ହାଇକୋର୍ଟରୁ ତେଲେଙ୍ଗାନା ସରକାରଙ୍କୁ ଝଟକା, ସିବିଆଇକୁ ହସ୍ତାନ୍ତର ହେବ ବିଆରଏସ ବିଧାୟକ କିଣା ବିକା ମାମଲା

Published By : Prameya-News7 Bureau | December 26, 2022 IST

ହାଇଦ୍ରାବାଦ: ତେଲେଙ୍ଗାନା ହାଇକୋର୍ଟ ବିଆରଏସ ବିଧାୟକଙ୍କୁ କିଣିବା ମାମଲାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରିଛନ୍ତି । ଏହାସହ ମାମଲାର ତଦନ୍ତ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ଏସଆଇଟିକୁ ମଧ୍ୟ ରଦ୍ଦ କରିଛନ୍ତି । ଏବେ ରାଜ୍ୟ ସରକାର କୋର୍ଟଙ୍କ ଏହି ନିଷ୍ପତ୍ତି ବିରୋଧରେ ଅପିଲ୍ କରିପାରନ୍ତି । ଅନ୍ୟପଟେ ରାଜ୍ୟରେ ବିରୋଧୀ ବିଜେପି ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛି ।

ବିଜେପି ନେତା ତଥା ବରିଷ୍ଠ ଆଇନଜୀବୀ ରାମ ଚନ୍ଦ୍ର ରାଓ କହିଛନ୍ତି ଯେ ହାଇକୋର୍ଟ ବିଆରଏସ ବିଧାୟକଙ୍କୁ କିଣିବା ମାମଲା ସିବିଆଇଙ୍କୁ ହସ୍ତାନ୍ତର କରିଛନ୍ତି । ଏସଆଇଟିକୁ ମଧ୍ୟ ହାଇକୋର୍ଟ ରଦ୍ଦ କରିଛନ୍ତି । ଆମେ ଏହି ନିଷ୍ପତ୍ତିକୁ ସ୍ୱାଗତ କରୁଛୁ ।

ଅକ୍ଟୋବର ୩୦ରେ ତେଲେଙ୍ଗାନା ପୋଲିସ ଶାସକ ଦଳର ବିଧାୟକଙ୍କୁ କଥିତ ରୂପେ କିଣିବା ଅଭିଯୋଗରେ ତିନି ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଏଥିରେ ରାମଚନ୍ଦ୍ର ଭାରତୀ, ନନ୍ଦ କୁମାର ଏବଂ ସିଂହୟାଜୀ ସ୍ୱାମୀଙ୍କୁ ଗିରଫ କରାଯାଇଥିଲା । ପୋଲିସ ଏହି ମାମଲାରେ ବିଜେପିର ରାଷ୍ଟ୍ରୀୟ ସଂଗଠନ ମହାସଚିବ ବିଏଲ ସନ୍ତୋଷଙ୍କ ସହ ୭ ଜଣଙ୍କୁ ଅଭିଯୁକ୍ତ ଦର୍ଶାଇଥିଲା । ତେଲେଙ୍ଗାନା ବିଜେପି ମାମଲାର ମୁକ୍ତ ଏବଂ ନିରପେକ୍ଷ ତଦନ୍ତ ସୁନିଶ୍ଚିତ କରିବା ପାଇଁ ସିବିଆଇ ଯାଞ୍ଚ ଦାବି କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ମାମଲାର ଶୁଣାଣି କରି କୋର୍ଟ ଏହାକୁ ସିବିଆଇକୁ ହସ୍ତାନ୍ତର କରିବା ପାଇଁ ତେଲେଙ୍ଗାନା ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.