ସିମ୍‌ଲା ବିଧାୟକ ବିକ୍ରମାଦିତ୍ୟ ସିଂଙ୍କୁ ସମନ, ପତ୍ନୀଙ୍କୁ ନିର୍ଯାତନା ଅଭିଯୋଗ ପରେ ନୋଟିସ୍ ଜାରି କଲେ କୋର୍ଟ

Published By : Prameya-News7 Bureau | December 16, 2022 IST

ସିମ୍‌ଲା: ହିମାଚଳ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଓ ବିଧାୟକ ପୁଅଙ୍କ ଉପରେ ନିର୍ଯାତନା ମାମଲା । ଅଭିଯୋଗ ପରେ ସିମ୍‌ଲା ବିଧାୟକଙ୍କୁ ସମନ ଜାରି କଲେ କୋର୍ଟ । ବିକ୍ରମାଦିତ୍ୟ ସିଂଙ୍କ ପତ୍ନୀ ସୁଦର୍ଶନ ସିଂ ଚୂଣ୍ଡାବତ ନିଜ ସ୍ବାମୀ, ଶାଶୁ ପ୍ରତିଭା ସିଂ, ନଣନ୍ଦ ଅପରାଜିତା ଏବଂ ଦିଅର ଅଙ୍ଗଦ ସିଂଙ୍କ ନାଁରେ ଘରୋଇ ହିଂସା ଓ ନିର୍ଯାତନା ଅଭିଯୋଗ ଆଣିଛନ୍ତି ।

ସୂଚନା ଅନୁଯାୟୀ, ହିମାଚଳର ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂଙ୍କ ପୁଅ ବିକ୍ରମାଦିତ୍ୟ ସିଂଙ୍କ ନାଁରେ ପତ୍ନୀ ନିର୍ଯାତନା ମାମଲା ଦାୟର କରିଥିଲେ।  ଅଭିଯୋଗ ଆସିବା ପରେ ରାଜସ୍ଥାନ ଉଦୟପୁର ଜିଲ୍ଲା କୋର୍ଟ ଓ ଏକ ଫ୍ୟାମିଲି କୋର୍ଟ ପଚରାଉଚରା ପାଇଁ ସମନ ଜାରି କରିଛନ୍ତି । ବିକ୍ରମାଦିତ୍ୟ ସିଂ ଏବେ ସିମ୍‌ଲାର ବିଧାୟକ ଅଛନ୍ତି । ସୁଦର୍ଶନ ସିଂ ଚୂଣ୍ଡାବତଙ୍କୁ ସ୍ବାମୀ ବିକ୍ରମାଦିତ୍ୟ ଓ ତାଙ୍କ ପରିବାର ଲୋକ ନିର୍ଯାତନା ଦେଉଥିଲେ । ଅନ୍ୟପଟେ ବିକ୍ରମାଦିତ୍ୟଙ୍କର ଗଣ୍ଡିଗଡ଼ରେ ଜଣେ ମହିଳାଙ୍କ ସହିତ ସଂପର୍କ ରହିଛି ବୋଲି ପତ୍ନୀ ଅଭିଯୋଗ ଲଗାଇଛନ୍ତି । ବିବାହ ପରେ ବିକ୍ରମାଦିତ୍ୟ ତାଙ୍କ ଉପରେ ନଜର ରଖିବା ପାଇଁ ଘରେ ସିସିଟିଭି କ୍ୟାମେରା ଫିଟ୍ କରିଥିଲେ ବୋଲି ସୁଦର୍ଶନ ସିଂ କହିଛନ୍ତି ।

ସୁଦର୍ଶନଙ୍କ ଅଭିଯୋଗ ପରେ ଜାନୁଆରୀ ମାସରେ ରାଜସ୍ଥାନର ଉଦୟପୁର ଜିଲ୍ଲା କୋର୍ଟରେ ହାଜର ହେବାକୁ ବିକ୍ରମାଦିତ୍ୟଙ୍କୁ ନୋଟିସ୍ ଜାରି ହୋଇଛି । ସେହିପରି ଭରଣ ପୋଷଣ ମାମଲା ଏକ ଫ୍ୟାମିଲ୍ କୋର୍ଟରେ ହାଜର ହେବା ଲାଗି ସମନ ଜାରି ହୋଇଛି ।

ବିକ୍ରମାଦିତ୍ୟଙ୍କ ସହିତ ସୁଦର୍ଶନ ସିଂଙ୍କ ୨୦୧୯ ମସିହାରେ ବିବାହ ହୋଇଥିଲା । ବାହାଘର କିଛି ଦିନ ମଧ୍ୟରେ ପରିବାର ଲୋକ ଯୌତୁକ ନିର୍ଯାତନା ଦେଇଥିଲେ । ଶ୍ବଶୁର ବୀରଭଦ୍ର ସିଂଙ୍କ ମୃତ୍ୟୁ ପରେ ବିକ୍ରମାଦିତ୍ୟ ପତ୍ନୀଙ୍କୁ ୧୦କୋଟି ଟଙ୍କା ଡିମାଣ୍ଡ କରିଥିଲେ ବୋଲି ସୁଦର୍ଶନ ଅଭିଯୋଗ କରିଛନ୍ତି ।

ବିକ୍ରମାଦିତ୍ୟଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ବନା ଜାରି ହୋଇଥିବା ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି । ଏହାକୁ ନେଇ ମୁହଁ ଖୋଲିଛନ୍ତି ବିକ୍ରମାଦିତ୍ୟ। ତାଙ୍କ ପରିବାର ନାଁରେ କୌଣସି ସମନ ଜାରି ହୋଇନାହିଁ ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.