ISI ଆତଙ୍କବାଦୀ ଗିରଫ ହେବାପରେ ହାଇ ଆଲର୍ଟ ଜାରି, ସତର୍କ ରହିବାକୁ ଏସ୍‌ପି ଏବଂ ରେଲଓ୍ବେ ପୋଲିସକୁ କଡା ନିର୍ଦ୍ଦେଶ

Published By : Prameya-News7 Bureau | September 20, 2021 IST

ପାଟନା ୨୦/୦୯ : ଆତଙ୍କୀ ଲିଙ୍କ୍‌ ଅଭିଯୋଗରେ ୨ ଜଣ ଗିରଫ ହେବା ପରେ ଏବେ ବିହାରରେ ହାଇଆଲର୍ଟ ଜାରି କରାଯାଇଛି । ରେଲଓ୍ବେ ସୁରକ୍ଷା ବଳ (RPF)ର ଅଧିକାରୀ ଏକେ ଲାଲ୍‌ ଆତଙ୍କବାଦୀ ଆକ୍ରମଣ ହେବା ନେଇ ବିହାରର ୧୩ ଜିଲ୍ଲାରେ ହାଇଆଲର୍ଟ ଜାରି କରିଛନ୍ତି । ବିହାରର ସମସ୍ତୀପୁର, ଦରଭଙ୍ଗା, ସୀତାମଢି, ସୁପୌଲ, ମୋତିହାରୀ, ବେତିୟା, ମୁଜାଫରପୁର, ଖଗଡିୟା, ମଧୁବନୀ, ବେଗୁସୁରାୟୀ, ସହରସା, ମଧେପୁରା, ପୁର୍ଣ୍ଣିୟା ଏସପି ସମେତ ରେଳ ବିଭାଗ ଅଧିକାରୀମାନଙ୍କୁ ହାଇ ଆଲର୍ଟ ଜାରି କରାଯାଇଛି ।

ଏହି ସମସ୍ତ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାରେ ଥିବା ଅଧିକାରୀମାନଙ୍କୁ ସତର୍କ ରହିବାକୁ କୁହାଯାଇଛି । ଦିଲ୍ଲୀ ପୋଲିସ ୨ ଜଣ ISI ପାକିସ୍ତାନୀ ଆତଙ୍କବାଦୀଙ୍କୁ ଧରିବା ପରେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଯେଭଳି ନଉପୁଜେ ସେ ନେଇ ଦୃଷ୍ଟି ଦିଆଯାଇଛି । ବିହାରର ବିଭିନ୍ନ ସ୍ଥାନରେ ସୁରକ୍ଷାକର୍ମୀ ଏବଂ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ ମଧ୍ୟ ଜାରିରହିଛି ।

ସୁରକ୍ଷାବଳକୁ ମିଳିଥିବା ଗୁପ୍ତ ତଥ୍ୟ ଅନୁସାରେ, ଆତଙ୍କବାଦୀମାନେ ବିଶେଷ କରି ରେଳ ଧାରଣା ଏବଂ ଭିଡ ସ୍ଥାନମାନଙ୍କରେ ଆର୍‌ଡିଏକ୍ସ ବ୍ୟବହାର କରି ବିସ୍ଫୋରଣ କରିବାକୁ ଯୋଜନା କରୁଛନ୍ତି ଆତଙ୍କୀ । ସେଥିପାଇଁ ଦେଶର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସ୍ଥାନମାନଙ୍କରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି । ବିଶେଷ କରି ସର୍ଚ୍ଚ ଅପରେସନକୁ ମଧ୍ୟ ତ୍ବରାନ୍ବିତ କରାଯାଉଛି । କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଯେଭଳି ନଉପୁଜେ ସେଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ମଜବୁତ କରାଯାଇଛି । ଆସନ୍ତା ଦୁର୍ଗା ପୂଜାରୁ ହିଁ ଦେଶର ବିଭିନ୍ନ ରାଜ୍ୟରେ ପ୍ରାୟ ପାର୍ବଣ ଆରମ୍ଭ ହୋଇଯାଉଛି ।

ତେଣୁ ଏହାର ସୁଯୋଗ ନେଇ ଆତଙ୍କବାଦୀମାନେ କୌଣସି ଅପରାଧ ଘଟାଇପାରନ୍ତି । ସେଥିପାଇଁ ବିହାରର ସମସ୍ତ ଏସ୍‌ପି ତଥା ସୁରକ୍ଷା ଦାୟିତ୍ବରେ ଥିବା ଅଧିକାରୀମାନଙ୍କୁ ଆଲର୍ଟ କରାଯାଇଛି । ଜନଗହଳି ପୂର୍ଣ୍ଣ ସ୍ଥାନମାନଙ୍କରେ ସୁରକ୍ଷା ବ୍ୟବସ୍ଥା ତଥା ଯାଞ୍ଚ କଡାକଡି କରାଯାଉଛି ବୋଲି ମଣ୍ଡଳ ସୁରକ୍ଷା ଅଧିକାରୀ ଏକେ ଲାଲ୍‌ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.