାମତି କରିବା ପରେ ରାତି ସାଢେ ଗୋଟାଏରେ ଟ୍ରେନ୍ ଛାଡ଼ିଲା । ଆଉ ୬ ଘଣ୍ଟା ବିଳମ୍ବରେ ଆସି ଭୋର୍ ୫ଟାରେ ପହଞ୍ଚିଲା ବ୍ରହ୍ମପୁରରେ । ଆଉ ଅପରାହ୍ନ ୩ଟାରେ ପହଞ୍ଚିଥିଲା ଭୁବନେଶ୍ବରରେ ।
ନ୍ୟୁଜ୍ ସେଭେନରେ ଖବର ପ୍ରସାରଣ ପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି ରେଳବାଇ । ରେଳବାଇର ଇଲେକ୍ଟ୍ରିକାଲ୍ ଡିପାର୍ଟମେଣ୍ଟ ଘଟଣାର ତଦନ୍ତ କରିବ ।
ଡ୍ରାଇଭରଙ୍କ ପାଇଁ ବଡ଼ ଧରଣରୁ ଅଘଟଣ ସିନା ଯାତ୍ରୀମାନେ ବର୍ତ୍ତିଗଲେ, ହେଲେ ଅନ୍ଧାର ଭିତରେ ୫ ଘଣ୍ଟା ଥିଲା ଯାତ୍ରୀମାନଙ୍କ ପାଇଁ କଷ୍ଟଦାୟକ ସମୟ ।