ଭଙ୍ଗା କୁଡିଆରେ ୧୫ବର୍ଷ ହେଲା ବନ୍ଦୀ ଜୀବନ ବିତାଉଛନ୍ତି ଅସହାୟ ଦମ୍ପତ୍ତି, ଚିକିତ୍ସାରେ ଅର୍ଥ ସାଜିଛି ବାଧକ

Published By : Prameya-News7 Bureau | November 30, 2019 IST

ସୁନ୍ଦରଗଡ ୩୦।୧୧: ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା କୁଲାବିରା ଗାଁରେ ଏକ ମାନସିକ ଭିନ୍ନକ୍ଷମ ଦମ୍ପତ୍ତି ଆଜିକୁ ୧୫ବର୍ଷରୁ ଅଧିକ ସମୟ ଧରି ଏକ ଘରେ ବନ୍ଦୀ ଜୀବନ ବିତାଉଛନ୍ତି । ବାପାଙ୍କୁ ଖଟରେ ବାନ୍ଧି କାମଧନ୍ଧା କରିବାକୁ ବାହାରକୁ ଯାଉଛି ପୁଅ । ଆଉ ବନ୍ଦ କୋଠରୀରେ ପୁଅର ଆସିବା ବାଟକୁ ଅନାଇ ବସୁଛନ୍ତି ନାଚାର ବାପା ମା’ ।

{"id":191879,"sizeSlug":"large"}

କାନ୍ଥ ଫାଟି ଆଁ କଲାଣି । ପଲିଥିନ ଟଣା ଘରର ଛପର ଆଉ ଭଙ୍ଗା ଦଦରା କବାଟ ହିଁ ବୟାନ କରୁଛି ଏହି ପରିବାରର ଦୁର୍ଦ୍ଦଶାର ଚିତ୍ର । ଏମାନଙ୍କ ଦୁର୍ଦ୍ଦଶା ଏତିକିରେ ସୀମିତ ରହିନି, ଆଜିକୁ ୧୫ବର୍ଷରୁ ଅଧିକ ସମୟ ଧରି ଏହି ଭଙ୍ଗାଘର ଭିତରେ ବନ୍ଦୀ ଜୀବନ ବିତାଉଛନ୍ତି ଏକ ମାନସିକ ଭିନ୍ନକ୍ଷମ ଦମ୍ପତ୍ତି । ଖଟିଆ ଉପରେ ବାପାଙ୍କ ଗୋଡ଼କୁ ବାନ୍ଧି କାମ କରିବାକୁ ଯାଉଛି ପୁଅ । ଆଉ ଏମିତି ଚଟାଣ ଉପରେ ଘୋଡ଼ି ହୋଇ ଶୋଇରୁହନ୍ତି ମା’ । ଉଭୟ ବାପା ମା’ ବନ୍ଦ ଘରେ ପଡ଼ି ପଡ଼ି ପୁଅର ଆସିବା ବାଟକୁ ଅନାଇ ବସିଥାନ୍ତି ।

{"id":191880,"sizeSlug":"large"}

ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ବ୍ଲକ୍ କୁଲାବିରା ଗାଁର ଖେଲାନନ୍ଦଙ୍କ ପରିବାରରେ । ଖେଲାନନ୍ଦ ଆଉ ତାଙ୍କ ପତ୍ନୀ ଦେବକୀ ଦୁହେଁ ମାନସିକ ରୋଗରେ ଆକ୍ରାନ୍ତ । ଏମାନଙ୍କ ଦୁଇ ପୁଅ ପରମେଶ୍ବର ଓ ରମେଶଙ୍କର ବୁଦ୍ଧି ହେଲା ଦିନଠାରୁ ବାପା ମା’ଙ୍କ ଏଭଳି ଅବସ୍ଥାକୁ ଦେଖି ଆସୁଛନ୍ତି । ବଡ଼ପୁଅ ପରମେଶ୍ବର ମଜୁରୀ ଲାଗି ୪ ପ୍ରାଣୀ କୁଟୁମ୍ବଙ୍କ ପେଟକୁ ଦାନା ଯୋଗାଡ଼ କରୁଛନ୍ତି । ଆଉ ସାନଭାଇ ରମେଶ ଗାଈ ଚରାଉଛି । ବାପା ମା’ଙ୍କ ଚିକିତ୍ସା ତ ଦୂରର କଥା ରହିବାକୁ ଘର ଖଣ୍ଡିଏ ନଥିବାରୁ ପ୍ରଶାସନ ପାଖରେ ଅନେକ ଥର ନେହୁରା ହୋଇଛନ୍ତି । ହେଲେ କେହି କେବେ ତାଙ୍କ ଦୁର୍ଦ୍ଦଶା ପ୍ରତି ଦୃଷ୍ଟି ଦେଇନାହାନ୍ତି ।

{"id":191881,"sizeSlug":"large"}

କିଏ କହୁଛି ୧୭/୧୮ ବର୍ଷ କିଏ କହୁଛି ୨୦ବର୍ଷ ହେଲା ଏହି ପରିବାର ଏମିତି ବଞ୍ଚିବାକୁ ଅହରହ ସଂଘର୍ଷ କରୁଛନ୍ତି । ହେଲେ ଏମାନଙ୍କ ଦୁର୍ଦ୍ଦଶା ଦୂର କରିବାକୁ କେହି ଆଗେଇ ଆସିନାହାନ୍ତି । ଏଠି ପ୍ରଶ୍ନ ଉଠୁଛି କୁଲାବିରା ଗାଁରେ ଏମିତି ଗୋଟେ ପରିବାର ଅଛି ବୋଲି ଜାଣି ମଧ୍ୟ କ’ଣ କରୁଛନ୍ତି ଲେଫ୍ରିପଡ଼ା ବିଡିଓ, କ’ଣ କରୁଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ, କ’ଣ କରୁଛନ୍ତି ସ୍ଥାନୀୟ ଜନ ପ୍ରତିନିଧି । ଏହି ଅସହାୟ ପରିବାର ପାଇଁ ଏମାନଙ୍କର କ’ଣ କିଛି କର୍ତ୍ତବ୍ୟ ନାହିଁ ?

{"id":191882,"sizeSlug":"large"}

ଏଠି ଗରିବ ଅସହାୟଙ୍କ ପାଇଁ ସରକାର କେତେ କ’ଣ ଯୋଜନା କରିଛନ୍ତି । ହେଲେ ପ୍ରଶାସନିକ ଅଧିକାରୀଙ୍କ ଅବହେଳା ଯୋଗୁଁ ବର୍ଷ ବର୍ଷ ଧରି ଦୁର୍ଦ୍ଦଶା ଭୋଗୁଛନ୍ତି ଏଭଳି କିଛି ଲୋକେ । ତୁରନ୍ତ ଏହି ମାନସିକ ଭିନ୍ନକ୍ଷମ ଦମ୍ପତ୍ତିଙ୍କ ଚିକିତ୍ସା ସହ ଏହି ପରିବାରକୁ ଘର ଯୋଗାଇଦେବାକୁ ଦାବି କରୁଛି ନ୍ୟୁଜ୍‌ ସେଭେନ୍‌ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.