ଦିଲ୍ଲୀରେ ମାଓ ଦମନ ରଣନୀତି ବୈଠକ : କେନ୍ଦ୍ର ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ, ଯୋଗଦେବେ ୧୦ ମାଓ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | September 26, 2021 IST

ନୂଆଦିଲ୍ଲୀ ୨୬।୦୯: ଆଜି ଦିଲ୍ଲୀରେ ୧୦ ମାଓ ପ୍ରଭାବିତ ରାଜ୍ୟକୁ ନେଇ ମାଓ ଦମନ ରଣନୀତି ବୈଠକ ବସିବ। କେନ୍ଦ୍ର ଗୃହମନ୍ତ୍ରୀ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବେ । ମାଓ ମୁକାବିଲା ପାଇଁ ଓଡ଼ିଶାର ଫୋକସ୍ କଣ ରହିବ? କେଉଁ କ୍ଷେତ୍ରକୁ ଅଧିକ ଗୁରୁତ୍ବ ଦିଆଯିବ? ମାଓ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦାବି କଣ ରହିବ? ଏହା ଉପରେ ବିଶେଷ ଆଲୋଚନା ହୋଇପାରେ ।

ତେବେ ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ ଓଡ଼ିଶାର ସୀମାନ୍ତବର୍ତ୍ତୀ ରାଜ୍ୟକୁ ଲାଗି ରହିଥିବା ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ରାୟଗଡ଼ାର ଦୁର୍ଗମ ମାଓ ଉପଦ୍ରୁତ ଅଞ୍ଚଳରେ ଯୋଗାଯୋଗ ଉପରେ ଫୋକସ୍ କରାଯିବ। ଏହି ଅଞ୍ଚଳରେ ରାସ୍ତା ନିର୍ମାଣ ସହ ଅଧିକରୁ ଅଧିକ ମୋବାଇଲ ଟାଓ୍ଵାର ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାବି ରଖିପାରନ୍ତି। ମାଲକାନଗିରି, ନବରଙ୍ଗପୁରରେ ରେଳପଥ ନିର୍ମାଣ ପାଇଁ ମଧ୍ୟ ଦାବି ଉଠିପାରେ। ରାଜ୍ୟ ସରକାର ଆନୁଷଙ୍ଗିକ ଭିତ୍ତିଭୂମି ଯୋଗାଇ ଦେବାକୁ ପ୍ରସ୍ତୁତ ରହିଥିବା ବେଳେ ଯୋଗାଯୋଗ ବ୍ୟବସ୍ଥା ସୁଦୃଢ଼ ହୋଇପାରିଲେ ମାଓ ଦମନ ଆହୁରି ସହଜ ହୋଇପାରିବ।

ସେହିପରି ଗୁରୁପ୍ରିୟା ସେତୁ ନିର୍ମାଣ ପରେ ସେହି ଅଞ୍ଚଳରେ ମାଓ ହିଂସା ଯେପରି କମିଛି, ତାହାକୁ ପ୍ରମାଣ ଭାବେ ରଖିବ ଓଡ଼ିଶା। ମାଓ ପ୍ରବଣ ଇଲାକାଗୁଡିକରେ ପର୍ଯ୍ୟାପ୍ତ ମାତ୍ରାରେ ବ୍ୟାଙ୍କ ସୁବିଧା ଯୋଗାଇଦେବାକୁ ମଧ୍ୟ ରାଜ୍ୟର ଦାବି ରହିବ। ମାଓବାଦୀ ମୁକାବିଲା ପାଇଁ ଅଧିକ କ୍ୟାମ୍ପ ଖୋଲିବାକୁ ଦାବି ସହ ମାଓ ମୁକାବିଲାରେ ନିୟୋଜିତ ସିଆର୍ ପିଏଫ୍ ବାବଦରେ ବକେୟା ଥିବା ୪୫୦୦ କୋଟିରୁ ଅଧିକ ଟଙ୍କା ଛାଡ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ଦାବି କରିପାରନ୍ତି। ଗତ ଏପ୍ରିଲରେ ଏ ନେଇ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଅନୁରୋଧ ମଧ୍ୟ କରିଥିଲେ। ସେପଟେ ଗତ ଦୁଇ ବର୍ଷ ଧରି ଓଡ଼ିଶାରେ ମାଓ ଅପରେସନ୍, ହିଂସାକାଣ୍ଡ, ବର୍ତ୍ତମାନର ସ୍ଥିତି ସମ୍ପର୍କରେ ତଥ୍ୟ ସମ୍ବଳିତ ରିପୋର୍ଟ ମଧ୍ୟ ଦାଖଲ କରାଯିବ ବୋଲି ସୂଚନା ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.