ସୁଖୁଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣକୁ ନେଇ ହିମାଚଳ କଂଗ୍ରେସରେ ଅସନ୍ତୋଷ, ମସ୍ତକ ମୁଣ୍ଡନ କରି ବିରୋଧ ପ୍ରଦର୍ଶନ କଲେ ନେତା

Published By : Prameya-News7 Bureau | January 10, 2023 IST

ଶିମଲା ୧୦।୧: ହିମାଚଳ ପ୍ରଦେଶରେ ସରକାର ଗଠନ ପରେ ବି କଂଗ୍ରେସର ସମସ୍ୟା ଟଳିନି। ଯେବେଠୁ ପ୍ରଥମ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇଛି ସେବେଠୁ ନେତାଙ୍କ ଅସନ୍ତୋଷ ସାମ୍ନାକୁ ଆସିବାରେ ଲାଗିଛି। ଏଥିରେ ଜଣେ ନେତା ବିରୋଧ କରିବା ଲାଗି ନିଜ ମସ୍ତକ ମୁଣ୍ଡନ କରିଛନ୍ତି। ଏହି ଭିଡିଓ ଏବେ ଭାଇରାଲ ହୋଇଯାଇଛି। ଏହି କଂଗ୍ରେସ ନେତାଙ୍କ ନାମ ସୁଭାଷ ଶର୍ମା ଯିଏ ରାଜେଶ ଧର୍ମାଣୀଙ୍କ ନିକଟତମ ବୋଲି କୁହାଯାଉଛି।

ସୁଖବିନ୍ଦର ସିଂହ ସୁଖୁ ସରକାରଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପରଠାରୁ ରାଜ୍ୟ କଂଗ୍ରେସରେ ଅସନ୍ତୋଷ ଏବେ ଚରମ ସୀମାରେ ପହଞ୍ଚିଛି। ମନ୍ତ୍ରିମଣ୍ଡଳରେ ଜାଗା ନ ମିଳିବାରୁ କଂଗ୍ରେସର ଦୁଇ ସାଧାରଣ ସମ୍ପାଦକ ତଥା ବିଧାୟକ ସୁଧୀର ଶର୍ମା ଓ ରାଜେଶ ଧର୍ମାଣୀ ଏବେ ଖୋଲାଖୋଲି ହାଇକମାଣ୍ଡଙ୍କ ବିରୋଧ କରିବା ଆରମ୍ଭ କରିଦେଇଛନ୍ତି। ତେବେ ସେମାନଙ୍କ ଅସନ୍ତୋଷର ମଧ୍ୟ ଭିନ୍ନ କାରଣ ରହିଛି। ନୂଆ ମନ୍ତ୍ରୀଙ୍କ ସୂଚୀରେ ପ୍ରଥମରୁ ଦୁଇ ସାଧାରଣ ସମ୍ପାଦକଙ୍କ ନାମ ଥିଲା। ତେବେ ଶେଷ ସମୟରେ ସେମାନଙ୍କ ନାମ ବାଦ ଦିଆଯାଇଥିବାରୁ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ତେବେ ବିରୋଧ କରିବାକୁ ଯାଇ ସୁଭାଷ ଶର୍ମା ମସ୍ତକ ମୁଣ୍ଡନ କରିଥିବା ବେଳେ ଅନ୍ୟମାନଙ୍କୁ ମଧ୍ୟ ଶାନ୍ତିପୂର୍ଣ୍ଣ ଭାବେ ବିରୋଧ କରିବାକୁ ନିବେଦନ କରିଛନ୍ତି। ଏଥିରେ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ କଣ କରୁଛନ୍ତି ତା ଉପରେ ଏବେ ସମସ୍ତଙ୍କ ନଜର। ଉଲ୍ଲେଖଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ସମ୍ଭାବିତ ମନ୍ତ୍ରୀମାନଙ୍କର ଯେଉଁ ସୂଚୀ ହାଇକମାଣ୍ଡଙ୍କୁ ଦେଇଥିଲେ ସେଥିରେ ୨ ବିଧାୟକ ତଥା ସାଧାରଣ ସମ୍ପାଦକଙ୍କ ନାମ ମଧ୍ୟ ଥିଲା। ଶନିବାର ସେମାନଙ୍କୁ ଫୋନ କରି କେଉଁ ବିଭାଗ ନେବା ପାଇଁ ଅଗ୍ରହୀ ତାହା ମଧ୍ୟ ପଚରା ଯାଇଥିଲା।

{"id":731680,"width":839,"height":472,"sizeSlug":"full","linkDestination":"none"}

ଏଣୁ ୨ ସାଧାରଣ ସମ୍ପାଦକ ମନ୍ତ୍ରୀ ହେବା ଲାଗି ଶପଥ ପାଠ ଉତ୍ସବ ଦିନ କାଙ୍ଗଡା ଓ ଧୂମାରବୀରୁ ଶିମଲା ଉଦ୍ଦେଶ୍ୟରେ ମଧ୍ୟ ବାହାରିଥିଲେ। ତେବେ ରାସ୍ତାରେ ସେମାନଙ୍କ ନାମ ମନ୍ତ୍ରୀ ସୂଚନାରେ ନଥିବା ଜାଣିବା ପରେ ଫେରିଯାଇଥିଲେ। ମନ୍ତ୍ରୀମଣ୍ଡଳରେ ସାମିଲ କରିବା ଦୂରର କଥା ଏକଦା ବୀରଭଦ୍ର ସିଂହଙ୍କ ନିକଟତମ ଥିବା ସୁଧୀର ଶର୍ମାଙ୍କ ସଂସଦୀୟ ସମ୍ପାଦକ ଦାୟିତ୍ୱ ମଧ୍ୟ ଦିଆଯାଇନି। ଉଲ୍ଲେଖ ଯୋଗ୍ୟ ଯେ ସୁଧୀର ଶର୍ମା ୨୦୧୨ ବୀରଭଦ୍ର ସିଂହଙ୍କ ମନ୍ତ୍ରୀମଣ୍ଡଳରେ କ୍ୟାବିନେଟ୍ ମନ୍ତ୍ରୀ ଥିଲେ।

ପାର୍ଟି ସୂତ୍ର ଅନୁସାରେ ବିରୋଧୀ କ୍ୟାମ୍ପ ସୁଧୀର ଶର୍ମାଙ୍କୁ କ୍ୟାବିନେଟରେ ସାମିଲକୁ ବିରୋଧ କରୁଥିଲେ। ଏହା ପୂର୍ବରୁ ଟିକେଟ୍ ଆବଣ୍ଟନ ସମୟରେ ମଧ୍ୟ ତାଙ୍କର ବିରୋଧ ହୋଇଥିଲା। ତେବେ ତତ୍କାଳୀନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ତାଙ୍କୁ ଟିକେଟ୍ ଦେଇଥିଲେ। ଏବେ ବିରୋଧୀ ଗୋଷ୍ଠୀ ତାଙ୍କ ମନ୍ତ୍ରୀ ହେବା ରାସ୍ତାରେ ମଧ୍ୟ ପ୍ରତିବନ୍ଧକ ସୃଷ୍ଟି କରିଥିବା ଅଭିଯୋଗ ହୋଇଛି। ତେବେ ଅତୀତରେ ଶର୍ମା କାଙ୍ଗଡା ଲୋକସଭା ଓ ଧର୍ମଶାଳା ଉପ ନିର୍ବାଚନ ଲଢିବାକୁ ମନା କରିଦେଇଥିଲେ। ଏଣୁ ପାର୍ଟି ହାଇକମାଣ୍ଡ ତାଙ୍କ ଉପରେ ନାରାଜ ଅଛନ୍ତି।

ତେବେ ରାଜେଶ ଧର୍ମାଣୀଙ୍କ ବିରୋଧରେ ସେପରି କୌଣସି ଗୁରୁତର ଅଭିଯୋଗ ନାହିଁ। ଏହା ଛଡା ସେ ସୁଖୁଙ୍କ ନିକଟତମ ବୋଲି ମଧ୍ୟ ଜଣାଶୁଣା। ଏହା ସତ୍ତ୍ୱେ ତାଙ୍କୁ ମନ୍ତ୍ରିମଣ୍ଡଳରୁ ଦୂରରେ ରଖାଯାଇଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି।  ତେବେ ଦଳରେ ଅସନ୍ତୋଷ କେବଳ ଏହି ୨ ନେତାଙ୍କ ମଧ୍ୟରେ ସୀମିତ ନାହିଁ। ମନ୍ତ୍ରିମଣ୍ଡଳ ରେ ସାମିଲ ହେବାକୁ ଆଗ୍ରହୀ ବିଧାୟକମାନେ ମଧ୍ୟ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ନେଇ ଅସନ୍ତୁଷ୍ଟ ଅଛନ୍ତି।

ଏମାନଙ୍କ ମଧ୍ୟରେ କୂଲଦୀପ ସିଂହ ରାଠୋର, ୟାଦବେନ୍ଦ୍ର ଗୋମା, ସଞ୍ଜୟ ରତନ, ଇନ୍ଦ୍ର ଦତ୍ତ, ଲଖନ ପାଲ ଓ ରାଜେନ୍ଦ୍ର ରାଣା ମଧ୍ୟ ଅଛନ୍ତି। ଏଥିରେ ରାଜେନ୍ଦ୍ର ରାଣା ଗତ ଥର ନିର୍ବାଚନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରେମକୁମାର ଧୂମାଲଙ୍କୁ ହରାଇ ଥିଲେ। ଏହି ନେତାଙ୍କ ନଜର ଏବେ ମନ୍ତ୍ରିମଣ୍ଡଳରେ ଖାଲିଥିବା ୩ଟି ପଦବୀ ଉପରେ ରହିଛି। ଯାହାକୁ ଦ୍ୱିତୀୟ କ୍ୟାବିନେଟ୍ ସମ୍ପ୍ରସାରଣରେ ପୂରଣ କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.