ଗୁଜରାଟ ଏଟିଏସ ଏବଂ ଡିଆରଆଇକୁ ବଡ଼ ସଫଳତା, ୨୦୦୦ କୋଟିର ହେରୋଇନ ଜବତ

Published By : Prameya-News7 Bureau | April 22, 2022 IST

ନୂଆଦିଲ୍ଲୀ,୨୨/୦୪: ଗୁଜରାଟ ଏଟିଏସ ଏବଂ ଡିଆରଆଇ ଟିମକୁ ମିଳିଛି ବଡ଼ ସଫଳତା। ଏକ ମିଳିତ ଅପରେସନରେ କାଣ୍ଡଲା ପୋର୍ଟ ନିକଟରେ ଥିବା ଏକ ଗୋଦାମରୁ ୩୫୦ କେଜି ହେରୋଇନ ଜବତ କରାଯାଇଛି। ଜବତ ହେରୋଇନର ମୂଲ୍ୟ ୨୦୦୦ କୋଟି ଟଙ୍କା ହୋଇଥିବା କୁହାଯାଉଛି।

ବୁଧବାର ବିଳମ୍ୱିତ ରାତିରେ ଚଢଉ କରି ଏହା ଜବତ କରାଯାଇଥିଲା। ଯେଉଁ ଘରୋଇ କଣ୍ଟେନର ଗୋଦାମ ଉପରେ ଚଢଉ କରାଯାଇଥିଲା ତାହା କାଣ୍ଡଲା ପୋର୍ଟଠାରୁ ୧୬ କିଲୋମିଟର ଦୂରରେ ଥିବା ଜଣାପଡିଛି । ଗୁଜରାଟ ଏଟିଏସର ଅଧିକାରୀ କହିଛନ୍ତି ୧୭ କଣ୍ଟେନରରେ ୧୦,୩୧୮ ଜିପସମ ବସ୍ତା ଅଣାଯାଇଥିଲା। ଏହାର ଓଜନ ପ୍ରାୟ ୩,୯୪,୪୦୦ କିଲୋ କୁହାଯାଉଛି। ଇରାନର ଅବ୍ବାସ ବନ୍ଦରରୁ କିୱନ ୟୁସେଫି ବୁଲେୟାର୍ଡ ଇମାମ ଲୋସିଙ୍ଗ ତଲେହ ଫାଜରୁ ଆମଦନୀ କରାଯାଇଥିଲା।

ଗୁଜରାଟ ଏଟିଏସ ଏବଂ ଡିଆରଆଇ ଟିମ ମାମଲାର ତଦନ୍ତ କରୁଛି । ଏହି ମାମଲାକୁ ଏନଆଇଏକୁ ହସ୍ତାନ୍ତର କରାଯିବାର ସମ୍ଭାବନା ରହିଛି। ଇରାନରୁ ଆମଦାନୀ କରିଥିବା ଫାର୍ମାକୁ ଖୋଜିବା ପାଇଁ ଗୁଜରାଟର ଏକ ଟିମ ଉତ୍ତରାଖଣ୍ଡରେ ପହଞ୍ଚି ସାରିଛି।

ଏହା ପୂର୍ବରୁ ଗତ ବର୍ଷ ସେପ୍ଟେମ୍ୱର ମାସରେ ମୁନ୍ଦ୍ରା ପୋର୍ଟରୁ ୨୧ ହଜାର କୋଟି ଟଙ୍କାର ହେରୋଇନ ଜବତ କରାଯାଇଥିଲା। ସେହି ସମୟରେ ଏହି ମାମଲା ଦେଶର ବେଶ ଚର୍ଚ୍ଚିତ ହୋଇଥିଲା। ଟେକ୍ଲମ ପାଉଡର ନାଁରେ ଏହାକୁ ଆମଦାନୀ କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.