ହିମାଳୟ ବଢ଼ାଇଲା ଚିନ୍ତା! ପ୍ରାକୃତିକ ପରିସ୍ଥିତି ଜାରି ରହିଲେ କେବଳ ଭାରତ ନୁହେଁ ପାକିସ୍ତାନ ମଧ୍ୟ ଭୋଗିବ ଗୁରୁତର ସଂକଟ

Published By : Prameya-News7 Bureau | December 21, 2021 IST

ନୂଆଦିଲ୍ଲୀ ୨୧।୧୨: ହିମାଳୟ ଏବେ ନୂଆ ଚିନ୍ତାର କାରଣ ପାଲଟିଛି। ଏଥିରେ ଥିବା ଗ୍ଲେସିୟରମାନଙ୍କ ଅଧ୍ୟୟନରୁ ଯେଉଁ ତଥ୍ୟ ମିଳିଛି ତାହା ଉଦବେଗଜନକ। ହିମାଳୟର ଗ୍ଲେସିୟର ଯେଉଁ ହାରରେ ତରଳିବାରେ ଲାଗିଛନ୍ତି ଏଥିରୁ ଆଗାମୀ ଦିନମାନଙ୍କରେ ଗୁରୁତର ଜଳ ସଂକଟର ସୂଚନା ମିଳିଲାଣି। କୋଟି କୋଟି ଭାରତୀୟଙ୍କ ତୃଷା ନିବାରଣ କରୁଥିବା ହିମାଳୟର ଗ୍ଲେସିୟର ଅସାଧାରଣ ଭାବେ ତରଳି ନଦୀରେ ବହିବାରେ ଲାଗିଛନ୍ତି।

ସଦ୍ୟ ଗବେଷଣାରୁ ତରଳୁଥିବା ହିମାଳୟ ଆଗକୁ ଗୁରୁତର ଜଳ ସଂକଟର କାରଣ ହୋଇପାରେ ବୋଲି କୁହାଯାଇଛି। ଅନେକ ଶତାବ୍ଦୀ ଧରି  ହିମାଳୟ ଘୋଡେଇ ହୋଇ ରହିଥିବା ବରଫ ଚାଦର କ୍ରମଶଃ ହ୍ରାସ ହେବାରେ ଲାଗିଛି। ବରଫ ଯେଉଁ ହାରରେ ହ୍ରାସ ହେଉଥିଲା ଗତ ୪ ଦଶନ୍ଧୀରେ ଏହି ହାର ଆହୁରି ବଢି ଯାଇଛି। ଏଣୁ ଏସିଆରେ ଗଙ୍ଗା, ବ୍ରହ୍ମପୁତ୍ର ଓ ସିନ୍ଧୁନଦୀ କୂଳରେ ବସବାସ କରୁଥିବା କୋଟି କୋଟି ଲୋକେ ପାଣି ପାଇଁ ଡହଳବିକଳ ହେବା ଆଗାମୀ ଦିନରେ ଏକ ସାଧାରଣ ଘଟଣାରେ ପରିଣତ ହେବା ଏକ ପ୍ରକାର ନିଶ୍ଚିତ ବୋଲି ଗବେଷକ ଚେତାଇ ଦେଇଛନ୍ତି।

{"id":562975,"sizeSlug":"full","linkDestination":"none"}

ବୈଜ୍ଞାନିକଙ୍କ ଅନୁସାରେ ୨୦୨୦ ମସିହାରୁ ହିମାଳୟର ଗ୍ଲେସିୟରର ତରଳିବା ହାର ୧୦ ଗୁଣା ବଢ଼ି ଯାଇଛି। ଏତେ ଦ୍ରୁତ ବରଫ ତରଳିବା ଉଭୟ ଭାରତ ଓ ପାକିସ୍ତାନ ଲାଗି ନୂଆ ଆହ୍ୱାନ ବୋଲି କୁହାଯାଇଛି। ଜର୍ଣ୍ଣାଲ ସାଇଣ୍ଟିଫିକ୍ ରିପୋର୍ଟସ୍‌ରେ ସୋମବାର  ବୈଜ୍ଞାନିକଙ୍କ ଏହି ଅଧ୍ୟୟନ ପ୍ରକାଶ ପାଇଛି। ହିମାଳୟକୁ ଘୋଡାଇ ରଖିଥିବା ପ୍ରାୟ ୧୫ ହଜାର ବରଫ ଚାଦର ଏବେ ପ୍ରଭାବିତ ହୋଇଛି। ଏହି ବରଫଚାଦରରେ ହେଉଥିବା କ୍ଷତି ଏପର୍ଯ୍ୟନ୍ତ ବିଶ୍ୱରେ ଅନ୍ୟ କେଉଁଠି ଦେଖାଯାଇ ନଥିବା ବୈଜ୍ଞାନିକ କହିଛନ୍ତି।

ହିମାଳୟ ପାର୍ବତ୍ୟମାଳାକୁ ବିଶ୍ୱର ତୃତୀୟ ମେରୁ ବୋଲି ମଧ୍ୟ କୁହାଯାଏ। କାରଣ ଆଣ୍ଟାର୍କଟିକା ଓ ଆର୍କଟିକ୍‌ ପରେ ହିମାଳୟରେ ରହିଛି ବିଶ୍ୱର ତୃତୀୟ ବଡ ଗ୍ଲେସିୟର। ଏଥିରେ ବିପୁଳ ପରିମାଣର ବରଫ ଜମି ରହିଛି। ହେଲେ ଗତ ୨୦ ବର୍ଷ ହେଲା ହିମାଳୟ ଯେଉଁଭଳି ତରଳିବାରେ ଲାଗିଛି ଏଥିରୁ ମାନବତା ଲାଗି ଗୁରୁତର ସଂକଟ ଘନଉଥିବା ବୈଜ୍ଞାନିକମାନେ ଚେତାଇ ଦେଇଛନ୍ତି। ହିମାଳୟରୁ ବରଫ ଶେଷ ହୋଇଗଲେ ଦକ୍ଷିଣ ଏସିୟାର ବିଶାଳ ଅଞ୍ଚଳରେ କୃଷି ଓ ପାନୀୟ ଜଳ ପାଇଁ ହାହାକାର ପଡିଯିବ।

{"id":562977,"sizeSlug":"full","linkDestination":"none"}

ସେହିପରି ହିମାଳୟ ଯେଉଁପରି ତରଳୁଛି ସମୁଦ୍ରରେ ଜଳସ୍ତର ମଧ୍ୟ ବଢିଯିବାର ଆଶଙ୍କା କରାଗଲାଣି। ଏଣୁ ଦେଶର ଉପକୂଳ ସହରମାନଙ୍କ ଉପରେ ସମୁଦ୍ର ଜଳସ୍ତର ବୃଦ୍ଧିର ବିପଦ ଘନେଇବାରେ ଲାଗିଛି। ଇତିମଧ୍ୟରେ ହିମାଳୟରୁ ୪୦ ପ୍ରତିଶତ ବରଫ ତରଳି ସାରିଥିବାର ବୈଜ୍ଞାନିକ କହିଛନ୍ତି। ଏଥିରୁ ହିମାଳାୟ ଯେତେବେଳେ ଶତପ୍ରତିଶତ ବରଫରେ ଘୋଡେଇ ହୋଇ ରହିଥିଲା ସେତେବେଳେ ୨୮ ହଜାର ବର୍ଗ କିଲୋମିଟର ବ୍ୟାପି ଅଞ୍ଚଳ ବରଫରେ ଆଛାଦିତ ଥିଲା।   ଏବେ ମାତ୍ର ୧୯ ହଜାର ୬୦୦ ବର୍ଗ କିଲୋମିଟର ଅଞ୍ଚଳରେ ବରଫ ଥିବା ବୈଜ୍ଞାନିକ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.