ଅବହେଳିତ କେନ୍ଦରା ବାଦ୍ୟକାର, କଳାକାରଙ୍କୁ ମିଳୁନି ଭତ୍ତା, ଯୋଜନାରେ ସାମିଲ କରିବାକୁ ଲୋକଙ୍କ ଦାବି

Published By : Prameya-News7 Bureau | November 27, 2022 IST

ଖଲ୍ଲିକୋଟ ୨୭/୧୧- ସ୍ବତନ୍ତ୍ର କଳାଭୂକ୍ତ ହୋଇଛି କେନ୍ଦରା ବାଦ୍ୟ । ବାଦ୍ୟଯନ୍ତ୍ରକୁ ରୋଜଗାର ମାଧ୍ୟମ କରିଛନ୍ତି କିଛି କଳାକାର । ହେଲେ ଏହି କଳାକାର ଏବେ ପ୍ରଶାସାନିକ ଅବହେଳାର ଶିକାର ହେଉଛନ୍ତି । ରାଜ୍ୟ ସରକାରଙ୍କ କଳାକାର ଭତ୍ତା ଯୋଜନାରୁ ବଞ୍ଚିତ ହୋଇଛନ୍ତି କେନ୍ଦରା ବାଦକ । ଗଞ୍ଜାମ ଜିଲ୍ଲା ବାସନାପଲ୍ଲୀ ଗାଁର କେନ୍ଦରା ବାଦକ ଜି. କୋଟେସୁଙ୍କୁ ଏଯାଏଁ ମିଳିନି ସହାୟତା । କଳାକାର ଭତ୍ତା ଯୋଜନାରେ ସାମିଲ କରି ଭତ୍ତା ଯୋଗାଇ ଦେବାକୁ ଦାବୀ କରିଛନ୍ତି ସ୍ଥାନୀୟ ଲୋକ ।

ଆଧୁନିକତାର ଛାପରେ ନୀରବି ଗଲାଣି କେନ୍ଦରା ସ୍ବର । ଅତ୍ୟାଧୁନିକ ବାଦ୍ୟଯନ୍ତ୍ର ଆଗରେ ପରିଚୟ ହରାଇଲାଣି ହାତ ତିଆରି ପାରମ୍ପରିକ ବାଦ୍ୟଯନ୍ତ୍ର । ପୂର୍ବ ଭଳି ଗାଁ ଦାଣ୍ଡରେ ଆଉ କେନ୍ଦରା ବାଦକଙ୍କୁ ଦେଖିବାକୁ ମିଳୁନି । ପାରମ୍ପରିକ ଲୋକବାଦ୍ୟକୁ ବଜାଇ ପରିବାର ପ୍ରତିପୋଷଣ କରୁଥିବା ବାଦ୍ୟକାର ଏବେ ଚିନ୍ତାରେ ରହିଛନ୍ତି । ଏଭଳି ଜଣେ କେନ୍ଦରା ବାଦକ ହେଉଛନ୍ତି ଗଞ୍ଜାମ ଛତ୍ରପୁର ବ୍ଲକ୍ ବାସନାପଲ୍ଲୀ ଗାଁର ଜି. କୋଟେସୁ । ଖୋର୍ଦ୍ଧା, ପୁରୀ, ଇଛାପୁର ଅଞ୍ଚଳରେ କେନ୍ଦରା ବଜାଇ ଦୁଇ ପଇସା ରୋଜଗାର କରୁଛନ୍ତି କୋଟେସୁ । ମାତ୍ର ଏହି ରୋଜଗାର ସମୁଦ୍ରକୁ ଶଙ୍ଖେ । ପୂର୍ବରୁ ଭଳି କେନ୍ଦରା ବଜାଇ ପରିବାର ପ୍ରତିପୋଷଣ କରିବା ମୁସ୍କିଲ ହୋଇପଡ଼ିଛି କୋଟେସୁ ପକ୍ଷେ । ତେଣୁ ସରକାରୀ ସହୟତାକୁ ଅପେକ୍ଷା କରିଛନ୍ତି । ଅନ୍ୟପଟେ କେନ୍ଦରା ବାଦ୍ୟକୁ ରାଜ୍ୟ ସରକାର ସ୍ବତନ୍ତ୍ର କଳାଭୂକ୍ତ କରିଥିଲେ ମଧ୍ୟ ଜି. କୋଟେସୁ ଏଯାଏଁ କଳାକାର ଭତ୍ତା ମିଳିନଥିବା ଅଭିଯୋଗ ହୋଇଛି ।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, କୋଟେସୁ କଳାକାର ଭତ୍ତା ବାବଦରେ ଅବଗତ ନଥିବାରୁ ତାଙ୍କୁ ଏଯାଏଁ ଭତ୍ତା ମିଳିନାହିଁ । ଏନେଇ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ପଚାରିବାରୁ, ଜି. କୋଟେସୁ ଭତ୍ତା ପାଇଁ ଆବେଦନ କରିନାହାନ୍ତି  ଆବେଦନ କଲେ ତାଙ୍କୁ ତୁରନ୍ତ ଯୋଜନାରେ ସାମିଲ କରାଯିବ ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.