ନୂଆଦିଲ୍ଲୀ ୧୯/୧୦: ଥମୁନି ଇସ୍ରାଏଲ ଓ ହେଜବୁଲ୍ଲା ମଧ୍ୟରେ ଯୁଦ୍ଧ । ଦିନକୁ ଦିନ ଏହା ଉଗ୍ର ହେବାରେ ଲାଗିଛି । ଏହାରି ଭିତରେ ହମାସ ମୁଖ୍ୟା ୟାହୟା ସିନଓ୍ୱାରଙ୍କ ମୃତ୍ୟୁର ଦିନକ ପରେ ଇସ୍ରାଏଲ୍ ଉପରେ ଆଟାକ୍ କରିଛି ହେଜବୁଲ୍ଲା। ଲେବନାନରୁ ଇସ୍ରାଏଲ୍ର ଏକ ବିଲ୍ଡିଂ ଉପରେ ହେଜବୁଲ୍ଲା ଡ୍ରୋନ୍ ମାଡ଼ କରିଛି । ଏହି ହମ୍ଲା ଜରିଆରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ଟାର୍ଗେଟ୍ କରିବାକୁ ଚେଷ୍ଟା କରାଯାଇଛି। ଇସ୍ରାଏଲ୍ର ହାଇଫା କେସରିୟା ଅଞ୍ଚଳରେ ଏହି ଆକ୍ରମଣ ହୋଇଛି।
ରିପୋର୍ଟ ଅନୁଯାୟୀ, ଇସ୍ରାଏଲ୍ ସୁରକ୍ଷା ବାହିନୀ ଏହି ଆକ୍ରମଣକୁ ନେଇ ସ୍ପଷ୍ଟ କରିଛି । ଦକ୍ଷିଣ ହାଇଫାର କେସରିଆରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ବାସଭବନ ନିକଟରେ ଡ୍ରୋନ୍ ହମ୍ଲା ହୋଇଛି । ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି। ଲେବନାନ ପଟୁ ରକେଟ୍ ମାଡ଼ ହେବା ପରେ ସକାଳେ ହାଇଫା ଅଞ୍ଚଳରେ ଓ୍ୱର୍ଣ୍ଣିଂ ସାଇରନ୍ ବାଜି ଉଠିଥିଲା ବୋଲି ଆଇଡିଏଫ କହିଛି।
ଯେଉଁ ସୂଚନା ସାମ୍ନାକୁ ଆସିଛି ସେଥିରେ ଦର୍ଶାଇଛି ଯେ ଡ୍ରୋନ୍ ସିଧାସଳଖ ଟାର୍ଗେଟକୁ ମାରିବାରେ ସକ୍ଷମ ଥିଲା। ଇସ୍ରାଏଲର ସୁରକ୍ଷା ବାହିନୀ ସ୍ୱୀକାର କରିଛି ଯେ ଡ୍ରୋନ୍ ଆକ୍ରମଣକୁ ରୋକିବାରେ ଏହାର ଏୟାର ଡିଫେନ୍ସ ସିଷ୍ଟମ୍ ବିଫଳ ହୋଇଛି।
ଇସ୍ରାଏଲ୍ ସେନା କହିବା ମୁତାବକ ତିନୋଟି ଡ୍ରୋନ୍ ଲେବନାନରୁ ହାଇଫା ଆଡକୁ ଆସିଥିଲା । ସେଥିମଧ୍ୟରୁ କେବଳ ଦୁଇଟି ଚିହ୍ନଟ ହୋଇଥିଲା ଏବଂ ତାକୁ ଅଟକାଯାଇଥିଲା। ତୃତୀୟ ଡ୍ରୋନ୍ଟି କେସରିୟାରେ ଥିବା ଏକ କୋଠା ଉପରେ ମାଡ଼ ହୋଇଥିଲା। ଏହି ବିସ୍ଫୋରଣ ବେଶ୍ ଶକ୍ତିଶାଳୀ ଥିଲା।
ତେବେ ଇସ୍ରାଏଲ ସେନା ଡ୍ରୋନ ମାଡ଼ ସମୟରେ ନେତାନ୍ୟାହୁ କେସରିୟାରେ ଥିବା ତାଙ୍କ ବ୍ୟକ୍ତିଗତ ବାସଭବନରେ ଥିଲେ ନା ନାହିଁ ତାହା ସ୍ପଷ୍ଟ କରି ନାହିଁ। ତେବେ କୁହାଯାଉଛି ଯେ ନେତାନ୍ୟାହୁ ଘରେ ନଥିଲେ। ଲେବନାନ୍ ଉପରେ ଇସ୍ରାଏଲ କରିଥିବା ନିର୍ଦ୍ଦୟ ଆକ୍ରମଣ ଏବଂ ଗାଜାରେ ହୋଇଥିବା ହତ୍ୟାକାଣ୍ଡର ଜବାବରେ ହେଜବୁଲ୍ଲା ନିଜର କାର୍ଯ୍ୟକଳାପକୁ ଆହୁରି ଦୃଢ଼ କରିବାକୁ ପ୍ରତିଶ୍ରୁତି ଦେଇଥିବା ବେଳେ ଏହି ଆକ୍ରମଣ ହୋଇଛି।