ଏହି ରାଜ୍ୟରୁ ଚୟନ ହୋଇଛନ୍ତି ସବୁଠୁ ଅଧିକ IAS ଅଧିକାରୀ, ଉତ୍ତର ପ୍ରଦେଶକୁ ବି ପଛରେ ପକାଇଲା
15/01/2023 at 4:54 PM

ନୂଆଦିଲ୍ଲୀ: ଭାରତରେ ବଡ ସଂଖ୍ୟାରେ ବିଦ୍ୟାର୍ଥୀ ପ୍ରଶାସନିକ ସେବାରେ ଉତ୍ତୀର୍ଣ୍ଣ ହେବା ସହ ଆଇଏଏସ ଅଧିକାରୀ ହେବାକୁ ସ୍ଵପ୍ନ ଦେଖନ୍ତି। ପ୍ରତି ବର୍ଷ ଲକ୍ଷାଧିକ ସଂଖ୍ୟାରେ ପରୀକ୍ଷାର୍ଥୀ ଏହି ପରୀକ୍ଷା ପାଇଁ ଫର୍ମ ଭରିଥାନ୍ତି। ମାତ୍ର ଉତ୍ତୀର୍ଣ୍ଣ ହୋଇଥାନ୍ତି କିଛି ପରୀକ୍ଷାର୍ଥୀ। ୨୦୨୧ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା(ଆଇଏଏସ) ପରୀକ୍ଷାରେ ମୋଟ୍ ୧୮୦ ଆଇଏଏସ ଅଧିକାରୀ ଚୟନ ହୋଇଥିଲେ। ଏଥିରୁ କେବଳ ୨୪ ଆଇଏଏସ ଅଧିକାରୀ କେବଳ ରାଜସ୍ଥାନରୁ ଥିଲେ। ବିଶେଷଜ୍ଞଙ୍କ ମତରେ ଉନ୍ନତ କୋଚିଂ ସେଣ୍ଟର ଏବଂ ଯୁବ ବର୍ଗଙ୍କ ମଧ୍ୟରେ ବଢୁଥିବା ସଚେତନତା ହିଁ ଏହାର କାରଣ।
ବାଜି ମାରିଲା ରାଜସ୍ଥାନ
ସରକାରୀ ତଥ୍ୟ ଅନୁଯାୟୀ, ଗତ ଚାରି ବର୍ଷରେ ରାଜସ୍ଥାନରୁ ମୋଟ୍ ୮୪ ଆଇଏଏସ ଅଧିକାରୀ ଚୟନ ହୋଇଛନ୍ତି। ବର୍ଷ ପରେ ବର୍ଷ ଏହି ସଂଖ୍ୟା ବଢିବାରେ ଲାଗିଛି। ୨୦୧୯ରେ ରାଜସ୍ଥାନରୁ ୧୬ ଆଇଏଏସ ଅଧିକାରୀ ଚୟନ ହୋଇଥିଲେ। ୨୦୨୦ରେ ଏହି ସଂଖ୍ୟା ବଢି ୨୨ରେ ଏବଂ ୨୦୨୧ରେ ରାଜସ୍ଥାନରୁ ଆଇଏଏସ ଅଧିକାରୀ ଭାବେ ୨୪ ଉତ୍ତୀର୍ଣ୍ଣ ହୋଇଥିଲେ।
ଏସସି/ଏସଟି ସମୁଦାୟରେ ବଢିଲା ସଚେତନତା
୨୦୨୦ରେ ସିଭିଲ୍ ସେବା ପରୀକ୍ଷାରେ ଉତ୍ତର ପ୍ରଦେଶରୁ ୩୦ ଜଣ ଆଇଏଏସ ଅଧିକାରୀ ଭାବେ ଉତ୍ତୀର୍ଣ୍ଣ ହୋଇଥିଲେ। ଅନ୍ୟପକ୍ଷେ ରାଜସ୍ଥାନରେ ସେହି ବର୍ଷ ୨୨ ପରୀକ୍ଷାର୍ଥୀଙ୍କ ଆଇଏଏସ ହେବାର ସ୍ଵପ୍ନ ପୂରଣ ହୋଇ ସାରିଥିଲା। ୨୦୨୦ରେ ରାଜସ୍ଥାନର ଗୌରବ ବୁଡାନିଆ ସିଭିଲ୍ ସେବା ପରୀକ୍ଷାରେ ୧୩ତମ ରାଙ୍କ ହାସଲ କରିଥିଲେ। ଗୌରବ କହିଛନ୍ତି ରାଜସ୍ଥାନରୁ ଅଧିକ ସଂଖ୍ୟାରେ ପିଲା ଆଇଏଏସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାର କାରଣ ଏସସି-ଏସଟି ସମୁଦାୟରେ ସଚେତନତା ବଢିବା। ରାଜସ୍ଥାନ ଦିଲ୍ଲୀରୁ ବହୁତ ନିକଟରେ ଥିବାରୁ ଏହି କାରଣରୁ ଏଠାକାର ପିଲା ସହଜରେ କୋଚିଂ କରିବାକୁ ଦିଲ୍ଲୀ ଯାଇ ପାରୁଛନ୍ତି।
୨୦୨୧ର ସିଭିଲ୍ ସେବା ପରୀକ୍ଷାରେ ଆଇଏଏସ ଗ୍ରେଡ୍ ପାଇବାରେ ସବୁଠୁ ଅଧିକ ଛାତ୍ର ରାଜସ୍ଥାନରୁ ଥିଲେ। ସେହି ବର୍ଷ ରାଜସ୍ଥାନର ମୋଟ୍ ୨୪ ଛାତ୍ର ଆଇଏଏସ ଅଧିକାରୀ ଭାବେ ଉତ୍ତୀର୍ଣ୍ଣ ହୋଇଥିଲେ। ଅପରପକ୍ଷେ ଉତ୍ତର ପ୍ରଦେଶରୁ ୧୯, ଦିଲ୍ଲୀରୁ ୧୬, ବିହାରରୁ ୧୪, ମହାରାଷ୍ଟ୍ରରୁ ୧୩, ମଧ୍ୟ ପ୍ରଦେଶରୁ ୧୨ ଆଇଏଏସ ଅଧିକାରୀ ଚୟନ ହୋଇଥିଲେ।