ପୁରୀ ହାଜତ ମୃତ୍ୟୁ ମାମଲା : ପୋଷ୍ଟ ମର୍ଟମ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

Published By : Prameya-News7 Bureau | December 22, 2020 IST

କଟକ ୨୨।୧୨: ପୁରୀ ହାଜତ ମୃତ୍ୟୁ ମାମଲାର ଶୁଣାଣି ବେଳେ ମଙ୍ଗଳବାର ତଦନ୍ତ ପ୍ରକ୍ରିୟାକୁ ନେଇ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି । ଅଭିଯୁକ୍ତ ପୋଲିସ କର୍ମଚାରୀଙ୍କ ବିରୋଧରେ ଦଫା ୩୦୨ ଆଧାରରେ ହତ୍ୟା ମାମଲା ରୁଜୁ ହୋଇଛି ନା ନାହିଁ ସେ ନେଇ ସରକାରୀ ପକ୍ଷଙ୍କୁ ପ୍ରଶ୍ନ କରିଛନ୍ତି ହାଇକୋର୍ଟ । ମୃତ କେ.ରମେଶଙ୍କ ପୋଷ୍ଟ ମର୍ଟମ ରିପୋର୍ଟ ସହ ମେଡିକାଲ ରିପୋର୍ଟ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଏହାସହ ଆକ୍ସନ ଟେକେନ୍ ରିପୋର୍ଟ ଓ ନ୍ୟାୟିକ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ତେବେ  ତଦନ୍ତ କେତେଦୂର ଆଗେଇଛି ସେ ସଂକ୍ରାନ୍ତରେ ଧ୍ୟାନ ଦେବାଲାଗି ଆଡ଼ଭୋକେଟ୍ ଜେନେରାଲଙ୍କୁ କହିଛନ୍ତି ହାଇକୋର୍ଟ । ଆସନ୍ତା ମାସ ୧୧ରେ ମାମଲାର ପରବର୍ତ୍ତୀ ଶୁଣାଣି କରିବାକୁ ଦିନ ଧାର୍ଯ୍ୟ ହୋଇଛି ।

ସୂଚନାଯୋଗ୍ୟ ଯେ, ପୁରୀ ହାଜତ ମୃତ୍ୟୁ ମାମଲାରେ ପୁରୀର ଆଇନଜୀବୀ ଶରତ କୁମାର ରାୟଗୁରୁ ହାଇକୋର୍ଟରେ ଏହି ମାମଲା ରୁଜୁ କରିଥିଲେ । ଘଟଣାର ନିରପେକ୍ଷ ତଦନ୍ତ, ଉପଯୁକ୍ତ କ୍ଷତିପୂରଣ ସହ, ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆବେଦନକାରୀ କୋର୍ଟରେ ପ୍ରାର୍ଥନା କରିଥିଲେ । ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ପୁରୀ ଜିଲ୍ଲାପାଳ, ପୁରୀ ଏସପିଙ୍କୁ ଏହି ମାମଲାରେ ପକ୍ଷଭୁକ୍ତ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.