ଚିତାଙ୍କ ମୃତ୍ୟୁରେ ଚିନ୍ତାରେ କେନ୍ଦ୍ର, ପୁନର୍ବାସ ପରିଯୋଜନା ସମୀକ୍ଷା ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

Published By : Prameya-News7 Bureau | May 26, 2023 IST

ନୂଆଦିଲ୍ଲୀ: ମଧ୍ୟ ପ୍ରଦେଶର କୁନୋ ନ୍ୟାସନାଲ ପାର୍କରେ ବାହାରୁ ଅଣାଯାଇଥିବା ଚିତା ଏବଂ ଶାବକଙ୍କ ମୃତ୍ୟୁ ଏବେ ଚିନ୍ତାର ବିଷୟ ହୋଇଛି । ଏହି ମୃତ୍ୟୁକୁ ନଜରରେ ରଖି କେନ୍ଦ୍ର ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି । ଚିତା ପୁନର୍ବାସ ପ୍ରକଳ୍ପକର ସମୀକ୍ଷା ଏବଂ ନୀରିକ୍ଷଣ ପାଇଁ ୧୧ ସଦସ୍ୟଙ୍କ ଏକ ଉଚ୍ଚସ୍ତରୀୟ ପରିଚାଳନା କମିଟି ଗଠନ କରିଛନ୍ତି ।

ମଧ୍ୟ ପ୍ରଦେଶର କୁନୋ ନ୍ୟାସନାଲ ପାର୍କରେ ଦୁଇ ଚିତା ଶାବକଙ୍କ ମୃତ୍ୟୁ ଖବରର କିଛି ସମୟ ପରେ ଗୁରୁବାର ଗ୍ଲୋବାଲ ଟାଇଗର ଫୋରମର ମହାସଚିବ ରାଜେଶ ଗୋପାଳଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ପାଇଁ ନିଷ୍ପତ୍ତି ନିଆଯାଇଛି । ଏହାସହ ଇକୋ-ଟୁରିଜିମ ପାଇଁ ଚିତାଙ୍କ ଆବାସ ଖୋଲିବା ଉପରେ ପରାମର୍ଶ ଦେବାକୁ କୁହାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ କୁନୋ ନ୍ୟାସନାଲ ପାର୍କରେ ପ୍ରାୟ ଦୁଇ ମାସରେ ତିନି ବୟସ୍କ ଚିତା ଏବଂ ନାମିବ୍ୟାର ମାଇ ଚିତା ସିସାୟାଠାରୁ ଜନ୍ମିତ ଚାରି ଶାବକଙ୍କ ମଧ୍ୟରୁ ତିନିଙ୍କ ମୃତ୍ୟୁ ହୋଇଛି । ଏହି କାରଣରୁ ବିଶେଷଜ୍ଞମାନେ ବାସସ୍ଥଳୀ ଏବଂ ବନ୍ୟଜୀବ ପ୍ରବନ୍ଧନ ଉପରେ ପ୍ରଶ୍ନ ଉଠାଇଛନ୍ତି । କେନ୍ଦ୍ର ଦ୍ୱାରା ଗଠିତ ଟିମ୍ ଇକୋ-ଟୁରିଜିମ୍ ପାଇଁ ଚିତାଙ୍କ ଆବାସ ଖୋଲିବା ଏବଂ ଏନେଇ ନିୟମ ଉପରେ ପରାମର୍ଶ ଦେବେ ।

କେନ୍ଦ୍ର ସରକାରଙ୍କ ମହତ୍ୱାକାଂକ୍ଷୀ ଚିତା ପୁନର୍ବାସ ପରିଯୋଜନା ଅଧିନରେ ପ୍ରଧାନମନ୍ତ୍ରୀ ମୋଦୀ ଗତ ବର୍ଷ ସେପ୍ଟେମ୍ୱର ୧୭ରେ ନିଜ ୭୨ତମ ଜନ୍ମ ଦିନରେ ନାମିବ୍ୟାରୁ କୁନୋରେ ଆଠ ଚିତାଙ୍କୁ ଛଡ଼ା ଯାଇଥିଲା । ଏହାପରେ ଗତ ଫେବ୍ରୁଆରୀ ୧୮ରେ ଦ.ଆଫ୍ରିକାରୁ ଅଣାଯାଇଥିବା ଅନ୍ୟ ୧୨ ଚିତାଙ୍କୁ କୁନୋରେ ଛଡା ଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.