ରାଜ୍ୟ ସରକାରଙ୍କୁ ଅଣସଂଗଠିତ ଶ୍ରମିକଙ୍କ ହିସାବ ମାଗିଲେ ହାଇକୋର୍ଟ
22/03/2023 at 6:22 PM

କଟକ ୨୨/୦୩: ରାଜ୍ୟରେ କେତେଜଣ ଅଣସଂଗଠିତ ଶ୍ରମିକ ଅଛନ୍ତି ତାର ତଥ୍ୟ ଦେବାକୁ ରାଜ୍ୟ ସରକାରଙ୍କୁ ଓଡ଼ିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ଗୋଟିଏ ମାସ ଭିତରେ ମୁଖ୍ୟ ଶାସନ ସଚିବଙ୍କ ତତ୍ତ୍ଵାବଧାନରେ ଏନେଇ ସ୍ୱତନ୍ତ୍ର ରୂପରେଖ ପ୍ରସ୍ତୁତ ହେଉଛି। ବିଭିନ୍ନ ଷ୍ଟେକ୍ ହୋଲଡର୍ ଓ ଏଦିଗରେ କାମ କରୁଥିବା ବିଭିନ୍ନ ସ୍ୱେଚ୍ଛାସେବୀଙ୍କୁ ସରକାର ଏଥିରେ ସାମିଲ କରିବେ।
ଆସନ୍ତା ଜୁଲାଇ ୬ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ। ୨୦୧୬ ରେ ରାଜ୍ୟ ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ହାଇକୋର୍ଟରେ ଏକ ମାମଲା କରାଯାଇଥିଲା। ଏଥିରେ ଆବେଦନକାରୀ ଦର୍ଶାଇଥିଲେ କି ଏବେବି ରାଜ୍ୟରେ ବହୁ ଅଣସଂଗଠିତ ଶ୍ରମିକ ଅଛନ୍ତି ଯେଉଁମାନେ ସରକାରୀ ସୁବିଧାରୁ ବଞ୍ଚିତ ଅଛନ୍ତି। ଅଣସଂଗଠିତ ଶ୍ରମିକ କହିଲେ ସଂଘରେ ସାମିଲ୍ ହୋଇ ନଥିବା ସମସ୍ତ ଛୋଟ ଛୋଟ ବ୍ୟବସାୟୀ।
ପୂର୍ବରୁ ସରକାର କୋର୍ଟରେ ଦେଇଥିବା ଅଣସଂଗଠିତ ଶ୍ରମିକଙ୍କ ହିସାବରେ ପ୍ରତିପକ୍ଷ ଆଇନଜୀବୀ ସନ୍ତୋଷ ପ୍ରକାଶ ନକରି ଏହି ତାଲିକାରୁ ଆଉ କିଛି ଅଣସଂଗଠିତ ଶ୍ରମିକ ବାଦ୍ ପଡ଼ିଥିବା ଦର୍ଶାଇ ଥିଲେ। ରାଜ୍ୟ ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ହୋଇଥିବା ଏହି ମାମଲାର ଆଇନଜୀବୀ ମୃଣାଳିନୀ ପାଢୀଙ୍କ ସୂଚନା। ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହୋଇଛି।