ଆଦାନୀଙ୍କ ସେୟାର ଉପରେ ହିଣ୍ଡନବର୍ଗ କୋପ, ଗୋଟିଏ ଝଟକାରେ ବୁଡିଗଲା ୧.୨୮ ଲକ୍ଷ କୋଟି ଟଙ୍କା

Published By : Prameya-News7 Bureau | August 12, 2024 IST

ମୁମ୍ବାଇ : ହିଣ୍ଡନବର୍ଗର ନୂଆ ରିପୋର୍ଟ ପୁଣି ଥରେ ନୂଆ ସମସ୍ୟା ସୃଷ୍ଟି କରିଛି। ଏଥର ସର୍ଟ ସେଲରଙ୍କ ସିଧା ଟାର୍ଗେଟରେ ସେବି ମୁଖ୍ୟ ଅଛନ୍ତି। ଯାହାଙ୍କ ଉପରେ ଅଭିଯୋଗ ହୋଇଛି ଯେ ତାଙ୍କ ପାଖରେ ଆଦାନୀଙ୍କ କମ୍ପାନୀରେ ଅଂଶିଦାରୀ ଥିଲା। ଯେଉଁଥି ପାଇଁ ଯାଞ୍ଚ ସେପରି ହୋଇପାରିଲା ନାହିଁ ଯେପରି ହେବା ଜରୁରି ଥିଲା। ଏବେ ଏହି ଅଭିଯୋଗର ପ୍ରଭାବ ମାମୁଲି ରୂପେ ସେୟାର ବଜାର ଉପରେ ପଡିଥିବା ବେଳେ ଆଦାନୀଙ୍କ ସେୟାର ଉପରେ ଠିକ୍ ଠାକ୍ ଦେଖାଯାଇଛି। 

ସୋମବାର ସେୟାର ବଜାର ଖୋଲିବାର ମାତ୍ର କିଛି ସମୟ ପରେ ଆଦାନୀ ଗ୍ରୁପର ୧.୨୮ ଲକ୍ଷ କୋଟି ଟଙ୍କା ବୁଡି ଯାଇଛି। ଆଦାନୀଙ୍କ ଅଧିକାଂଶ ସେୟାର ମୂଲ୍ୟରେ ୪ରୁ ୧୭ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଦେଖିବାକୁ ମିଳିଛି। ଏହି ହ୍ରାସ ଯୋଗୁ ଗ୍ରୁପର ବଜାର ପୁଞ୍ଜିକରଣ ( ମାର୍କେଟ କ୍ୟାପିଟାଲ) ୧୬ଲକ୍ଷ କୋଟି ଟଙ୍କାରୁ ତଳକୁ ଖସିଛି। ଏବେ ଆସନ୍ତୁ ଜାଣିବା ଆଦାନୀଙ୍କ କେଉଁ ସେୟାରରେ କେତେ ହ୍ରାସ ଦେଖିବାକୁ ମିଳିଛି।  

ଆଦାନୀ ଗ୍ରୁପ ଫ୍ଲାଗସିପ୍ କମ୍ପାନୀ ଆଦାନୀ ଏଣ୍ଟରପ୍ରାଇଜେସ ସେୟାର ବର୍ତ୍ତମାନ ସମୟରେ ୪ ପ୍ରତିଶତ ହ୍ରାସ ସହିତ ୩୦୬୦ଟଙ୍କାରେ ଦେଖିବାକୁ ମିଳୁଛି। ଏମିତିରେ ବ୍ୟବସାୟୀକ ଅଧିବେଶନ କାଳରେ କମ୍ପାନୀ ସେୟାର ମୂଲ୍ୟରେ ୫.୨୭ ପ୍ରତିଶତ ହ୍ରାସ ସହିତ ୩୦୧୮.୫୫ ଟଙ୍କାରେ ପହଞ୍ଚି ଯାଇଥିଲା। ଶୁକ୍ରବାର କମ୍ପାନୀର ସେୟାର ୩୧୮୬.୮୦ଟଙ୍କାରେ ବନ୍ଦ ହୋଇଥିଲା। ସେହିପରି ଆଦାନୀ ପୋର୍ଟ ଆଣ୍ଡ ଏସଇଜେଡ୍ ସେୟାର ବର୍ତ୍ତମାନ ସମୟରେ ୨.୧୭ ପ୍ରତିଶତ ହ୍ରାସ ସହିତ ୧୫୦୦ ଟଙ୍କାରେ ଦେଖାଯାଉଛି। 

ତେବେ ବ୍ୟବସାୟ କାଳରେ ସେୟାର ମୂଲ୍ୟରେ ୫ ପ୍ରତିଶତ ହ୍ରାସ ସହିତ ୧୪୫୭.୩୫ଟଙ୍କାକୁ ପହଞ୍ଚି ଯାଇଥିଲା। ସେହିପରି ଆଦାନୀ ପାୱାର ସେୟାର ଏବେ ୩.୧୪ ପ୍ରତିଶତ ହ୍ରାସ ସହ ୬୭୩.୨୫ଟଙ୍କାରେ ଦେଖିବାକୁ ମିଳୁଛି। ତେବେ କାରବାର କାଳରେ ୧୧ ପ୍ରତିଶତ ହ୍ରାସ ସହ ୬୧୯ ଟଙ୍କାରେ ପହଞ୍ଚି ଯାଇଥିଲା। ତେବେ ଏହା ପୂର୍ବରୁ ଶୁକ୍ରବାର ସେୟାର ୬୯୫.୧୦ ପଇସାରେ ବନ୍ଦ ହୋଇଥିଲା। ଆଦାନୀ ଏନର୍ଜୀ ସଲ୍ୟୁସନର ସେୟାର ଏବେ ୨.୨୮ ପ୍ରତିଶତ ହ୍ରାସ ସହ ୧୦୭୮.୯୦ଟଙ୍କାରେ ଦେଖିବାକୁ ମିଳୁଛି। ତେବେ କାରବାର କାଳରେ କମ୍ପାନୀ ସେୟାର ୧୭ ପ୍ରତିଶତ ହ୍ରାସ ସହ ୯୧୫.୭୦ଟଙ୍କାରେ ପହଞ୍ଚି ଯାଇଥିଲା। ଶୁକ୍ରବାର କମ୍ପାନୀର ସେୟାର ୧୧୦୪.୧୦ଟଙ୍କାରେ ବନ୍ଦ ହୋଇଥିଲା। 

ଆଦାନୀ ଗ୍ରିନ ଏନର୍ଜୀ ସେୟାର ଏବେ ୩.୧୮ ପ୍ରତିଶତ ହ୍ରାସ ସହ ୧୭୨୩.୪୫ଟଙ୍କାରେ ଦେଖିବାକୁ ମିଳୁଛି। ତେବେ କାରବାର କାଳରେ କମ୍ପାନୀ ସେୟାର ୭ପ୍ରତିଶତ ହ୍ରାସ ସହ ୧୬୫୬.୦୫ ଟଙ୍କାରେ ପହଞ୍ଚି ଯାଇଥିଲା। ଶୁକ୍ରବାର କମ୍ପାନୀ ସେୟାର ୧୭୮୦.୧୦ ଟଙ୍କାରେ ବନ୍ଦ ହୋଇଥିଲା। ଆଦାନୀ ଟୋଟାଲ ଗ୍ୟାସ ସେୟାର ୩.୧୮ପ୍ରତିଶତ ହ୍ରାସ ସହ ୮୨୬.୬୦ ଟଙ୍କାରେ ଦେଖିବାକୁ ମିଳୁଛି। ତେବେ କାରବାର କାଳରେ ୧୩.୩୯ ପ୍ରତିଶତ ହ୍ରାସ ସହ ୭୫୩ଟଙ୍କାରେ ପହଞ୍ଚିଥିଲା। ଶୁକ୍ରବାର କାରବାର ଶେଷ ବେଳକୁ ଏହି ସେୟାର ୮୬୯.୪୫ରେ ବନ୍ଦ ହୋଇଥିଲା। 

ଆଦାନୀ ୱିଲ୍ମର ସେୟାର ୨.୮୨ ପ୍ରତିଶତ ହ୍ରାସ ସହ ୩୭୪ ଟଙ୍କାରେ ରହିଛି। ତେବେ କାରବାର କାଳରେ କମ୍ପାନୀର ସେୟାର ୬.୪୯ ପ୍ରତିଶତ ହ୍ରାସ ସହ ୩୬୦ ଟଙ୍କାକୁ ପହଞ୍ଚି ଯାଇଥିଲା। ଶୁକ୍ରବାର କାରବାର ଶେଷ ବେଳକୁ ଏହି ସେୟାର୩୮୫ ଟଙ୍କାରେ ବନ୍ଦ ହୋଇଥିଲା। ଏସିସି ଲିମିଟେଡ ସେୟାର ୧.୭୬ ପ୍ରତିଶତ ହ୍ରାସ ସହିତ ୨୩୦୯.୫୫ ଟଙ୍କାରେ ଦେଖିବାକୁ ମିଳୁଛି। ତେବେ କାରବାର କାଳରେ ୨.୪୨ ପ୍ରତିଶତ ହ୍ରାସ ସହ ୨୨୯୩.୮୦ ଟଙ୍କାକୁ ଖସିଥିଲା। ଶୁକ୍ରବାର କମ୍ପାନୀର ସେୟାର ୨୩୫୦.୮୫ ଟଙ୍କାରେ ବନ୍ଦ ହୋଇଥିଲା। 

ସେହିପରି ଅମ୍ବୁଜା ସିମେଣ୍ଟ ସେୟାର ମୂଲ୍ୟରେ ୦.୩୬ହ୍ରାସ ସହିତ୬୨୯.୯୫ ଟଙ୍କାରେ ରହିଛି। ତେବେ କାରବାର କାଳରେ କମ୍ପାନୀର ସେୟାର ୨.୫୩ପ୍ରତିଶତ ହ୍ରାସ ସହିତ ୬୧୬.୨୦ ଟଙ୍କାରେ ପହଞ୍ଚିଥିଲା। ଶୁକ୍ରବାର କମ୍ପାନୀର ସେୟାର ୬୩୨.୨୫ଟଙ୍କାରେ ବନ୍ଦ ହୋଇଥିଲା। ଏନଡିଟିଭି ସେୟାର ୩.୧୧ ପ୍ରତିଶତ ହ୍ରାସ ସହିତ ୨୦୨.୭୫ ଟଙ୍କାରେ ଦେଖାଯାଉଛି। ତେବେ କାରବାର କାଳରେ ୧୧ ପ୍ରତିଶତ ହ୍ରାସ ସହିତ ୧୮୬.୧୫ଟଙ୍କାକୁ ଖସିଥିଲା। ଶୁକ୍ରବାର କମ୍ପାନୀର ସେୟାର ୨୦୯.୨୫ ଟଙ୍କାରେ ବନ୍ଦ ହୋଇଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.