ନୂଆ ବର୍ଷ କ୍ରେଜ୍; ହିମାଚଳରେ ବଢୁଛି ପର୍ଯ୍ୟଟକଙ୍କ ସଂଖ୍ୟା, ଅଟଳ ଟର୍ଣ୍ଣେଲରେ ରେକର୍ଡ ସଂଖ୍ୟକ ଗାଡ଼ି ପ୍ରବେଶ
26/12/2022 at 11:32 AM

ମନାଲି: ନୂଆ ବର୍ଷ ପୂର୍ବରୁ ହିମାଚଳ ପ୍ରଦେଶରେ ବଢୁଛି ପର୍ଯ୍ୟଟକଙ୍କ ସଂଖ୍ୟା । ନୂତନ ବର୍ଷକୁ ସେଲିବ୍ରେସନ କରିବାକୁ ଦେଶର କୋଣ ଅନୁକୋଣରୁ ହିମାଳୟ ପାଦଦେଶକୁ ଆସୁଛନ୍ତି ପ୍ରକୃତି ପ୍ରେମୀ । ମନାଲି ସହିତ ବରଫ କ୍ଷେତ୍ରର ଅନ୍ୟ ପର୍ଯ୍ୟଟନସ୍ଥଳୀ ଗୁଡ଼ିକରେ ଲୋକଙ୍କ ଭିଡ଼ ଲାଗୁଛି । ଖ୍ରୀଷ୍ଟମାସରେ ଅଟଳ ଟର୍ଣ୍ଣେଲ ତଥା ରୋହତାଙ୍ଗ ଘାଟିରେ ରେକର୍ଡ ସଂଖ୍ୟାରେ ଗାଡ଼଼ି ଯାତାୟତ କରିଛି ।
ଲାହୌଲ ପୋଲିସର ସୂଚନା ଅନୁଯାୟୀ, ହିମାଳୟରେ ବରଫ ଅଞ୍ଚଳରେ ମଜା ନେବାକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି । ନୂଆ ବର୍ଷରେ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ଦେଶର କୋଣ ଅନୁକୋଣରୁ ଧାଇଁ ଆସୁଛନ୍ତି ଲୋକ । ତେବେ ବଡ଼ଦିନରେ ସିମ୍ଲାର ମନାଲି ରେକର୍ଡ ସଂଖ୍ୟକ ପର୍ଯ୍ୟଟକ ପହଞ୍ଚିଛନ୍ତି । ୪୮ ଘଣ୍ଟା ମଧ୍ୟରେ ପ୍ରାୟ ୩୦ହଜାରରୁ ଅଧିକ ଗାଡ଼ି ଅଟଳ ଟର୍ଣ୍ଣେଲ ବା ରୋହତାଙ୍ଗ ଘାଟିରେ ପ୍ରବେଶ କରିଛି। ୨୪ ଡିସେମ୍ବର ସକାଳ ୮ଟାରୁ ୨୫ତାରିଖ ୮ଟା ମଧ୍ୟରେ ୧୦,୫୧୯ଟି ଗାଡ଼ି ପାସ୍ କରଛି। ଏଥିମଧ୍ୟରୁ ୪,୦୨୩ଟି ଗାଡ଼ି ଅଟଳ ଟର୍ଣ୍ଣେଲରେ ପ୍ରବେଶ କରିଛି । ସେହିପରି ୩,୪୩୭ଟି ଗାଡ଼ି ଘାଟିରୁ ବାହାରକୁ ଆସିଛି । ସେହିପରି ୨୪ ଘଣ୍ଟା ମଧ୍ୟରେ ଲାହୌଲ ଘାଟିରେ ୫,୬୩୫ଟି ଗାଡ଼ି ପ୍ରବେଶ କରିଛି । ଆଇନଶୃଙ୍ଖଳା ସ୍ଥିତି ପାଇଁ ଲାହୌଲ ସେକ୍ଟରରେ ପୋଲିସ ଓ ଯବାନ ନିୟୋଜିତ ହୋଇଛନ୍ତି ।
୨୫ରୁ ୨୬ ତାରିଖ ୨୪ ଘଣ୍ଟା ମଧ୍ୟରେ ଅଟଳ ଟର୍ଣ୍ଣେଲରେ ସର୍ବାଧିକ ଗାଡ଼ି ପ୍ରବେଶ କରିଛି । ୧୯,୩୮୩ଟି ଗାଡି ଯାତାୟତ କରିଛି । ହିମାଚଳ ପ୍ରଦେଶର ୬,୧୨୦ଟି ଏହି ଘାଟିରେ ଦେଇ ପାସ୍ ହୋଇଥିବା ବେଳେ ୫,୧୯୮ଟି ମନାଲିରୁ ପ୍ରବେଶ କରିଛନ୍ତି । ସେହିପରି ଲାହୌଲ ଘାଟିରେ ୧୦ହଜାରରୁ ଅଧିକ ପର୍ଯ୍ୟଟକ ଗାଡ଼ି ପ୍ରବେଶ କରଛି । ନୂଆ ବର୍ଷ ପାଇଁ ବଢୁଛି ପର୍ଯ୍ୟଟକଙ୍କ ସଂଖ୍ୟା ବଢୁଥିବାରୁ ହୋଟେଲ ସବୁ ଭର୍ତ୍ତି ହୋଇଛି ।