କର୍କଟ ରୋଗ ପାଇଁ ପାଇଁ ଜଙ୍ଗଲ ମଶାଣିର ପରିତ୍ୟକ୍ତ ଘରେ ରହୁଛନ୍ତି ଅସହାୟ ପରିବାର
18/05/2022 at 10:51 PM

କୁଚିଣ୍ଡା ୧୮/୦୫ : ସାମାଜିକ ବାସନ୍ଦ ହୋଇ ନଥିଲେବି ଅଲଗା ହୋଇ ରହିବା ପାଇଁ ବାଧ୍ୟ କରିଛି ପରିସ୍ଥିତି। ନିଆଁ, ପାଣି ବନ୍ଦ ହୋଇ ନଥିଲେ ବି ଗାଁ ରେ ସମସ୍ତଙ୍କ ସହିତ ମିଶି ଚଳିବାକୁ ବାରଣ କରାଯାଇଛି। ଏବେ ପରିବାର ପାଇଁ ନୂଆ ଠିକଣା ପାଲଟିଛି ଗାଁ ମୁଣ୍ଡ ମଶାଣି ପାଖରେ ଥିବା ଅବ୍ୟବହୃତ ଭଙ୍ଗା ଘର। ସେଠାରେ ସ୍ଵାମୀ, ସ୍ତ୍ରୀ ଆଉ ବୁଢ଼ୀ ମା କର୍ମକୁ ଆଦରି ପଡି ରହିଛନ୍ତି। କାରଣ କର୍କଟ ଭଳି ଏକ ମାରାତ୍ମକ ରୋଗରେ ପୁଅ ଉଣ୍ଡୁ ନାଏକ ପିଡ଼ୀତ ଅଛନ୍ତି ।
ସେମାନେ ଏପରି ଘରେ ରହୁଛନ୍ତି ,ସେଠାରେ ନାଁ ପାଣି ଅଛି, ନା ବିଜୁଳି। ହେଲେ କର୍କଟ ରୋଗରେ ପିଡ଼ୀତ ହୋଇଥିବା ଜଣେ ପୁଅ ପାଇଁ ସାଇ, ପଡିଶା, ଗାଁ, ପରିବାର ଛାଡି ଏହି ଘରେ ଆଶ୍ରୟ ନେଇଛି ଏହି ତିନିଜଣ। ପୁଅର ଚିକିତ୍ସା ପାଇଁ ଯାହା ଯୋଉଠି ଥିଲା ବିକି ଭାଙ୍ଗି ସରିଗଲା ପରେ ଏବେ ଚିକିତ୍ସା ପାଇଁ ହାତରେ ଟଙ୍କାଟିଏ ବି ନାହିଁ। ପରିବାର ମଧ୍ୟ ଘରେ ରହିବା ପାଇଁ ବାରଣ କଲେ। ତେଣୁ ବାଧ୍ୟ ହୋଇ ଗାଁ ମଶାଣୀରେ ଥିବା ଏହି ଭଙ୍ଗା ଦଦରା ଘରେ ଆଶ୍ରୟ ନେଇଛନ୍ତି ଏହି ପରିବାର। କର୍କଟ ରୋଗ ପାଇଁ ଉଣ୍ଡୁ ନାଏକଙ୍କ ମୁହଁ ଅଧା ନଷ୍ଟ ହୋଇଗଲାଣି । ଦେଖିବାକୁ ମଧ୍ୟ ଭୟ ଲାଗୁଛି । ହେଲେ କରିବେ ବା କଣ ? ଗାଁ ବାହାରେ ଏଇଠି ରାତିଦିନ ଜୀବନ ଜିଉଁଛନ୍ତି ଏହି ୩ ଜଣିଆ ପରିବାର। ଆହା ପଦେ କହିବାକୁ କେହି ନାହିଁ । ବୁଢୀ ମା ଓ ସ୍ତ୍ରୀ ଆଖିରୁ ଲୁହ ଶୁଖୁନାହିଁ। ସର୍ବହରା ହେବାପରେ ଏବେ ଏକମାତ୍ର ଭରସା ସେଇ ସରକାରୀ ସାହାଯ୍ୟ ଉପରେ ।
ଗାଁ ଲୋକେ ଯଥା ସମ୍ଭବ ସାହାଯ୍ୟ ସହଯୋଗ କରୁଥିଲେ ବି ସରକାରୀ ସାହାଯ୍ୟ ପାଇଲେ ଉଣ୍ଡୁ ନାଏକ ଓ ପରିବାର ଉପକୃତ ହୋଇପାରନ୍ତେ ବୋଲି ଗ୍ରାମବାସୀ କହିଛନ୍ତି । ତେବେ ଜମନକିରା ବିଡିଓଙ୍କୁ ଏ ବିଷୟରେ ଯୋଗାଯୋଗ କରିବାରୁ ଆମେ ଏ ବିଷୟରେ ଏବେ ଜାଣିଲୁ ରୋଗୀଙ୍କୁ ଯାଇ ଦେଖିଲା ପରେ ନିଶ୍ଚୟ ତାଙ୍କର ଅଧିକ ଚିକିତ୍ସା ପାଇଁ ଚେଷ୍ଟା କରିବୁ ବୋଲି ସେ ପ୍ରତିଶୃତି ଦେଇଛନ୍ତି।
ମଶାଣି ଭିତରେ ମଶାରୀ ଆଢୁଆଳରେ ରହି ଜୀବନ ଜିଇଁବାର ରାହା ଖୋଜୁଥିବା କ୍ୟାନ୍ସର ପିଡିତ ଉଣ୍ଡୁ ନାଏକ ଏବେ ମନରେ ଆଶା ବାନ୍ଧିଛନ୍ତି ଆଗକୁ ସରକାର ନିଶ୍ଚୟ ସାହାଯ୍ୟର ହାତ ବଢାଇବେ ଆଉ ସେ ସମ୍ପୁର୍ଣ୍ଣ ଭଲ ହେବେ