ଆତଙ୍କବାଦୀଙ୍କ ଟାର୍ଗେଟ୍‌ରେ ମୁମ୍ୱାଇ, ରାୟଗଡ଼ ସମୁଦ୍ରତଟରେ ମିଳିଲା ଅସ୍ତ୍ରଶସ୍ତ୍ର ଭର୍ତ୍ତି ସନ୍ଦିଗ୍ଧ ବୋଟ୍‌

Published By : Prameya-News7 Bureau | August 18, 2022 IST

ମୁମ୍ୱାଇ, ୧୮/୦୮: ମହାରାଷ୍ଟ୍ରର ରାୟଗଡ଼ରେ ଏକ ବଡ଼ ଆତଙ୍କୀ କାର୍ଯ୍ୟକଳାପର ପର୍ଦ୍ଦାଫାସ୍‌ ହୋଇଛି । ଉକ୍ତ ଅଞ୍ଚଳରୁ ପୋଲିସ୍‌କୁ ଦୁଇଟି ସନ୍ଦିଗ୍ଧ ନୌକା ମିଳିଛି । ସେଥିମଧ୍ୟରୁ ଗୋଟିଏରେ ଏକେ ୪୭, ରାଇଫଲ୍‌, ଗୁଳି, ବାରୁଦ ଆଦି ମିଳିଛି । ଏହାକୁ ନଜରରେ ରଖି ରାୟଗଡ଼ ଅଞ୍ଚଳରେ ହାଇ ଆର୍ଲଟ୍‌ ଜାରି କରାଯାଇଛି । ଜନ୍ମାଷ୍ଟମୀର ଗୋଟିଏ ଦିନ ପୂର୍ବରୁ ଏବଂ ଗଣେଶ ଚତୁର୍ଥୀକୁ କିଛି ଦିନ ଥିବା ବେଳେ ଏଭଳି ସନ୍ଦିଗ୍ଧ ଭାବେ ଗୋଳା ବାରୁଦ ଭର୍ତ୍ତି ନୌକା ମିଳିବା କୌଣସି ଏକ ବଡ଼ ଧମାକା ନେଇ ପ୍ରଶ୍ନ ଉଠାଇଛି ।

ଅନ୍ୟପଟେ ଆଉ ଗୋଟିଏ ନୌକାରେ କିଛି ଲୋକ ରାୟଗଡ଼ରେ ଓହ୍ଲାଇଥିବା ଜଣାପଡ଼ିଛି । ଏହାକୁ ନେଇ ତର୍ଜମା ଚାଲିଥିବା ବେଳେ ଏଟିଏସ୍‌ ପକ୍ଷରୁ ଯାଞ୍ଚ ଆରମ୍ଭ ହୋଇଛି । ଏନ୍‌ଆଇଏର ଟିମ୍‌ ମଧ୍ୟ ରାୟଗଡ଼ ଗସ୍ତରେଥିବା ଜଣାପଡ଼ିଛି । ସ୍ଥାନୀୟ ଏସ୍‌ପି ଅଶୋକ ଏନେଇ କହିଛନ୍ତି ଯେ ହରିଦ୍ୱାର ସମୁଦ୍ର କୂଳରୁ ପୋଲିସ୍‌କୁ ସନ୍ଦିଗ୍ଧ ନୌକା ମିଳିଛି । ଯେତେବେଳେ ଏହାର ତର୍ଜମା କରାଯାଇଥିଲା ସେଥିରୁ ଗୁଳି, ବନ୍ଧୁକ ଆଦି ମିଳିଥିଲା । ଏହାର ପଛରେ ଏକ ବଡ଼ ଆତଙ୍କୀ କାର୍ଯ୍ୟକଳାପ ନେଇ ଆଶଙ୍କା କରାଯାଉଥିବା ପୋଲିସ୍‌ କହିଛି ।

ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ନୌକା କେଉଁଠାରୁ ଆସିଥିଲା ସେ ନେଇ କୌଣସି ସୂଚନା ମିଳିପାରିନାହିଁ । ପୋଲିସ୍‌ ଏନେଇ ଯାଞ୍ଚ କଡ଼ାକଡ଼ି କରିଥିବା ବେଳେ ଉକ୍ତ ଅଞ୍ଚଳରେ ହାଇ ଆର୍ଲଟ ଜାରି କରିଛି । ପୋଲିସ୍‌ ସୂତ୍ରରୁ ଜଣାପଡ଼ିଛି ଯେ, ଅଗଷ୍ଟ ୩୧ରେ ଗଣେଶ ଚତୁର୍ଥୀ ଅଛି । ରାୟଗଡ଼ର ଏହି ଅଞ୍ଚଳରେ ବିସର୍ଜନ ପାଇଁ ଲକ୍ଷାଧିକ ସଂଖ୍ୟାରେ ଲୋକ ଏକାଠି ହେବେ । ଏହାକୁ ଲକ୍ଷ୍ୟରେ ରଖି ଆତଙ୍କବାଦୀ ହମ୍‌ଲା ହେବା ନେଇ ଆଶଙ୍କା ବଢ଼ିଛି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.