ହିମାଚଳ ପ୍ରଦେଶ ନିର୍ବାଚନ ପୂର୍ବରୁ ଆସିଲା ଦାଗି ନେତାଙ୍କ ତାଲିକା, ୪୧୨ ପ୍ରାର୍ଥୀଙ୍କ ମଧ୍ୟରୁ ୯୪ଙ୍କ ନାଁରେ ଅପରାଧିକ ମାମଲା, ସବୁଠୁ ଆଗରେ ସିପିଆଇ

Published By : Prameya-News7 Bureau | November 11, 2022 IST

ଧର୍ମଶାଳା: ଶନିବାର ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ । ପହାଡ଼ି ଇଲାକାରେ ପାଞ୍ଚ ବର୍ଷ ପାଇଁ ନେତା ବାଛିବେ ହିମାଚଳବାସୀ । ଗଣତନ୍ତ୍ରର ଏହି ମହାପର୍ବରେ ନିଜ ସମର୍ଥିତ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଦେବେ ଭୋଟର । ହେଲେ ଏହା ପୂର୍ବରୁ ସାମ୍ନାକୁ ଆସିଛି ଦାଗି ନେତାଙ୍କ ତାଲିକା । ମୋଟ୍ ୪୧୨ ପ୍ରାର୍ଥୀଙ୍କ ମଧ୍ୟରୁ ୯୪ଜଣଙ୍କ ନାଁରେ ରହିଛି ଅପରାଧିକ ମାମଲା । ଏଥିମଧ୍ୟରୁ ୫୦ ଜଣଙ୍କ ନାଁରେ ରହିଛି ହତ୍ୟା ଭଳି ମାମଲା ।

ହିମାଚଳ ପ୍ରଦେଶରେ ବିଭିନ୍ନ ଦଳରୁ ମୋଟ୍ ୪୧୨ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି । ଏମାନଙ୍କ ମଧ୍ୟରୁ ୯୪ରୁ ଅଧିକ ପ୍ରାର୍ଥୀଙ୍କ ନାଁରେ ବିଭିନ୍ନ ଅପରାଧିକ ମାମଲା ରହିଛି । ସେହିପରି ୫୦ଜଣ ପ୍ରାର୍ଥୀଙ୍କ ନାଁରେ ହତ୍ୟା, ହତ୍ୟା ଉଦ୍ୟମ, ଦଙ୍ଗା ପାଇଁ ଉସକାଇବା ଓ ଶୋଷଣ ଭଳି ଗମ୍ଭୀର ମାମଲା ରହିଛି । ତେବେ ଅପରାଧିକ ମାମଲା ଥିବା ପ୍ରାର୍ଥୀଙ୍କ ମଧ୍ୟରେ ସିପିଆଇ ସବୁଠାରୁ ଆଗରେ ରହିଛି । ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ସିପିଆଇ ମୋଟ୍ ୧୧ଟି ସିଟ୍‌ରେ ପ୍ରାର୍ଥୀ ଦେଇଛି । ଏଥିମଧ୍ୟରୁ ୭ଜଣଙ୍କ ନାଁରେ ରହିଛି ବିଭିନ୍ନ ମାମଲା । ଯାହା ମୋଟ୍ ପ୍ରାର୍ଥୀ  ସଂଖ୍ୟାର ୬୪ ପ୍ରତିଶତ । ଏହା ପଛକୁ ରହିଛି କଂଗ୍ରେସ । ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ୬୮ଟି ଆସନରେ ପ୍ରାର୍ଥୀ ଦେଇଛି । ଏଥିମଧ୍ୟରୁ ୩୬ଜଣ ଦାଗି ନେତା ରହିଛନ୍ତି । ଯାହା ମୋଟ୍ ପ୍ରାର୍ଥୀର ୫୩ ପ୍ରତିଶତ । ସେହିପରି ୩ନମ୍ବର ସ୍ଥାନରେ ରହିଛି ବିଜେପି ଓ ଅମ୍ ଆଦମୀ ପାର୍ଟି । ଭାରତୀୟ ଜନତା ପାର୍ଟିର ୬୮ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୨ଜଣ ଦାଗି ରହିଥିବାବେଳେ ଓ ଆପ୍‌ର ୬୭ଜଣ ମଧ୍ୟରୁ ୧୨ ଜଣକ ନାଁରେ ରହିଛି ଅପରାଧିକ ମାମଲା ।

୨୦୧୭ରେ ବିଭିନ୍ନ ଦଳରୁ ମୋଟ୍ ୩୩୮ଜଣ ପ୍ରାର୍ଥୀ ନିର୍ବାଚନ ଲଢିଥିଲେ । ଏମାନଙ୍କ ମଧ୍ୟରୁ ୬୧ଜଣଙ୍କ ନାଁରେ ଅପରାଧିକ ମାମଲା ରହିଥିଲା । ଯାହା ମୋଟ୍ ପ୍ରାର୍ଥୀ ସଂଖ୍ୟାର ୧୮ ପ୍ରତିଶତ । ତେବେ ଚଳିତ ଥର ଦାଗି ପ୍ରାର୍ଥୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ୨୦୨୨ ବିଧାନସଭା ନିର୍ବାଚନରେ ୨୩ ପ୍ରତିଶତ ପ୍ରାର୍ଥୀ ଅପରାଧିକ ତାଲିକାରେ ରହିଛନ୍ତି ।

ହିମାଚଳ ପ୍ରଦେଶ ବିଧାନସଭା ତାରିଖ ନିର୍ବାଚନ ଘୋଷଣା ହେବା ପରେ ବିଜେପି ଓ କଂଗ୍ରେସ ମଧ୍ୟରେ ଟକ୍କର ହେବା ନେଇ ଚର୍ଚ୍ଚା ହେଉଥିଲା । ମାତ୍ର ପ୍ରଚାର ଶେଷ ହେବା ପରେ ଏଠାରେ ବିଜେପି-କଂଗ୍ରେସ-ଆପ୍ ମଧ୍ୟରେ ତ୍ରିକୋଣୀୟ ଲଢେଇ ହେବା ନେଇ ଆଲୋଚନା ହେଉଛି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.