ଆଦାନୀ ପରେ ଏବେ ଏହି କମ୍ପାନି ବିରୋଧରେ ରିପୋର୍ଟ ଜାରି କଲା ହିଣ୍ଡନବର୍ଗ, ଆଣିଲା ସଙ୍ଗୀନ ଅଭିଯୋଗ, ୨୦% କମିଲା ସେୟାର ମୂଲ୍ୟ
23/03/2023 at 7:13 PM

ନୂଆଦିଲ୍ଲୀ: ଆଦାନୀ ଗ୍ରୁପ ପରେ ଏବେ ଆଉ ଏକ ଫାର୍ମ ବିରୋଧରେ ବଡ଼ ଅଭିଯୋଗ ଆଣିଛି ଆମେରିକାର ସର୍ଟ ସେଲର କମ୍ପାନି ହିଣ୍ଡନବର୍ଗ । ନିଜ ରିପୋର୍ଟରେ ହିଣ୍ଡନବର୍ଗ ଦାବି କରିଛି ଯେ ଜ୍ୟାକ୍ ଡୋର୍ସିଙ୍କ ନେତୃତ୍ୱାଧିନ ବ୍ଲକ ଇଙ୍କ୍ ଭୁଲ ଉପାୟରେ ନିଜ ୟୁଜର୍ସଙ୍କ ସଂଖ୍ୟାକୁ ବଢାଇଛି । ଅନ୍ୟପଟେ ନିଜ ଗ୍ରାହକ ଅଧିଗ୍ରହଣ ଖର୍ଚ୍ଚକୁ ମଧ୍ୟ କମ କରିଛି । ଉଲ୍ଲେଖଯୋଗ୍ୟ ଯେ ଏହି ଖବର ପରେ ବ୍ଲକ ଇଙ୍କର ସେୟାରରେ ମଧ୍ୟ ବଡ଼ ହ୍ରାସ ଘଟିଛି । ଆମେରିକୀୟ ବଜାରରେ ବଡ ଚର୍ଚ୍ଚାର ବିଷୟ ପାଲଟିଛି । କମ୍ପାନିର ସେୟାର ପ୍ରାୟ ୨୦ ପ୍ରତିଶତ ହ୍ରାସ ପାଇଛି । ସୋସିଆଲ ମିଡିଆ କମ୍ପାନି ଟ୍ୱିଟରର ସହ-ପ୍ରତିଷ୍ଠାତା ଜ୍ୟାକ୍ ଡୋର୍ସି ବ୍ଲକ୍ ଇଙ୍କକୁ ୨୦୦୯ ମସିହାରେ ପ୍ରତିଷ୍ଠା କରିଥିଲେ । ଏହି କମ୍ପାନି ଟେକ୍ନୋଲଜି ସହ ଜଡିତ ରହିଛି ।
NEW FROM US:
— Hindenburg Research (@HindenburgRes) March 23, 2023
Block—How Inflated User Metrics and “Frictionless” Fraud Facilitation Enabled Insiders To Cash Out Over $1 Billionhttps://t.co/pScGE5QMnX $SQ
(1/n)
ଆଦାନୀ ଗ୍ରୁପ ଉପରେ ସଙ୍ଗୀନ ଅଭିଯୋଗ ଆଣିବାର ଦୁଇ ମାସ ପରେ ହିଣ୍ଡନବର୍ଗର ପ୍ରତିଷ୍ଠାତା ମାର୍ଚ୍ଚ ୨୩ ଭୋର ସକାଳେ ଟ୍ୱିଟ୍ କରି ନୂଆ ଖୁଲାସା ବାବାଦରେ ସୂଚନା ଦେଇଥିଲେ । ନୂଆ ରିପୋର୍ଟ ସାର୍ବଜନୀନ କରାଯିବ ବୋଲି ଟ୍ୱିଟରେ କୁହାଯାଇଥିଲା ।
ଉଲ୍ଲେଖଯୋଗ୍ୟ ଯେ ଜାନୁଆରୀ ୨୪ରେ ହିଣ୍ଡନବର୍ଗ ଦ୍ୱାରା ଆଦାନୀ ଗ୍ରୁପର ବହୁ ସଙ୍ଗୀନ ଅଭିଯୋଗ ଅଣାଯାଇଥିଲା । ରିପୋର୍ଟରେ କୁହାଯାଇଥିଲା ଯେ ଆଦାନୀ ଗ୍ରୁପ ସେଲ କମ୍ପାନି ମାଧ୍ୟମରେ ସେୟାର ମୂଲ୍ୟକୁ ବଢାଇଥିଲା । ଏହି ରିପୋର୍ଟ ପରେ ଆଦାନୀ ଗ୍ରୁପର ବିଭିନ୍ନ କମ୍ପାନିର ସେୟାର ଧରାଶାୟୀ ହୋଇଥିଲେ । ଅନ୍ୟପଟେ ଗୌତମ ଆଦାନୀଙ୍କ ସମ୍ପତ୍ତିରେ ମଧ୍ୟ ବଡ଼ ହ୍ରାସ ଘଟିଥିଲା ।