ହାଇ ସିକ୍ୟୁରିଟ୍‌ ନମ୍ବର ପ୍ଲେଟ ଘଟଣା, ସତ୍ୟପାଠରେ ତଥ୍ୟ ଦେବାକୁ ପରିବହନ ବିଭାଗକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

Published By : Prameya-News7 Bureau | October 26, 2022 IST

କଟକ, ୨୬/୧୦: ହାଇ ସିକ୍ୟୁରିଟ୍‌ ନମ୍ବର ପ୍ଲେଟ ଲଗାଇବା ନେଇ ଆବଶ୍ୟକୀୟ ଭିତ୍ତିଭୂମିରେ କିପ୍ରକାର ସୁଧାର ହୋଇଛି, ସେନେଇ ସତ୍ୟପାଠ ଜରିଆରେ ତଥ୍ୟ ଦେବାକୁ ପରିବହନ ବିଭାଗକୁ ନିର୍ଦ୍ଦଶ ଦେଇଛନ୍ତି ହାଇକୋର୍ଟ । ଏହା ସହିତ ଖିଲାପକାରୀଙ୍କ ଉପରେ କି ପ୍ରକାର ଜରିମାନା ହେବ ସେନେଇ ମଧ୍ୟ ବିସ୍ତୃତ ଆକାରରେ ତଥ୍ୟ ରଖିବାଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୩୧ ତାରିଖରେ ମାମଲାର ବିସ୍ତୃତ ଭାବେ ଶୁଣାଣି କରିବାକୁ ଦିନ ଧାର୍ଯ୍ୟ କରିଛନ୍ତି ହାଇକୋର୍ଟ ।

ଗତ ମାସ ୩୦ ତାରିଖରେ ମାମଲାର ପ୍ରାରମ୍ଭିକ ଶୁଣାଣି ହୋଇଥିଲା । ଉପଯୁକ୍ତ ବ୍ୟବସ୍ଥା ନଥାଇ ଡେଡ୍‌ ଲାଇନ ଘୋଷଣା କରାଯିବାକୁ ହାଇକୋର୍ଟ ନାପସନ୍ଦ କରିଥିଲେ । ରାଜ୍ୟର ସମସ୍ତ ଲୋକଙ୍କ ପାଖରେ ଅନଲାଇନ ବ୍ୟବସ୍ଥା ନାହିଁ। HSRPରେ ବୁକ କରିବା ସମ୍ଭବ ମଧ୍ୟ ହେଉନାହିଁ। କଣ ବିକଳ୍ପ ବ୍ୟବସ୍ଥା କରାଯିବ ସେ ନେଇ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଥିଲେ ହାଇକୋର୍ଟ । ତେଣୁ ଭିତ୍ତିଭୂମି ସଜାଡ଼ିବା ଲାଗି ପରିବହନ ବିଭାଗ ଗୋଟିଏ ମାସର ମହଲତ ନେଇଥିଲା । ତେବେ ଏହି ସମୟ ଭିତରେ କି ପ୍ରକାର ବିକଳ୍ପ ବ୍ୟବସ୍ଥା କରାଯାଇ ପାରିବ, ସେନେଇ ହାଇକୋର୍ଟଙ୍କୁ ଅବଗତ କରାଇବାକୁ ଉକ୍ତ ଦିନ ପରିବହନ ବିଭାଗକୁ ନିର୍ଦ୍ଦେଶ ମଧ୍ୟ ହୋଇଥିଲା । ତେବେ ଏହା ଭିତରେ ଏକ ମାସ ଅତିକ୍ରାନ୍ତ ହୋଇସାରିଛି । ତେଣୁ ପୂର୍ବ ନିର୍ଦ୍ଦେଶର କାର୍ଯ୍ୟକାରିତା ଉପରେ ଜାଣିବାକୁ ଚାହିଁଛନ୍ତି ହାଇକୋର୍ଟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.