ବିଦେଶୀ ପକ୍ଷୀଙ୍କ ସୁରକ୍ଷା ଚିନ୍ତା: ମଙ୍ଗଳାଯୋଡ଼ିରେ ସୌର ଚାଳିତ ବୋଟ୍‌ ବ୍ୟବହାର ପାଇଁ ହାଇକୋର୍ଟଙ୍କ ପ୍ରସ୍ତାବ

Published By : Prameya-News7 Bureau | December 19, 2022 IST

କଟକ ୧୯/୧୨: ବିଦେଶାଗତ ପକ୍ଷୀଙ୍କ ସୁରକ୍ଷା ଦୃଷ୍ଟିରୁ ଚିଲିକା ମଙ୍ଗଳାଯୋଡ଼ିରେ ସୌର କିମ୍ବା ବ୍ୟାଟେରୀ ଚାଳିତ ବୋଟ ଚଳାଇବାକୁ ପ୍ରସ୍ତାବ ଦେଇଛନ୍ତି ହାଇକୋର୍ଟ। ଏନେଇ ରାଜ୍ୟ ମତ୍ସ ବିଭାଗ ଜବାବ ଦାଖଲ କରିବାପାଇଁ ସୋମବାର ନିର୍ଦ୍ଦେଶ ହୋଇଛି। ୨୦୨୩ ଜାନୁଆରୀ ୧୮ ସୁଦ୍ଧା ଜବାବ ଦାଖଲ ହେଲେ, ସେଦିନ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ହାଇକୋର୍ଟ କହିଛନ୍ତି।  ଚିଲିକାରେ ମୋଟର ବୋଟ ଯୋଗୁଁ ଉଚ୍ଚ ଶବ୍ଦ ହେଉଥିବା ବେଳେ ଏଥିପାଇଁ ପକ୍ଷୀମାନେ ଭୟଭିତ ହୋଇ ମଙ୍ଗଳାଯୋଡି ଆସୁ ନଥିବା ଦର୍ଶାଇ ମାମଲା ରୁଜୁ ହୋଇଛି।

ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ଅତିରିକ୍ତ ସତ୍ୟପାଠ ଦାଖଲ ହୋଇଥିଲା। ଏଠାରେ ନିର୍ଭରଶୀଳ ମତ୍ସଜୀବୀମାନଙ୍କର ଅନ୍ୟ କୌଣସି ବେଉସା ନାହିଁ। ସେମାନଙ୍କର ମୋଟର ବୋଟ ପୁରା ବନ୍ଦ କରିବାକୁ ସମୟ ଦେବାପାଇଁ ଦାଖଲ ହୋଇଥିବା ସତ୍ୟପାଠରେ ଅନୁରୋଧ କରାଯାଇଥିଲା। ହାଇକୋର୍ଟରେ ଏହି ମାମଲାର ଶୁଣାଣିବେଳେ ଗତ ମାର୍ଚ୍ଚ ୬ରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକର ବିବରଣୀ ରାଜ୍ୟ ସରକାରଙ୍କ ତରଫରୁ ଅଦାଲତରେ ଦାଖଲ କରାଯାଇଛି।

ଏହା ସହ ମାମଲାର ଶୁଣାଣି ବେଳେ ପୂର୍ବରୁ ଚିଲିକା ଜିଲ୍ଲା ବନଖଣ୍ଡ ଅଧିକାରୀ ହାଜର ହୋଇ ଦର୍ଶାଇଥିଲେ ଯେ, ଓଡିଶା ମେରାଇନ ଫିସିଙ୍ଗ ରେଗୁଲେସନ ଆକ୍ଟ ୧୯୮୧ର ସଂଶୋଧନ ତଥା ଦୃଢୀକରଣ ହୋଇ ମୋଟରବୋଟକୁ ପୁରା  ବନ୍ଦ କରାଯାଇପାରିବ। ରାଜ୍ୟ ସରକାରଙ୍କ ଆଇନ ବିଭାଗ ଏହି ପ୍ରସଙ୍ଗରେ ପଦକ୍ଷେପ ନେଇପାରିବ। ମଙ୍ଗଳାଯୋଡ଼ି ଅଭୟାରଣ୍ୟ ହୋଇ ନ ଥିବାରୁ ମୋଟରବୋଟ ଚଳାଚଳ ନିଷେଧ କରାଯିବାରେ ସମସ୍ୟା ଦେଖାଦେଇଛି ବୋଲି ସରକାରଙ୍କ ପକ୍ଷରୁ ପୂର୍ବରୁ ମଧ୍ୟ ଦର୍ଶାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.