ଲକ୍ଷ୍ନୌ ୨୪/୧୨ : କରୋନାର ଭାଇରସର ନୂଆ ଷ୍ଟ୍ରେନକୁ ନେଇ ଉତ୍ତର ପ୍ରଦେଶରେ ହାଇ ଆଲର୍ଟ ଘୋଷଣା କରାଯାଇଛି। ଉତ୍ତର ପ୍ରଦେଶ ସ୍ୱାସ୍ଥ୍ୟ ବିଭାଗ ସବୁ ଜିଲ୍ଲା ଅଧିକାରୀଙ୍କୁ କହିଛନ୍ତି ଯେ ବ୍ରିଟେନରୁ ଆସୁଥିବା ଲୋକଙ୍କ ଟ୍ରେସିଙ୍ଗ ଓ ଟ୍ରେକିଙ୍ଗ କରିବା କାମ ଶୀଘ୍ର ପୁରା କରନ୍ତୁ। ରାଜଧାନୀ ଲକ୍ଷ୍ନୌରେ ଏୟାରପୋର୍ଟ ଅଥୋରିଟି ଅଫ୍ ଇଣ୍ଡିଆ ସ୍ୱାସ୍ଥ୍ୟ ବିଭାଗକୁ ୫୦ ଜଣକ ତାଲିକା ଓ ଫୋନ୍ ନମ୍ବର ଦେଇଛନ୍ତି। ଏମାନେ କିଛି ଦିନ ପୂର୍ବରୁ ବ୍ରିଟେନରୁ ଫେରିଥିଲେ। ସ୍ୱାସ୍ଥ୍ୟ ବିଭାଗ ଏହି ନମ୍ବରରେ ଫୋନ୍ କରିବାରୁ ସେଥିରୁ ଅଧାରୁ ଅଧିକ ନମ୍ବର ବନ୍ଦ ରହିଛି। ଫଳରେ ଇ-ମେଲ୍ ଆଇଡିରେ ସ୍ୱାସ୍ଥ୍ୟ ବିଭାଗ ସେମାନଙ୍କୁ ନୋଟିସ ପଠାଇଛି। ଏହି ନୋଟିସର ଜବାବ ଯଦି ତୁରନ୍ତ ନ ଦିଅନ୍ତି ତାହେଲେ ପୋଲିସକୁ ସୂଚନା ଦେଇ ସେମାନଙ୍କ ଫୋନ ନମ୍ବର ଆଧାରରେ ଲୋକେସନ ଟ୍ରାସ୍ କରାଯିବ ଏବଂ କଲ୍ ହିଷ୍ଟ୍ରି ଆଧାରରେ ସେମାନଙ୍କୁ ଖୋଜାଯିବ।
ଉତ୍ତର ପ୍ରଦେଶ ସ୍ୱାସ୍ଥ୍ୟ ମହାନିର୍ଦ୍ଦେଶକ ଡ.ମେଜର ଦେବେନ୍ଦ୍ର ସିଂହ ନେଗୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ଉତ୍ତର ପ୍ରଦେଶ ସ୍ୱାସ୍ଥ୍ୟ ବିଭାଗ କରୋନା ଭାଇରସର ନୂଆ ଷ୍ଟ୍ରେନ୍ ସହ ଲଢ଼ିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି। କରୋନା ଭାଇରସର ପ୍ରଥମ ଚରଣ ଯେଭଳି ନିୟନ୍ତ୍ରଣ କରାଯାଇଥିଲା ସେହିଭଳି ଦ୍ୱିତୀୟ ଚରଣ ମଧ୍ୟ ନିୟନ୍ତ୍ରଣ କରାଯିବ ବୋଲି ସେ କହିଛନ୍ତି। ବର୍ତ୍ତମାନ ରାଜ୍ୟରେ ଦେଢ଼ ଲକ୍ଷରୁ ଅଧିକ ଲୋକଙ୍କ ଯାଞ୍ଚ ହେଉଛି। ଏବେ ସୁଦ୍ଧା ୨ କୋଟିରୁ ଅଧିକ ଲୋକଙ୍କ ଯାଞ୍ଚ ହୋଇସାରିଲାଣି ବୋଲି ସେ କହିଛନ୍ତି।
ସୂଚନା ଅନୁଯାୟୀ, କରୋନାର ନୂଆ ଷ୍ଟ୍ରେନ୍ ପୂର୍ଵ ଅପେକ୍ଷା ୭୦ ପ୍ରତିଶତ ଅଧିକ ଦ୍ରୁତ ଗତିରେ ବିସ୍ତାର କରୁଛି। ଏହି ସଂକ୍ରମଣ ମଧ୍ୟ ଭୟାବହ। ଉତ୍ତର ପ୍ରଦେଶ ସରକାର କରୋନା ସହ ଲଢ଼ିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି। ଡ.ନେଗୀ କହିଛନ୍ତି, କରୋନାରୁ ବଞ୍ଚିବାକୁ ଲୋକଙ୍କୁ ଥମ୍ବ ରୁଲ ପାଳନ କରିବାକୁ ହେବ।