ସୌମ୍ୟ ମୃତ୍ୟୁ ମାମଲା କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର, ୩ ମାସରେ ତଦନ୍ତ ସାରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

Published By : Prameya-News7 Bureau | January 06, 2023 IST

ଭୁବନେଶ୍ଵର: ବହୁ ଚର୍ଚ୍ଚିତ ମଡେଲ୍ ସୌମ୍ୟ ପାଣିଗ୍ରାହୀ ମୃତ୍ୟୁ ମାମଲାର ଏବେ ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ଶୁକ୍ରବାର ମାମଲାର ଶୁଣାଣି କରି ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତିନି ମାସ ଭିତରେ ତଦନ୍ତ ସାରିବାକୁ ଉଚ୍ଚ ନ୍ୟାୟାଳୟ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି। ସୌମ୍ୟଙ୍କ ଆତ୍ମହତ୍ୟା ପାଇଁ ଗାର୍ଲଫ୍ରେଣ୍ଡଙ୍କୁ ଦାୟୀ କରାଯାଇଥିଲା। ହେଲେ ମାମଲାକୁ ପ୍ରାୟ ଏକ ବର୍ଷ ହେବାକୁ ଥିବା ବେଳେ ସୌମ୍ୟଙ୍କ ପରିବାର ଲୋକଙ୍କୁ ନ୍ୟାୟ ମିଳି ପାରିନାହିଁ।

ସୌମ୍ୟ ଗତ ଫେବୃଆରୀ ୪ ତାରିଖରେ ଆତ୍ମହତ୍ୟା କରିଥିଲେ । ମୃତ୍ୟୁ ପୂର୍ବରୁ ସୌମ୍ୟ ଚାରି ପୃଷ୍ଠାର ଏକ ସୁଇସାଇଡିଆଲ ନୋଟ ମଧ୍ୟ ଲେଖିଯାଇଥିଲେ। ଏଥିରେ ତାଙ୍କ ମୃତ୍ୟୁପାଇଁ ସୋନାଲି ନନ୍ଦ ନାମକ ଯୁବତୀଙ୍କ ନାଁ ଉଲ୍ଲେଖ କରିଥିଲେ ସୌମ୍ୟ । ହେଲେ ଇନ୍‌ଫୋସିଟି ଥାନା ପୋଲିସ କେସକୁ ଏକ ଅପମୃତ୍ୟୁ ମାମଲାର ରୂପ ଦେଇ କ୍ଲୋଜ କରିଦେଇଥିଲେ । ଏ ସମ୍ପର୍କରେ ସୌମ୍ୟଙ୍କ ପରିବାର ସେହି ସମୟରେ ନୂତନ ଭାବେ କାର୍ଯ୍ୟରେ ଯୋଗ ଦେଇଥିବା ଭୁବନେଶ୍ଵର ଡିସିପି ପ୍ରତୀକ ସିଂହଙ୍କୁ ଭେଟି ମାମଲାର ଅଗ୍ରଗତି ପାଇଁ ନିବେଦନ କରିଥିଲେ ହେଁ ମାମଲାର ତଦନ୍ତର ଅଗ୍ରଗତି ଇନଥିଲା। ଏହା ପରେ ପରିବାର ଲୋକ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇ ନ୍ୟାୟ ଭିକ୍ଷା କରିଥିଲେ। ଗତ ଏପ୍ରିଲ ମାସରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପୁଣିଥରେ କେସର ରିଓପନ କରାଯାଇଥିଲା।

ଏହା ସତ୍ତ୍ଵେ ମାମଲାର ସନ୍ତୋଷଜନକ ଅଗ୍ରଗତି ନହେବା ନେଇ ଆଜି ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଶୁକ୍ରବାର ଅର୍ଥାତ ୨୦୨୩ ଜାନୁଆରୀ ୬ ତାରିଖ ମାମଲାର ଶୁଣାଣି କରି ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତିନି ମାସ ଭିତରେ ତଦନ୍ତ ସାରିବାକୁ କ୍ରାଇମବ୍ରାଞ୍ଚ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ନ୍ୟାୟାଳୟ।

ସୂଚନାଯୋଗ୍ୟ, ସୌମ୍ୟ ଏବଂ ସୋନାଲି ନନ୍ଦଙ୍କ ମଧ୍ୟରେ ଦୀର୍ଘ ଦିନର ସମ୍ପର୍କ ଥିଲା।  ଏପରିକି ଦୁହେଁ ବିବାହ କରିବାକୁ ଏକ ପ୍ରକାର ସ୍ଥିର କରି ନେଇଥିଲେ। ତେବେ ପରବର୍ତ୍ତୀ ସମୟରେ ସୋନାଲି ତାଙ୍କୁ ଧୋକା ଦେଇଥିଲେ। ଏହି ସମୟରେ କିଛି ଅଡିଓ ମଧ୍ୟ ଭାଇରାଲ୍ ହୋଇଥିଲା। ଯେଉଁଥିରେ ସୋନାଲି ସୌମ୍ୟଙ୍କୁ ବେପରୁଆ ଭାବେ ଜବାବ ଦେଉଥିବା ଏବଂ ଖାତିର କରୁନଥିବା ଶୁଣିବାକୁ ମିଳିଥିଲା। ତେଣୁ ସୋନାଲିଙ୍କ ଧୋକାରେ ମର୍ମାହତ ହୋଇ ସୌମ୍ୟ ଆତ୍ମହତ୍ୟା କରିଛନ୍ତି ବୋଲି ପରିବାର ଲୋକ ଅଭିଯୋଗରେ ଦର୍ଶାଇଥିଲେ। ବାନ୍ଧବୀ ସୋନାଲି ହିଁ ସୌମ୍ୟ ମୃତ୍ୟୁ ପାଇଁ ଦାୟୀ ବୋଲି ଇନଫୋସିଟି ଥାନାରେ ଏଲତା ଦେଇଥିଲେ। ତେବେ ବର୍ତ୍ତମାନ ହାଇକୋର୍ଟ ତଦନ୍ତ କରିଥିବା ଥାନାକୁ ସମସ୍ତ ଫାଇଲ୍‌ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.