କଟକରେ ହାଇ ପ୍ରୋଫାଇଲ ବାହାଘର: ଆୟୋଜକଙ୍କ କଥା ଏବଂ ଏହି ଦୃଶ୍ୟ ମଧ୍ୟରେ ରହୁ ନାହିଁ ତାଳମେଳ

Published By : Prameya-News7 Bureau | May 08, 2020 IST

କଟକ୮/୫: ସାମାଜିକ ଦୂରତାଠାରୁ ବହୁ ଦୂରରେ ଏମାନେ। ଦେଶ ତମାମ ଲକଡାଉନ୍। କିନ୍ତୁ ତା ଭିତରେ ବି ହେଲା ବାହାଘର। ବିଲକୁଲ୍‌ ପାରମ୍ପରିକ ରୀତି- ନୀତି ଅନୁସାରେ ବରକନ୍ୟା ବେଦୀରେ ବସିଲେ ଏବଂ ଜ୍ଞାନ୍ତି କୁଟୁମ୍ବଙ୍କ ଉପସ୍ଥିତିରେ ମଧ୍ୟ ବାହାଘର ସମ୍ପୂର୍ଣ୍ଣ ହୋଇଛି। ଏହା ସହିତ ଭୋଜିଭାତର ମଧ୍ୟ ଆୟୋଜନ ବି ହୋଇଥିଲା। ବିଶେଷ କଥା ହେଉଛି ଏହି ବାହାଘରରେ ସାମିଲ ହୋଇଥିଲେ ରାଜ୍ୟର କିଛି ବରିଷ୍ଠ ରାଜନେତା। ତେବେ ସରକାରୀ ନୀତି- ନିୟମ ମୂତାବକ ସବୁକିଛି ହୋଇଛି ବୋଲି ସଫେଇ ଦେଇଛନ୍ତି ଆୟୋଜକ।

{"id":266584,"sizeSlug":"large"}

ପୂର୍ବରୁ ସବୁକିଛି ସ୍ଥିର ହୋଇ ସାରିଥିଲା। କିନ୍ତୁ ଲକଡାଉନ୍‌ ଘୋଷଣା ହୋଇଗଲା। ତେଣୁ ଦିନ ଗଡି ଚାଲିଲା ପଛେ ବାହାଘର ହୋଇ ପାରୁନଥିଲା। ହେଲେ ଆଜି ସେଥିରେ ପୂର୍ଣ୍ଣଛେଦ ପଡିଛି। କଟକ ମଙ୍ଗଲାବାଗ୍‌ ମୋହନ ମଣ୍ତପ ପରିସରରେ ଆଜି ହୋଇଛି ଏକ ହାଇପ୍ରୋଫାଇଲ ବାହାଘର। ଉଭୟ ଉଭୟଙ୍କର ହାତ ଧରି ସାରା ଜୀବନ ପାଇଁ ସାଥି ପାଲଟିଛନ୍ତି ଆନନ୍ଦିତା ଏବଂ ଅମରେନ୍ଦ୍ର।

କଟକ ସହରର ଜଣେ ଆଗଧାଡିର ଲୋକ ହେଉଛନ୍ତି ମଙ୍ଗଳାବାଗ୍‌ ନିବାସି ଶିବେନ୍ଦ୍ର ହାତୀ। କିଛି ଅଞ୍ଚଳରେ ତାଙ୍କର ବେଶ୍ ଭଲ ପ୍ରଭାବ ମଧ୍ୟ ରହିଛି ଏବଂ କଟକ ମହାନଗର ଶାନ୍ତି କମିଟିର ସେ ଜଣେ ଛାମୁଆ ସଂଗଠକ। ତାଙ୍କ ପୁଅ ଅମରେନ୍ଦ୍ରଙ୍କ ବାହାଘର ଲାଗି ଆଜି ଏଭଳି ସବୁ ଆୟୋଜନ ହୋଇଥିଲା। ଯେଉଁଥିରେ ଉଭୟ ପକ୍ଷର ଜ୍ଞାନ୍ତି କୁଟୁମ୍ବଙ୍କ ସହିତ ରାଜ୍ୟ ରାଜନୀତିର କିଛି ହାଇ ପ୍ରୋଫାଇଲ ନେତା ମାନେ ମଧ୍ୟ ଯୋଗ ଦେଇଥିଲେ। ଭୋଜିଭାତର ଆୟୋଜନ ବି ହୋଇଥିଲା। କିନ୍ତୁ ସେସବୁ ସରକାରୀ ନୀତି ନିୟମ ଆଧାରରେ ବୋଲି କହିଛନ୍ତି ଶିବେନ୍ଦ୍ର।

ପ୍ରସଙ୍ଗ ଯାହାବି ହେଉନା କାହିଁକି। ଏପରି ସମୟରେ ସାମାଜିକ ଦୂରତା ବଜାୟ ରଖିବା କେତେ ଦୂର ସମ୍ଭବ। ଉତ୍ସବରେ ଉଭୟ ଶାସକ ଏବଂ ବିରୋଧୀ ଦଳର ନେତାମାନେ ସାମିଲ ହେବାବି କେତେ ଦୂର ଗ୍ରହଣୀୟ। ଯଦି ଏଭଳି ଆୟୋଜନ ଜଣେ ସାଧାରଣ ଲୋକ କରିଥାଆନ୍ତେ। ତାହାଲେ ସେମାନଙ୍କୁ କଣ ପ୍ରଶାସନ ଅନୁମତି ଦେଇଥାଆନ୍ତା କି? ଏଭଳି ଅନେକ ପ୍ରଶ୍ନ ମୁଣ୍ତ ଟେକୁଥିବା ବେଳେ କିନ୍ତୁ ଆୟୋଜକ କହିଛନ୍ତି । ସେ ସରକାରୀ ନୀତି ଓ ନିର୍ଦ୍ଦେଶକୁ ସମ୍ପୂର୍ଣ୍ଣ ଭାବେ ନଜରରେ ରଖି ସମସ୍ତ କାମ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.