‘ଅଦାଲତଙ୍କ ବିନା ଅନୁମତିରେ ରାମ ରହିମଙ୍କୁ ଦିଅନ୍ତୁ ନାହିଁ ପାରୋଲ’, ହରିୟାଣା ସରକାରଙ୍କୁ ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ

Published By : Prameya-News7 Bureau | February 29, 2024 IST

ନୂଆଦିଲ୍ଲୀ: ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମୀତ ରାମ ରହିମକୁ ମିଳୁଥିବା ପାରେଲକୁ ନେଇ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ କଡ଼ା ଆଭିମୁଖ୍ୟ ରଖିଛନ୍ତି। ହାଇକୋର୍ଟ ଆଦେଶ ଦେଇଛନ୍ତି ଯେ, ଅଦାଲତଙ୍କୁ ନପଚାରି ରାମ ରହିମଙ୍କୁ ପାରୋଲ ନଦିଆଯାଉ। ଏହା ସହ କୋର୍ଟ ଆହୁରି ମଧ୍ୟ ପ୍ରଶ୍ନ କରିଛନ୍ତି ଯେ, ଏଭଳି ଭାବରେ ଆଉ କେତେ ଲୋକଙ୍କୁ ପାରୋଲ ଦିଆଯାଇଛି। ସେମାନଙ୍କର ତାଲିକା ଦାଖଲ କରାଯିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଥାଉକି, ଶିରୋମଣୀ ଗୁରୁଦ୍ବାରା ପ୍ରବନ୍ଧକ କମିଟି (SGPC), ପଞ୍ଜାବ-ହରିୟାଣା ହାଇକୋର୍ଟରେ ରାମ ରହିମଙ୍କୁ ପାରୋଲ ଦିଆଯିବାକୁ ବିରୋଧ କରି ଆବେଦନ କରିଥିଲେ। ଯାହା ଉପରେ ଶୁଣାଣି କରି ହାଇକୋର୍ଟ ହରିୟାଣା ସରକାରଙ୍କୁ ଏହି ଆଦେଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ସନ୍ଦେଶଖାଲି ଘଟଣାର ଅଭିଯୁକ୍ତ ଶେଖ ଶାହଜାନ ଟିଏମ୍‌ସିରୁ ନିଲମ୍ବିତ

ନିକଟରେ ରାମ ରହିମକୁ ୫୦ ଦିନର ପାରୋଲ ଦିଆଯାଇଥିଲା। ଏହା ପୂର୍ବରୁ ୨୦୨୩ ନଭେମ୍ବରରେ ୨୧ ଦିନ ପାଇଁ ପାରୋଲରେ ଜେଲରୁ ମୁକ୍ତ କରାଯାଇଥିଲା। ଗୁରମୀତ ରାମ ରହିମ ଏବେ ରୋହତକ ସୁନରୀୟା ଜେଲରେ ୨୦ ବର୍ଷର ସଜା କାଟୁଛି।

ଉଲ୍ଲେଖଯୋଗ୍ୟ, ରାମ ରହିମ ଦୁଇ ଭିନ୍ନ ଭିନ୍ନ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛି। ତାଙ୍କୁ ୨୦୧୯ ଜାନୁଆରୀ ୧୭ ଏବଂ ୨୦୨୧ ଅକ୍ଟୋବର ୧୮ରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ରାମ ରହିବ ସିରସା ସ୍ଥିତ ଆଶ୍ରମରେ ଦୁଇ ମହିଳା ଅନୁଗାମୀଙ୍କ ସହ ଦୁଷ୍କର୍ମ ମାମଲାରେ ୨୦ ବର୍ଷର ଜେଲଦଣ୍ଡ କାଟୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.