ଅନାଥ ହେବାର ୮ ବର୍ଷ ବିତିଗଲାଣି: ଆହା ପଦେ କହିବାକୁ କେହି ନାହାଁନ୍ତି, ଖୋଜୁଛନ୍ତି ସରକାରୀ ସହାୟତା
3/10/2020 at 5:14 PM

ବୌଦ୍ଧ୩/୧୦: ଅନାଥ ହେବାର ୮ ବର୍ଷ ବିତିଗଲାଣି। ହେଲେ ଆହା ପଦେ କହିବାକୁ କେହି ନାହାନ୍ତି। ଭଙ୍ଗା ଝାଟିମାଟି କୁଢ଼ିଆ ଘରେ ବିପଦ ସଙ୍କୁଳ ଅବସ୍ଥାରେ ଜୀବନ କାଟୁଛନ୍ତି ଏହି ଦୁଇ ଭଉଣୀ। ଏତେ ବଡ଼ ଦୁନିଆଁରେ ସେମାନଙ୍କ ଭଲ-ମନ୍ଦ ପଚାରି ବୁଝିବାକୁ କେହି ନାହାନ୍ତି। ପୈତୃକ ସମ୍ପତ୍ତି କହିଲେ, ମୁଣ୍ଡ ଗୁଞ୍ଜିବା ପାଇଁ ଖଣ୍ଡେ ଭଙ୍ଗା ଦଦରା ଘର ଛଡା ଆଉ କିଛି ନାହିଁ। ପେଟକୁ ଗଣ୍ଡେ ଦାନ ଯୋଗାଡ଼ କରିବା, ତାଙ୍କ ପକ୍ଷେ କଷ୍ଟକର। ସରକାର ତରଫରୁ ମିଳୁଥିବା ୫ ଜେକି ଚାଉଳ କିଣିବା ପାଇଁ ମଧ୍ୟ ତାଙ୍କ ପାଖରେ ସେତିକି ଅର୍ଥ ସମ୍ବଳ ନାହିଁ। ଏତେ ସବୁ କଷ୍ଟଭିତରେ ଛାତିକୁ ପଥର କରି ଦୁଃଖ-କଷ୍ଟ-ଯନ୍ତ୍ରଣା ସହି ଜୀବନ କାଟୁଛନ୍ତି ଏହି ଦୁଇ ଭଉଣୀ। ଆମେ କହୁଛୁ, ବୌଦ୍ଧା ଜିଲ୍ଲା ହରଭଙ୍ଗା ବ୍ଲକ କାଚପାଜୁ ଗାଁରେ ରହୁଥିବା ଅସହାୟ ଦୁଇ ଭଉଣୀ ଅନ୍ନପୂର୍ଣ୍ଣା ଏବଂ ଶ୍ରୀମୟୀଙ୍କ କଥା।
ଶ୍ରୀମୟୀ ଯେତେବେଳେ ଦେଢ଼ବର୍ଷ ହୋଇଥିଲେ, ବାପା-ମାଆ ଆଗପଛ ହୋଇ ଆରପାରିକୁ ଚାଲିଗଲେ। ସେବେଠାରୁ ସାନ ଭଉଣୀ ଶ୍ରୀମୟୀର ଭରଣ ପୋଷଣ ଦାୟିତ୍ବ ନେଇଥିଲେ ବଡ ଭଉଣୀ ଅନ୍ନପୂର୍ଣ୍ଣା। ସାହି ପଡିଶାଙ୍କ ଘରେ କାମ କରି ଯାହା ମିଳେ, ସେଥିରେ ୨ ଭଉଣୀ ନିଜର ଗୁଜୁରାଣ ମେଣ୍ଟାଇଥାଆନ୍ତି। ବୋଝ ଉପରେ ଲଳିତା ବିଡ଼ା ସଦୃଶ ଭଳି ଅଚାନକ ସାନ ଭଉଣୀକୁ ଅଜଣା ରୋଗ ମାଡି ବସିଲା। ଏପଟେ କରୋନାର ପ୍ରକୋପ, ସେପଟେ ସାନ ଭଉଣୀ ଅସୁସ୍ଥ।
ସେଥିରେ ପୁଣି କାମ ଧନ୍ଦା ନଥିବାକୁ, ସାନ ଭଉଣୀକୁ ଏକୁଟିଆ ଛାଡି କୁଆଡ଼େ ଯାଇ ପାରୁ ନାହାନ୍ତି ଅନ୍ନପୂର୍ଣ୍ଣା। ଛୋଟ ଝିଅଟି ବଡ ହେଲେ ସୁନ୍ଦର ଭବିଷ୍ୟତକୁ ନେଇ ଅନେକ ସ୍ବପ୍ନ ଦେଖିଥାଏ, ହେଲେ ସାନ ଭଉଣୀର ଅଜଣା ରୋଗ ଏବଂ ଅଭାବୀ, ଶ୍ରୀମୟୀଙ୍କ ସୁନ୍ଦର ସ୍ବପ୍ନ ଉପରେ କଳା ବାଦଲା ଢ଼ାଙ୍କି ଦେଇଛି। ବିବାହ କଥା ପଚାରିଲେ, ଶ୍ରୀମୟୀ କୁହନ୍ତି, ମୁଁ ତା ଭଉଣୀ ହୋଇଥିଲେ, ତା ହାତ ଛାଡି ଦେଇଥାଆନ୍ତି, ହେଲେ ମୁଁ ତ ତା ମା, ମା ହୋଇ କେମିତି ଝିଅ ଭଳି ସାନ ଭଉଣୀକୁ ନିଜଠୁ ଅଲଗା କରିଦେବି।
ସେ ଆହୁରି ମଧ୍ୟ କହିଛନ୍ତି, ପିଣ୍ଡରେ ପ୍ରାଣ ଆଉ ଦେହରେ ବଳ ଥିବା ପର୍ଯ୍ୟନ୍ତ, ତାର ସେବା କରିବି। ବର୍ତ୍ତମାନ ପରିସ୍ଥିତିରେ ଦିଓଳି ଦିମୁଠା ଖାଇବା ତାଙ୍କ ପକ୍ଷେ କଷ୍ଟକର ହୋଇପଡିଛି। ତାଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯାଉ ବୋଲି ୨ ଭଉଣୀ ସରକାରଙ୍କୁ ଗୁହାରି କରିଛନ୍ତି। ଏ ନେଇ ସ୍ଥାନୀୟ ବିଡିଓଙ୍କ ସହ ଆମେ ଯୋଗାଯୋଗ କରୁଥିଲେ, ବିଡିଓ କହିଥିଲେ ଯେ, ସରକାରୀ ସୁବିଧା ଯାହା ରହିଛି, ସେମାନଙ୍କୁ ଯୋଗାଇ ଦିଆଯିବ। ଏତେ ଦୁଃଖକଷ୍ଟ ଥାଇ ମଧ୍ୟ ଦୁଇ ଭଉଣୀଙ୍କ ମଧ୍ୟରେ ଥିବା ପରସ୍ପର ପ୍ରତି ଭଲପାଇବା, ସ୍ନେହ-ମମତା ସେହିଭଳି ଅତୁଟ ରହିଛି।