ଦରଘାରେ ମହାଶିବରାତ୍ରି ପୂଜା କରିବେ ହିନ୍ଦୁ ସମୂଦାୟ, ଅନୁମତି ଦେଲେ ୱାକଫ ଟ୍ରିବ୍ୟୁନାଲ
17/02/2023 at 9:15 PM

କଲବୁର୍ଗି ୧୭।୨: କର୍ଣ୍ଣାଟକର ସମ୍ବେଦନଶୀଳ ଜିଲ୍ଲା କଲବୁର୍ଗିରେ ପୁଣି ଥରେ ହିନ୍ଦୁ-ମୁସଲମାନ ଗୋଟିଏ ସ୍ଥାନରେ ପୂଜା କରିବେ। ଏଠାକାର ଅଲାନ୍ଦରେ ଥିବା ଏକ ଦରଘାକୁ ଉଭୟ ଧର୍ମର ପୂଜା ଲାଗି ମିଳିତ ସ୍ଥାନ ମନେ କରାଯାଏ। ଚଳିତବର୍ଷ ମହାଶିବରାତ୍ରିରେ ଦରଘାରେ ମୁସଲମାନ ମାନଙ୍କ ଧାର୍ମିକ ଗତିବିଧି ପରେ ହିନ୍ଦୁ ସମୂଦାୟ ନିଜର ପୂଜାର୍ଚ୍ଚନା କରିବେ। ୱାକଫ ଟ୍ରିବ୍ୟୁନାଲ କୋର୍ଟ ଉଭୟ ସମୂଦାୟଙ୍କୁ ସେମାନଙ୍କ ଧାର୍ମିକ ଗତିବିଦ୍ଧି ଲାଗି ଅନୁମତି ଦେଇଛନ୍ତି।
ଗତବର୍ଷ ଏଠାରେ ଉଭୟ ସମୂଦାୟ ମଧ୍ୟରେ ଉତ୍ତେଜନା ଦେଖା ଦେଇଥିଲା। ଏଥି ଯୋଗୁ ହିଂସାକାଣ୍ଡ ମଧ୍ୟ ହୋଇଥିଲା। ୧୮ ଫେବୃଆରୀ ଶନିବାର ହିନ୍ଦୁମାନଙ୍କର ମହାଶିବରାତ୍ରି ପଡୁଥିବା ବେଳେ ମୁସଲମାନମାନଙ୍କର ଉର୍ଷ ଉତ୍ସବ ପାଳିତ ହେବ। ଏଥି ଲାଗି ମୁସଲମାନ ସମୂଦାୟଙ୍କୁ ପୂର୍ବାହ୍ନ ୮ଟାରୁ ମଧ୍ୟାହ୍ନ ୧୨ ପର୍ଯନ୍ତ ଉତ୍ସବ ପାଳନ ପାଇଁ ଅନୁମତି ଦିଆଯାଇଛି। ମୁସଲମାନଙ୍କ ଉତ୍ସବ ପାଳନ ପରେ ଅପରାହ୍ନ ୨ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ହିନ୍ଦୁ ମହାଶିବରାତ୍ରି ପାଳନ କରିବେ। ଡେପୁଟି କମିଶନର ୟଶଭନାଥ ଗୁରୁକରଙ୍କ ଅନୁସାରେ ଏଥି ଲାଗି ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି।

ଦରଘାର ନାମ ୧୪ଶ ଶତାବ୍ଦୀର ସୁଫି ସନ୍ଥ ହଜରତ ଖ୍ୱାଜା ଲାଡଲେ ମଶାୟଖ ଅଲାଉଦ୍ଦିନ ଅଂସାରୀଙ୍କ ନାମରେ ହୋଇଛି, ଯାହା ଲାଡଲା ମଶାୟଖ ଭାବେ ପରିଚିତ। ଏହି ସ୍ଥାନରେ ୧୫ଶ ଶତାବ୍ଦୀର ସନ୍ଥ ରାଘବ ଚୈତନ୍ୟଙ୍କ ସମାଧି ମଧ୍ୟ ରହିଛି। ଏହି କାରଣରୁ ଦୀର୍ଘ ବର୍ଷରୁ ହିନ୍ଦୁ ଓ ମୁସଲମାନ ଶାନ୍ତିପୂର୍ଣ୍ଣ ଭାବେ ପୂଜା ଓ ଅନ୍ୟ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜନ କରିଆସୁଛନ୍ତି। ତେବେ ଗୋଟିଏ ଦିନରେ ଉଭୟ ସମୂଦାୟଙ୍କ ଉତ୍ସବ ପାଳିତ ହେବାକୁ ଥିବାରୁ ସୁରକ୍ଷାର କଡା ବ୍ୟବସ୍ଥା କରାଯାଇଛି। କୌଣସି ପ୍ରକାରର ଅପ୍ରିତିକାର ପରିସ୍ଥିତି ଟାଳିବା ପାଇଁ ଦରଘାର ଦୁଇ କିଲୋମିଟର ଅଞ୍ଚଳରେ ଚେକ୍ ପଏଣ୍ଟ ସ୍ଥାପନା କରାଯାଇଛି।
ଉଲ୍ଲେଖଯୋଗ୍ୟ ଯେ ଗତବର୍ଷ ଏହି ଦରଘା ଉପରେ ଅଧିକାରକୁ ନେଇ ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ବିବାଦର ସୂତ୍ରପାତ ହୋଇଥିଲା। ହିନ୍ଦୁ କାର୍ଯ୍ୟକର୍ତ୍ତାମାନେ ଦରଘାରେ ସଫେଇ ଅଭିଯାନ ଚଳାଇବେ ବୋଲି ଜନତାଙ୍କୁ ଅପିଲ କରିଥିଲେ। ଏଥିରେ ମୁସଲମାନ ସମୂଦାୟ ମଧ୍ୟ ନିଜ ଅଧିକାର ଲାଗି ସାମ୍ନାକୁ ଆସିଥିଲେ। ହିନ୍ଦୁ ସମୂଦାୟ ଏଠାରେ ଥିବା ରାଘବ ଚୈତନ୍ୟଙ୍କ ଶିବଲିଙ୍ଗର ଶୁଦ୍ଧିକରଣ ପୂଜା କରିବାକୁ ଚାହୁଁଥିଲେ। ସେପଟେ ମୁସଲମାନ ସମୁଦାୟ ସେଠାରେ ସେହିଦିନ ସବ-ଏ-ବାରାତ ପାଳନ କରିବାକୁ ବାହାରିଥିଲେ। ଏହାକୁ ନେଇ ଛୋଟମୋଟର ହିଂସାକାଣ୍ଡ ଘଟିଥିବା ବେଳେ ୧୫୦ରୁ ଅଧିକ ଲୋକଙ୍କୁ ପୋଲିସ ଗିରଫ କରିଥିଲା।