ନୁହ ହିଂସାରେ ବୁଲ୍ଡୋଜର କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଇଲେ ପଞ୍ଜାବ ହରିୟାଣା ହାଇକୋର୍ଟ
7/08/2023 at 2:10 PM

ଚଣ୍ଡିଗଡ଼: ନୁହ ସାମ୍ପ୍ରଦାୟିକ ହିଂସା ପରେ ହରିଆଣା ସରକାର ବୁଲ୍ଡୋଜର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲେ। ହେଲେ ପଞ୍ଜାବ,ହରିୟାଣା ହାଇକୋର୍ଟ ଏଥିରେ ରୋକ୍ ଲଗାଇଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ବୁଲ୍ଡୋଜର କାର୍ଯ୍ୟାନୁଷ୍ଠାନ ବନ୍ଦ କରିବାକୁ ଡେପୁଟି କମିଶନର ଧୀରେନ୍ଦ୍ର ଖଡଗତ ଅଫିସରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଗୁରୁଗ୍ରାମ ଓ ନୁହ ହିଂସାର ସାପ୍ତାହ ପରେ ନିଜ ଆଡ଼ୁ ପଦକ୍ଷେପ ନେଇଛନ୍ତି ପଞ୍ଜାବ ହରିଆଣା କୋର୍ଟ। ହିଂସାରେ ୬ ଜଣଙ୍କର ମୃତ୍ୟୁ ହେବା ସହିତ କୋଟି କୋଟି ସମ୍ପତ୍ତି ନଷ୍ଟ ହୋଇଛି। ଏଥିରେ ହରିଆଣା ସରକାରଙ୍କର ବୁଲ୍ଡୋଜର କାର୍ଯ୍ୟାନୁଷ୍ଠାନରେ ୩୫୦ କୁଡ଼ିଆ, ୫୦ ସିମେଣ୍ଟ ନିର୍ମାଣ ଭଙ୍ଗା ଯାଇଛି।
ପଢ଼ନ୍ତୁ-ହରିୟାଣା ହିଂସା: ଆଇନ ଶୃଙ୍ଖଳା ସୁଧୁରିଛି, ମନ ଭିତରଟା ଜଳୁଛି, ମୁସ୍ଲିମଙ୍କୁ ବୟକଟ୍ କଲେ ୧୪ ଗାଁ
ହରିଆଣା ସରକାରଙ୍କର ଏପରି କାର୍ଯ୍ୟାନୁଷ୍ଠାନକୁ ଚାରିଆଡ଼ୁ ନିନ୍ଦା କରାଯାଇଥିଲା। ସଂଖ୍ୟାଲଘୁଙ୍କୁ ଜାଣିଶୁଣି ହଇରାଣ କରିବାକୁ ଏପରି କରାଯାଉଛି ବୋଲି ବିଭିନ୍ନ ଦଳର ନେତା ଖଟ୍ଟର ସରକାରଙ୍କୁ ଟାର୍ଗେଟ୍ କରିଥିଲେ। ନୋଟିସ ନ ଦେଇ ଏକାଧିକ ଲୋକଙ୍କ ଘରକୁ ଭଙ୍ଗାଯାଇଛି ବୋଲି ଅଭିଯୋଗ ହୋଇଥିଲା।
ହେଲେ ସରକାରଙ୍କର କହିବା କଥା ହେଲା କେବଳ ବେଆଇନ ନିର୍ମାଣକୁ ଉଚ୍ଛେଦ କରାଯାଉଛି। କୌଣସି ବ୍ୟକ୍ତିଗତ ଲୋକଙ୍କୁ ଟାର୍ଗେଟ କରାଯାଉ ନାହିଁ। ଶାନ୍ତି ପ୍ରତିଷ୍ଠା ଆମର ଲକ୍ଷ୍ୟ ବୋଲି ଶ୍ରୀ ଖଡଗତ କହିଛନ୍ତି।
ନୁହ ହିଂସାରେ କର୍ଫ୍ୟୁ ଲାଗିବା ସହ ଇଣ୍ଟରନେଟ୍ ବ୍ୟାନ୍ କରାଯାଇଛି। ତେବେ କର୍ଫ୍ୟୁ କୋହଳ ହେବା ପରେ ଏଟିଏମ୍ ସମେତ ଅନ୍ୟାନ୍ୟ ଜରୁରୀ କାର୍ଯ୍ୟ ଦୋକାନ ଖୋଲା ହୋଇଛି। ଆଜି ସକାଳୁ ମାତ୍ର ୪ ଘଣ୍ଟା ପାଇଁ କର୍ଫ୍ୟୁ କୋହଳ କରାଯାଇଛି। ତେବେ ଇଣ୍ଟର୍ନେଟ୍ ବ୍ୟାନ୍ ପୂର୍ବପରି ରହିବ। ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୫୦ ଜଣଙ୍କୁ ଗିରଫ କରାଯାଇଛି। ୫୬ଟି ମାମଲା ରୁଜୁ ହୋଇଛି।