ହିମାଚଳ ପ୍ରଦେଶ ପୋଲିସ୍ ନିଯୁକ୍ତି ଘୋଟାଲା: ୭ ରାଜ୍ୟର ୫୦ଟି ସିବିଆଇ ରେଡ୍
31/01/2023 at 10:36 PM

ନୂଆଦିଲ୍ଲୀ, ୩୧/୦୧: ହିମାଚଳ ପ୍ରଦେଶ ପୋଲିସ୍ ନିଯୁକ୍ତି ଘୋଟାଲା ମାମଲାରେ ସିବିଆଇର ବଡ଼ ଆକ୍ସନ। ମଙ୍ଗଳବାର ସିବିଆଇ ଏହି ଘୋଟଲା ମାମଲାରେ ୭ ରାଜ୍ୟର ପ୍ରାୟ ୫୦ଟି ସ୍ଥାନରେ ସର୍ଚ୍ଚ ଅପରେସନ ଜାରି ରଖିଛି। ସୂଚନାଯୋଗ୍ୟ, ହିମାଚଳ ପ୍ରଦେଶରେ ପୋଲିସ୍ ଭର୍ତ୍ତିରେ ବ୍ୟାପକ ଘୋଟାଲା ହୋଇଥିଲା ତଥା ନିଯୁକ୍ତି ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହୋଇଥିଲା।
ସେହି ପ୍ରଶ୍ନପତ୍ର ଲିକ୍ ସହ ଜଡ଼ିତ ମାମଲାରେ ସମୟରେ ମିଳିଥିବା ପ୍ରମାଣ ଏବଂ ରୁଜୁ ହୋଇଥିବା ବୟାନ ଆଧାରରେ ସିବିଆଇ ଟିମ୍ ବିହାର, ଉତ୍ତରାଖଣ୍ଡ, ଦିଲ୍ଲୀ, ପଞ୍ଜାବ, ହରିୟାଣା ସହ କେନ୍ଦ୍ର ଶାସିତ ଅଞ୍ଚଳର ୫୦ ସ୍ଥାନରେ ରେଡ୍ କରିଛି। ଏହି ରେଡ୍ରୁ ଅନେକ ପ୍ରମାଣ ଏବଂ ଦସ୍ତାବିଜ୍ ମଧ୍ୟ ମିଳିଛି।
ସିବିଆଇ ସୂତ୍ର ଅନୁଯାୟୀ, ଗତ ବର୍ଷ ୩୦ ଡିସେମ୍ବରରେ ଏଜେନ୍ସୀ ହିମାଚଳ ପ୍ରଦେଶରୁ ରାଜ୍ୟପାଳଙ୍କ ନିର୍ଦ୍ଧେଶରେ ପୋଲିସ୍ ନିଯୁକ୍ତି ଘୋଟାଲାରେ ଦୁଇଟି ଏଫଆଇଆର ରୁଜୁ କରିଥିଲା। ଏହି ପରୀକ୍ଷା ୨୭ ମାର୍ଚ୍ଚ ୨୦୨୨ ରେ ହୋଇଥିଲା। କିନ୍ତୁ ପରୀକ୍ଷା ହେବା ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ହୋଇଥିଲା।
ପରେ ଏହି ମାମଲାରେ ଅନେକ ସାଂଘାତିକ ତଥ୍ୟ। ଜଣାପଡ଼ିଥିଲା ଯେ ପରୀକ୍ଷା ପୂର୍ବରୁ ଲକ୍ଷାଧିକ ଟଙ୍କାରେ ପ୍ରଶ୍ନ ପତ୍ର ବିକ୍ରି ହୋଇଥିଲା। ତେଣୁ ଘଟଣାର ଗମ୍ଭୀରତାକୁ ଦେଖି ପୋଲିସ୍ ମାମଲାରେ ରୁଜୁ ହୋଇଥିବା ଏଫଆଇଆର ଆଧାରରେ ଯାଞ୍ଚ ବଢ଼ିଥିଲା ଆଉ ଅନେକ ନୂଆ ଖୁଲାସା ହୋଇଥିଲା। ପୋଲିସ୍ ସେହି ଆଶାୟୀଙ୍କୁ ଡକାଇ ପଚରା ଉଚରା କରିଥିଲା ଯେଉଁମାନେ ହଠାତ୍ ଅଧିକ ସଂଖ୍ୟାରେ ମାର୍କ ରଖିଥିଲେ। ସେମାନଙ୍କର ଦଶମ ଏବଂ ଦ୍ବାଦଶ ମାର୍କ କିନ୍ତୁ ସ୍ବାଭାବିକ ଥିଲା। ଏହିଭଳି ତିନି ଛାତ୍ରଙ୍କ ଠାରୁ ପ୍ରଶ୍ନ ପତ୍ର ଲକ୍ଷାଧିକ ଟଙ୍କାରେ କିଣିଥିବା ନେଇ ଘଟଣା ଜଣାପଡ଼ିଥିଲା।
ଏହି ସମୟରେ ଅନେକ ଦଲାଲଙ୍କ ସହ ଅନ୍ୟ ଅଭିଯୁକ୍ତଙ୍କ ଭୂମିକା ମଧ୍ୟ ସାମ୍ନାକୁ ଆସିଥିଲା। ଏମାନେ ବିହାର, ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶ, ଦିଲ୍ଳୀ, ହରିୟାଣାର ବାସିନ୍ଦା। ଏହି କାରଣରୁ ସିବିଆଇ ଏକ ବଡ଼ ସର୍ଚ୍ଚ ଅପରେସନ କରିଛି। ସିବିଆଇ ତଦନ୍ତରୁ ଜଣାପଡ଼ିଛି ଏହି ରାଜ୍ୟରେ କିଛି ଗ୍ୟାଙ୍ଗ ଏହିଭଳି ପରୀକ୍ଷା ପ୍ରଶ୍ନପତ୍ରକୁ ଲିକ୍ କରୁଛନ୍ତି।