ଏଲୋରା ଗୁମ୍ଫା ପରିଦର୍ଶନ କଲେ ହିଲାରୀ କ୍ଲିଣ୍ଟନ, UNESCO ସ୍ଥଳରେ ବିତାଇଲେ ଅଢେଇ ଘଣ୍ଟା
8/02/2023 at 9:18 PM

ମୁମ୍ବାଇ ୮।୨: ଦୁଇ ଦିବସୀୟ ଭାରତ ଗସ୍ତରେ ଆସିଥିବା ପୂର୍ବତନ ଆମେରିକା ବୈଦେଶିକ ସଚିବ ହିଲାରୀ କ୍ଲିଣ୍ଟନ ବୁଧବାର ମହାରାଷ୍ଟ୍ରର ଏଲୋରା ଗୁମ୍ଫା ପରିଦର୍ଶନ କରିଛନ୍ତି। ଏଠାରେ ହିଲାରୀ ପ୍ରାୟ ଅଢେଇଘଣ୍ଟା ଅତିବାହିତ କରିଛନ୍ତି। କ୍ଲିଣ୍ଟନ କୁମ୍ଫା ପରିସରକୁ ‘ଅସାଧାରଣ ଐତିହାସିକ ସ୍ଥଳ’ ବୋଲି କହିଛନ୍ତି। କ୍ଲିଣ୍ଟନ ଔରଙ୍ଗାବାଦ ସହରରେ ଦୁଇ ଦିନ ହେଲା ଥିଲେ। ଏଲୋରା ଗୁମ୍ଫା ପରିଦର୍ଶନ ପରେ ରାତ୍ରି ବିଶ୍ରାମ ନିମନ୍ତେ ଖୁଲତାବାଦ ଯାଇଛନ୍ତି।

ଏଲୋରା ଗୁମ୍ପା ପରିଦର୍ଶନ ପାଇଁ ହିଲାରୀ କ୍ଲିଣ୍ଟନ ପୂର୍ବାହ୍ନ ସାଢେ ୧୦ଟା ବେଳେ ପହଞ୍ଚିଥିଲେ ଓ ଏଠାରେ ସେ ପ୍ରାୟ ଦିନ ଗୋଟାଏ ପର୍ଯ୍ୟନ୍ତ ଥିଲେ। କ୍ଲିଣ୍ଟନ ସୋମବାର ପରିବେଶ କାର୍ଯ୍ୟକର୍ତ୍ତା ଇଲା ଭଟ୍ଟଙ୍କ ଦ୍ୱାରା ସ୍ଥାପିତ ‘ସ୍ୱରୋଜଗାର ମହିଳା ସଂଘ’ (ସେବା) ସହ ସମ୍ପୃକ୍ତ ମହିଳାଙ୍କ ଲାଗି ୫୦ ମିଲିୟନ ଡଲାରର ଏକ ପାଣ୍ଠିଘୋଷଣା କରିଥିଲେ। ଏହି ପାଣ୍ଠି ଜଳବାୟୁ ପରିବର୍ତ୍ତନରେ ସଂଗ୍ରାମ ଲାଗି ମହିଳାଙ୍କୁ ସହାୟତା କରିବ ବୋଲି ସେ ଆଶା ପୋଷଣ କରିଥିଲେ।

ଟ୍ରେଡ ୟୁନିୟନ ଭାବେ ସଂଗଠନର ୫୦ ବର୍ଷ ପୂର୍ତ୍ତି ଅବସରରେ କ୍ଲିଣ୍ଟନ ରବିବାର ଅହମ୍ମଦାବାଦରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଅବସରରେ ସେ ସଙ୍ଗଠନର ସଂସ୍ଥାପକ ତଥା ପ୍ରଶିଦ୍ଧ ସାମାଜିକ କାର୍ଯ୍ୟକର୍ତ୍ତା ଇଲା ଭଟ୍ଟଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହି ଗସ୍ତ କାଳରେ କ୍ଲିଣ୍ଟନ ସୋମବାର ଗୁଜରାଟର କଚ୍ଛରେ ଲୁଣ ଶ୍ରମିକଙ୍କୁ ଭେଟିଥିଲେ। ଏହି ଅବସରରେ ସେ ଲୁଣ ଉତ୍ପାଦନ ପ୍ରକ୍ରିୟା ଓ ଏଥିଲାଗି ଶ୍ରମିକ ସମ୍ମୁଖୀନ ହେଉଥିବା ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।