'ସବୁଠି ହିନ୍ଦୀ ଚାଲିବ ନାହିଁ', ସ୍କୁଲରେ ଇଂରାଜୀ ଶିକ୍ଷାକୁ ସମର୍ଥନ କଲେ ରାହୁଲ, ବିଜେପିକୁ କଲେ ଟାର୍ଗେଟ୍

Published By : Prameya-News7 Bureau | December 19, 2022 IST

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସୋମବାର ଭାରତୀୟ ଜନତା ପାର୍ଟି(ବିଜେପି) ଉପରେ ଶାଣିତ ସ୍ଵରରେ ହମଲା କରିଛନ୍ତି। ସେ କହିଛନ୍ତି ବିଜେପି ଚାହୁଁଛି ବିଦ୍ୟାଳୟରେ ଇଂରାଜୀରେ ପିଲାମାନଙ୍କୁ ପାଠ ପଢା ନଯାଉ। କିନ୍ତୁ ସେମାନଙ୍କର ପିଲାମାନେ ଇଂଗ୍ଲିସ ମିଡିୟମ ସ୍କୁଲରେ ପାଠ ପଢିବେ।

ରାହୁଲ କହିଛନ୍ତି, ବାସ୍ତବରେ ବିଜେପି ଗରିବ ଚାଷୀ ଏବଂ ଶ୍ରମିକଙ୍କ ପିଲା ଇଂରାଜୀ ପଢୁ ଏବଂ ନିଜର ବଡ ସ୍ଵପ୍ନ ପୂରଣ କରୁ ବୋଲି ଚାହେଁ ନାହିଁ। ରାଜସ୍ଥାନର ଅଲଓ୍ଵରରେ ଏକ ଜନସଭାକୁ ସମ୍ବୋଧିତ କରି ରାହୁଲ ଗାନ୍ଧୀ ଇଂରାଜୀ ଭାଷାର ମହତ୍ଵ ଉପରେ ଗୁରୁତ୍ଵାରୋପ କରିଥିଲେ। ସେ କହିଛନ୍ତି, ଯଦି ଆପଣ ଅନ୍ୟ ଦେଶର ଲୋକଙ୍କ ସହ କଥା ହେବାକୁ ଚାହାନ୍ତି ତେବେ ହିନ୍ଦୀ ଚଳିବ ନାହିଁ। ଆମେ ଚାହୁଁ ଆମର ଗରିବ ଚାଷୀ ଏବଂ ଶ୍ରମିକଙ୍କ ପିଲାମାନେ ଆମେରିକୀୟଙ୍କ ସହ ପ୍ରତିଯୋଗିତା କରନ୍ତୁ।

ବିଜେପିର କେନ୍ଦ୍ର ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ସାଂସଦ, ବିଧାୟକଙ୍କ ପିଲାମାନେ ଇଂରାଜୀ ମିଡିୟମ ସ୍କୁଲରେ ପଢୁଛନ୍ତି। ହେଲେ ବିଜେପି ଚାହୁଁଛି ଚାଷୀର ପୁଅ ଇଂରାଜୀ ମିଡିୟମ ସ୍କୁଲ ନଯାଆନ୍ତୁ ଏବଂ ବଡ ସ୍ଵପ୍ନ ନଦେଖନ୍ତୁ। ରାହୁଲ ନିଜ ବୟାନ ଉପରେ ଯୁକ୍ତି ବାଢି କହିଛନ୍ତି ମୁଁ ହିନ୍ଦୀ କି ତାମିଲ୍ ଭାଷାକୁ ଗୁରୁତ୍ଵ ଦିଅ ନାହିଁ କି ପଢ ନାହିଁ ବୋଲି କହୁନାହିଁ। ଅବଶ୍ୟ ପଢିବା ଉଚିତ୍। କିନ୍ତୁ ଦୁନିଆ ସହ ଯୋଗାଯୋଗ ରଖିବାକୁ ହେଲେ ତୁମକୁ ଇଂରାଜୀ ଶିଖିବା ନିହାତି  ଜରୁରୀ।

ନିଜ ଭାଷଣରେ ରାହୁଲ କହିଛନ୍ତି, ରାଜସ୍ଥାନରେ ପାଖାପାଖି ୧୭୦୦ ଇଂରାଜୀ ମିଡିୟମ ବିଦ୍ୟାଳୟ ଖୋଲା ଯାଇଛି। ଆମେ ଯୁବ ପିଢି ଇଂରାଜୀରେ ଦକ୍ଷ ହୁଅନ୍ତୁ ଏବଂ ଆମେରିକା ପିଲାଙ୍କ ସହ ମୁକାବିଲା କରନ୍ତୁ ବୋଲି ଆମେ ଚାହୁଁଛୁ ବୋଲି ରାହୁଲ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.