ଚେନ୍ନାଇ: ମାଦ୍ରାସ ହାଇକୋର୍ଟ ବୁଧବାର ଆଧ୍ୟାତ୍ମିକ ଗୁରୁ ଜଗି ବାସୁଦେବଙ୍କ ଇଶା ଫାଉଣ୍ଡେସନକୁ ବଡ ଆଶ୍ଵସ୍ତି ପ୍ରଦାନ କରିଛନ୍ତି। ହାଇକୋର୍ଟ କୋଏମ୍ବାଟୁରର ଭେଲିୟାନଗିରି ପାହାଡରେ ଯୋଗ କେନ୍ଦ୍ର ପାଇଁ କୋଠା ନିର୍ମାଣ ମାମଲାରେ ଫାଉଣ୍ଡେସନକୁ ଆଶ୍ଵସ୍ତି ଦେଇଛନ୍ତି। ତାମିଲନାଡୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଇଶା ଫାଉଣ୍ଡେସନ ବିରୋଧରେ ଆବେଦନ କରିଥିଲେ। ବିନା ପରିବେଶ ମଞ୍ଜୁରୀରେ ନିର୍ମାଣ କାର୍ଯ୍ୟ ହୋଇଥିବା ବୋର୍ଡ ଅଭିଯୋଗ କରିଥିଲା। ତାମିଲନାଡୁ ସରକାରଙ୍କ କହିବା କଥା ୨୦୦୬ରୁ ୨୦୧୪ ମଧ୍ୟରେ ଜଗି ବାସୁଦେବଙ୍କ ଫାଉଣ୍ଡେସନ କେନ୍ଦ୍ର ସରକାରଙ୍କ ପରିବେଶ ନିୟମକୁ ଉଲ୍ଲଂଘନ କରି କୋଠା ନିର୍ମାଣ କରିଛି।
ତେବେ ରାଜ୍ୟ ସରକାରଙ୍କ ବିରୋଧରେ ହାଇକୋର୍ଟରେ ଦ୍ଵାରସ୍ଥ ହୋଇଥିଲା ଫାଉଣ୍ଡେସନ। କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଟି ରାଜା ଏବଂ ଜଷ୍ଟିସ ଡି କୃଷ୍ଣକୁମାର ଇଶା ଫାଉଣ୍ଡେସନ ଆବେଦନକୁ ସ୍ଵୀକାର କରି କହିଛନ୍ତି ଯେ, ଯୋଗ କେନ୍ଦ୍ରକୁ ଏକ ଶିକ୍ଷାନୁଷ୍ଠାନ ଭାବେ ଗଣାଯିବ। ଏଥିପାଇଁ ପରିବେଶ ମଞ୍ଜୁରୀ ନେବା ଜରୁରୀ ନୁହେଁ। ସେମିତିରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଗକୁ ପ୍ରୋତ୍ସାହନ ଦିଆଯାଉଛି। ଏଥିପାଇଁ ଯୋଗ ଶିକ୍ଷାନୁଷ୍ଠାନ ପରିଧିରେ ଆସୁଛି। ଏମିତିରେ ଏହାର ନିର୍ମାଣ ପାଇଁ ପରିବେଶ ମଞ୍ଜୁରୀର ଆବଶ୍ୟକତା ନାହିଁ। ୨୦୨୧ ନଭେମ୍ବରରେ କୋଏମ୍ବାଟୁର ସାଉଥ ଡିଷ୍ଟ୍ରିକ୍ଟର ପରିବେଶ ଇଞ୍ଜିନିୟର ଫାଉଣ୍ଡେସନର ନୀରିକ୍ଷଣ କରିଥିଲେ ଏବଂ ଏହା ଉପରେ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ।
ଏହି ନୋଟିସ୍ ବିରୋଧରେ ଫାଉଣ୍ଡେସନ ଉଚ୍ଚ ନ୍ୟାୟାଳୟର ଦ୍ଵାରସ୍ଥ ହୋଇଥିଲେ। ଏଥିରେ କେନ୍ଦ୍ର ସରକାରଙ୍କ ଏନଭାୟରମେଣ୍ଟ ଇମ୍ପାକ୍ଟ ଆସେସମେଣ୍ଟ ଆକ୍ଟ ୨୦୧୪ରେ ହୋଇଥିବା ସଂଶୋଧନର ଯୁକ୍ତି ଦେଇଥିଲେ ଫାଉଣ୍ଡେସନ। ତାମିଲନାଡୁ ସରକାରଙ୍କ ପରିବେଶ ନିୟନ୍ତ୍ରଣ ବୋର୍ଡ ନିଜ ଜବାବରେ କହିଥିଲେ ଯେ, ନିର୍ମାଣ କାର୍ଯ୍ୟ ଭିତ୍ତିଭୂମି ବିକାଶ ଅଧିନରେ ଆସୁଛି। ତେଣୁ ଏହା ଶିକ୍ଷାନୁଷ୍ଠାନ ଅନ୍ତର୍ଗତରେ ଆସୁନାହିଁ। ରାଜ୍ୟ ସରକାରଙ୍କ କହିବା କଥା ଇଶା ଫାଉଣ୍ଡେସନରେ ୫୦୦ ଛାତ୍ର ଅଛନ୍ତି। ଏଥିପାଇଁ ପିଲାଙ୍କ ନିମନ୍ତେ ୧.୨୫ ଲକ୍ଷ ବର୍ଗ ମିଟରରେ ନିର୍ମାଣର ଆବଶ୍ୟକତା କାହିଁକି। କିନ୍ତୁ ଉଚ୍ଚ ନ୍ୟାୟାଳୟ ରାଜ୍ୟ ସରକାରଙ୍କ ତର୍କକୁ ଅଗ୍ରାହ୍ୟ କରିଛନ୍ତି।