ଓଡିଆ ଚଳଚିତ୍ର ‘ହେଲୋ ଆର୍ସୀ’ କୁ ୩ଟି ପୁରସ୍କାର
3/05/2018 at 11:35 AM

୬୫ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଓଡିଆ ଚଳଚିତ୍ର ନୂଆ ଇତିହାସ ସୃଷ୍ଟି କରିଛି। ଏଥର ଚଳଚିତ୍ର ପୁରସ୍କାର ରେ ଗୋଟିଏ କି ଦୁଇଟି ନୁହେଁ, ପ୍ରଥମ ଥର ପାଇଁ ତିନି ତିନୋଟି ବିଭାଗରେ ପୁରସ୍କାର ହାସଲ କରି ରେକର୍ଡ କରିଛି ଫିଲ୍ମ hello arsi। ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ସହ ଶ୍ରେଷ୍ଠ ଡାଏଲଗ୍ ଏବଂ ସ୍ପେଶାଲ ମେନ୍ଶନ କାଟେଗୋରିରେ ‘ହେଲୋ ଆର୍ସୀ’ ୩ଟି ଜାତୀୟ ପୁରସ୍କାର ହାସଲ କରିବାରେ ସଫଳ ହୋଇଛି।
ଆଜି ବିଜ୍ଞାନ ଭବନରେ ରାଷ୍ଟ୍ରପତି ଏହି ପୁରସ୍କାର ପ୍ରଦାନ କରିବେ।
ଚଳିତ ବର୍ଷର ଶ୍ରେଷ୍ଠ ଓଡ଼ିଆ ଫିଚର ଫିଲ୍ମ ଭାବେ ଜାତୀୟ ପୁରସ୍କାର ପାଇବାକୁ ମନୋନୀତ ହୋଇଥିବା ‘ହେଲୋ ଆର୍ସୀ’ର ନିର୍ଦ୍ଦେଶନା ଓ ଡାଇଲଗ ସ୍ବର୍ଗତ ସମ୍ବିତ୍ ମହାନ୍ତି ଦେଇଥିବା ବେଳେ ଫିଲ୍ମର ପ୍ରଯୋଜନା କରିଛନ୍ତି ଅଜୟ ରାଉତରାୟ। ଏକ ପ୍ରତୀକାତ୍ମକ କାହାଣୀ ଉପରେ ଆଧାରିତ ଏହି ଚଳଚ୍ଚିତ୍ର ମାତ୍ର ତିନି ଜଣ ଚରିତ୍ରକୁ ନେଇ ଫିଲ୍ମ ଗତି କରିଛି। ଫିଲ୍ମର ମୁଖ୍ୟ ଚରିତ୍ରରେ ରହିଛନ୍ତି ଅଭିନେତା ପାର୍ଥସାରଥି ରାୟ ଓ ଅଭିନେତ୍ରୀ ପ୍ରକୃତି ମିଶ୍ର। ଫିଲ୍ମଟି ରାସ୍ତାରୁ ଆରମ୍ଭ ହୋଇ ରାସ୍ତାରେ ଶେଷ ହୋଇଛି। ପ୍ରାୟ ଏକବର୍ଷ ପୂର୍ବରୁ ରାଉରକେଲାରେ ଶୁଟିଂ ହୋଇଥିବା ଏହି ଫିଲ୍ମ ପାଇଁ ଉଭୟ ପ୍ରଯୋଜକ ଏବଂ ନିର୍ଦ୍ଦେଶକ ୧ ଲକ୍ଷ ଟଙ୍କାର ଅର୍ଥରାଶି ସହ ରଜତ କମଲ ପୁରସ୍କାର ପାଇବାକୁ ମନୋନୀତ ହୋଇଛି। କେବଳ ସେତିକି ନୁହେଁ, ଉତ୍କୃଷ୍ଟ ସଂଳାପ ପାଇଁ ଏହି ଫିଲ୍ମ ଶ୍ରେଷ୍ଠ ଡାଏଲଗ୍ ପୁରସ୍କାର ପାଇବାକୁ ମଧ୍ୟ ମନୋନୀତ ହୋଇଛି। ଦୁର୍ଭାଗ୍ୟବଶତଃ ଫିଲ୍ମର ନିର୍ଦ୍ଦେଶକ ତଥା ସଂଳାପ ଲେଖକ ସମ୍ବିତ୍ ମହାନ୍ତିଙ୍କର ଇତିମଧ୍ୟରେ ପରଲୋକ ଘଟିଥିବା ବେଳେ ତାଙ୍କୁ ମରଣୋତ୍ତର ଭାବେ ଏହି ସମ୍ମାନ ମିଳିବ। ସେହିଭଳି ସ୍ପେଶାଲ ମେନ୍ଶନରେ ମଧ୍ୟ ‘ହେଲୋ ଆର୍ସୀ’ ପୁରସ୍କାର ପାଇବେ ପ୍ରକୃତି ମିଶ୍ର। ଅଭିନେତା ପଙ୍କଜ ତ୍ରିପାଠୀ(ନିଉଟନ୍), ପାର୍ବତୀ(ଟେକ୍ ଅଫ୍), ୟଶରାଜ କର୍ହାଡେ(ମୋର୍କ୍ୟ)ଙ୍କ ସହ ପ୍ରକୃତି ମିଳିତ ଭାବେ ଏହି ସମ୍ମାନଜନକ ପୁରସ୍କାର ପାଇବେ। ଜୁରୀ ପ୍ୟାନେଲରେ ଥିବା ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ଶେଖର କପୁର ‘ହେଲୋ ଆର୍ସୀ’ର ଭୁରି ଭୁରି ପ୍ରଶଂସା କରିଛନ୍ତି।