ଝାଡ଼ଖଣ୍ଡରେ ୭୦ ଆସନରେ ଲଢିବେ ଜେଏମ୍‌ଏମ୍-କଂଗ୍ରେସ, ସହଯୋଗୀଙ୍କୁ ୧୧ ସିଟ୍

Published By : Prameya-News7 Bureau | October 19, 2024 IST

ରାଞ୍ଚି: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ଇଣ୍ଡି ମେଣ୍ଟ ନିଜର ସମସ୍ତ ସହଯୋଗୀଙ୍କ ସହ ମିଶି ନିର୍ବାଚନ ଲଢିବ । ଏଥିପାଇଁ ଆସନ ବୁଝାମଣା ଉପରେ ସହମତି ହୋଇଛି । ଏନେଇ ଶନିବାର ଅପରାହ୍ଣରେ ରାଞ୍ଚିରେ ଇଣ୍ଡି ସଦସ୍ୟ ଦଳଗୁଡିକ ବୈଠକ କରିଛନ୍ତି । ଏହି ବୈଠକ ପରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଆସନ ବୁଝାମଣା ହୋଇଥିବା ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ରାଜ୍ୟର ୮୧ ବିଧାନସଭା ଆସନ ମଧ୍ୟରୁ ୭୦ ସିଟ୍‌ରେ କଂଗ୍ରେସ ଏବଂ ଜେଏମ୍‌ଏମ୍‌ ନିର୍ବାଚନ ଲଢିବେ । ବଳକା ୧୧ ଆସନ ଅନ୍ୟ ସହଯୋଗୀ ଦଳଙ୍କୁ ଦିଆଯିବ ।

ସାମ୍ୱାଦିକ ସମ୍ମିଳନୀରେ ସିଏମ୍ ହେମନ୍ତ କହିଛନ୍ତି ଯେ ଆଗାମୀ ବିଧାନସଭା ନିର୍ବାଚନରେ ବାମ ଦଳ ମଧ୍ୟ ଇଣ୍ଡି ମେଣ୍ଟର ସହଯୋଗୀ ଦଳ ଭାବେ ନିର୍ବାଚନ ଲଢିବେ । ସିଏମ୍ ସୋରେନ କହିଛନ୍ତି ଯେ ୧୧ ଆସନରେ ଆରଜେଡି, ବାମ ଦଳ ଏବଂ ଅନ୍ୟ ସହଯୋଗୀ ଦଳ ପ୍ରାର୍ଥୀ ଦେବେ । ତେବେ କେଉଁ ଆସନରେ କେଉଁ ଦଳର ପ୍ରାର୍ଥୀ ଲଢିବେ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନାହିଁ ।    

ଏହା ପୂର୍ବରୁ ଶୁକ୍ରବାର ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ବିଜେପି ନେତୃତ୍ୱାଧୀନ ଏନଡିଏରେ ସିଟ୍ ବୁଝାମଣା ଶେଷ ହୋଇଥିଲା । ଆସନ ବୁଝାମଣା ଅନୁସାରେ ବିଜେପି ଝାଡ଼ଖଣ୍ଡର ୬୮ ଆସନରେ ନିର୍ବାଚନ ଲଢିବ । ସେହିପରି ଆଜସୁ ୧୦, ଜେଡିୟୁ ୨ ଏବଂ ଏଲଜେପି (ଆର)କୁ ଗୋଟିଏ ଆସନରେ ଲଢିବ ।

ଉଲ୍ଲେଖଯୋଗ୍ୟ ଯେ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଦୁଇଟି ପର୍ଯ୍ୟାୟରେ ମତଦାନ ହେବ । ନଭେମ୍ୱର ୧୩ରେ ପ୍ରଥମ ଏବଂ ନଭେମ୍ୱର ୨୦ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ହେବ । ପ୍ରଥମ ପର୍ଯ୍ୟାୟରେ ୪୩ ବିଧାନସଭା ଆସନ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୩୮ ସିଟ୍ ପାଇଁ ମତଦାନ ହେବ । ଝାଡ଼ଖଣ୍ଡରେ ଏନଡିଏର ମୁକାବିଲା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ନେତୃତ୍ୱାଧୀନ ଇଣ୍ଡି ମେଣ୍ଟ ସହ ହେବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.