AIIMSରେ ‘ହିନ୍ଦୀ’ ବିବାଦ : ଇଂରାଜୀ ସହ ଓଡିଆ ପାଇଁ ବିଜେଡିର ଦାବି, କଂଗ୍ରେସ କହିଲା ଅଚଳ କରିଦେବୁ
22/02/2020 at 2:40 PM

ଭୁବନେଶ୍ବର ୨୨।୨: ଭୁବନେଶ୍ବର ଏମ୍ସ ହସ୍ପିଟାଲରେ କର୍ମଚାରୀମାନେ ବିଭିନ୍ନ କାମ ହିନ୍ଦୀରେ କରିବାକୁ ଏହାର କର୍ତ୍ତୃପକ୍ଷ ନିର୍ଦ୍ଦେଶନାମା ଜାରି କରିବା ପରେ ଏହାକୁ ନେଇ ଆରମ୍ଭ ହୋଇଛି ବିବାଦ । ଏମ୍ସରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ହିନ୍ଦୀରେ ସେମାନଙ୍କ ଦସ୍ତଖତ କରିବା, ସବୁ ଫାଇଲ୍ ଉପରେ ନାଁ ଏବଂ ବିଷୟ ହିନ୍ଦୀରେ ଲେଖିବା ପାଇଁ କୁହାଯାଇଛି । ସବୁ ରେଜିଷ୍ଟରର ନାଁ ଏବଂ ସବ ହେଡିଙ୍ଗ ମଧ୍ୟ ହିନ୍ଦୀରେ ଲେଖିବା କୁହାଯାଇଛି । ଯାହା ଅଫିସିଆଲ ଅର୍ଡର କରାଯାଉଛି ସେଥିରୁ ଅତି କମ୍ ରେ ୩୦ ପ୍ରତିଶତ ନୋଟିଂ ଏବଂ ଡ୍ରାପ୍ଟିଂ ହିନ୍ଦୀରେ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ସେହିଭଳି ହସ୍ପିଟାଲର ୫୫ ପ୍ରତିଶତ ଚିଠି ପତ୍ର ହିନ୍ଦୀରେ ଦେଣନେଣ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଯେଉଁ ଚିଠି ହସ୍ପିଟାଲକୁ ଆସୁଛି ତାର ଉତ୍ତର ହିନ୍ଦୀରେ ଦେବାକୁ ମଧ୍ୟ କୁହାଯାଇଛି । ସେହିଭଳି ହସ୍ପିଟାଲର ପ୍ରଶାସନିକ ପରିଚାଳନା ବୈଠକରେ ହିନ୍ଦୀରେ ଆଲୋଚନା ସହ ଏହାର ବିବରଣୀ ହିନ୍ଦୀରେ ଲେଖିବାକୁ ମଧ୍ୟ କୁହାଯାଇଛି ।

ଭୁବନେଶ୍ବର ଏମ୍ସର ଏଭଳି ହିନ୍ଦୀ ପ୍ରୀତିକୁ ନେଇ ବିଭିନ୍ନ ରାଜନୈତିକ ଦଳ ଓ ସାହିତ୍ୟ-ସାଂସ୍କୃତିକ ସଂଗଠନ ଏହାକୁ ବିରୋଧ କରିଛନ୍ତି । ଭାଷା ଭିତ୍ତିରେ ଦେଶରେ ଓଡ଼ିଶା ପ୍ରଥମ ରାଜ୍ୟ ହୋଇଥିବାରୁ ଏମ୍ସର ଏଭଳି ହିନ୍ଦୀ ପ୍ରୀତି ବିରୋଧରେ ବିଜେଡିର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଏମ୍ସ କର୍ତ୍ତୃପକ୍ଷଙ୍କୁ ଭେଟି ସ୍ମାରକପତ୍ର ଦେଇଛି । ଏମ୍ସର ଏଭଳି ମାନସିକତା ନବଦଳିଲେ ଏହାକୁ ଅଚଳ କରିଦିଆଯିବ ବୋଲି ଚେତାବନୀ ଦେଇଛି କଂଗ୍ରେସ ।