ଆରୁକୁ ଘଟଣାପରେ ରାୟଗଡାରେ ହାଇଆଲର୍ଟ
24/09/2018 at 1:23 PM

ରାୟଗଡା ୨୪/୯:ରାୟଗଡ଼ା ଜିଲ୍ଲା ପୁଲିସ ପକ୍ଷରୁ ଗତକାଲି ସଂଧ୍ୟାରୁ ହାଇଆଲର୍ଟ ଗ୍ରହଣ କରାଯାଇଛି। ଗତକାଲି ମାଓବାଦୀମାନେ ଆନ୍ଧପ୍ରଦେଶର ଆରୁକୁ ଅଂଚଳରେ ଯେଉଁଭଳି କାଣ୍ଡ ଭିଆଇଛନ୍ତି ତାପରଠୁ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି। ମୁଖ୍ୟତଃ ରାୟଗଡା, ଚାନ୍ଦିଲି ଓ ଶେଷଖାଲ ଥାନା ଅଂଚଳରେ ବ୍ୟାପକ ଯବାନ ମୁତୟନ ହୋଇଛନ୍ତି। ଉକ୍ତ ଘଟଣାପରେ ମାଓବାଦୀମାନେ ଓଡିଶା ଭିତରକୁ ଆସିବା ସମ୍ଭାବନା ଥିବାରୁ ବିଏସଏଫ, ସିଆରପିଏଫ ଓ ଡିଭିଏଫ ଯବାନଙ୍କୁ ଲଗାତାର ଅପରେସନରେ ସାମିଲ କରାଯାଇଛି। ସେହିଭଳି ଗୁଇନ୍ଦା ତଥ୍ୟ ଅଧିକରୁ ଅଧିକ ସଂଗ୍ରହ ଚାଲିଛି। ଆଉ ବର୍ତମାନ ମାଓବାଦୀ ସଂଗଠନର ପ୍ରତିଷ୍ଠା ସପ୍ତାହ ମଧ୍ୟ ଚାଲିଛି। ଗତ ୨୧ ରୁ ଏହା ଆରମ୍ଭ ହୋଇଛି ଏବଂ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଏହା ଚାଲୁରହିବ। ଅପରପକ୍ଷରେ ଅମ୍ବାଦଳା ଥାନା ଅନ୍ତର୍ଗତ ସିଙ୍ଗାରୀ ଜଙ୍ଗଲରେ କିଛି ମାଓବାଦୀ ଠୁଳ ହୋଇଥିବା ସୂଚନା ମିଳିବାପରେ ମୁନିଗୁଡାରେ ଅବସ୍ଥାପିତ ସିଆରପିଏଫ ଯବାନଙ୍କୁ ସେହି ସ୍ଥାନକୁ ପଠାଯାଇଥିବା ସୂଚନା ମିଳିଛି। ଜିଲ୍ଲାର ସମସ୍ତ ୪ ଟି ପ୍ରବେଶପଥ ଓ ରେଳବାଇ ଷ୍ଟେସନରେ ମଧ୍ୟ ଚେକିଂ ଜୋରଦାର କରାଯାଇଥିବା ଜଣାପଡିଛି।