ଜାଡ଼ରେ ଥରୁଛି କନ୍ଧମାଳ: ଫୁଲବାଣୀରେ ୬.୬ ଡିଗ୍ରୀ, ଦାରିଙ୍ଗବାଡିରେ ୮.୫ ଡିଗ୍ରୀ ସେଲସିୟସ
9/12/2022 at 5:46 PM

ଫୁଲବାଣୀ, ୦୯/୧୨: କିଛିଦିନର ବ୍ୟବଧାନ ପରେ କନ୍ଧମାଳକୁ ପୁଣି ଶୀତ ଫେରିଛି l ସମଗ୍ର କନ୍ଧମାଳ ଏବେ ଜାଡ଼ରେ ଥରୁଛି । ପାରଦ ଦିନକୁ ଦିନ ଖସିବାରେ ଲାଗିଛି । ଫଳରେ ଥଣ୍ଡାର ପ୍ରକୋପ ମଧ୍ୟ ବଢିବାରେ ଲାଗିଛି । ତା ସାଙ୍ଗକୁ ସକାଳ ୯ଟା ଯାଏଁ ଘନ କୁହୁଡ଼ି ମଧ୍ୟ ଲାଗି ରହୁଛି। ଶୁକ୍ରବାର ଫୁଲବାଣୀରେ ୬.୬ ଡିଗ୍ରୀ ଥୀବାବେଳେ ଓ ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡିରେ ତାପମାତ୍ରା ୮.୫ ଡିଗ୍ରୀ.କୁ ଖସିଆସିଛି l ଗତକାଲି ଫୁଲବାଣିରେ ୯ ଡିଗ୍ରୀ ଓ ଦାରିଙ୍ଗବାଡ଼ିରେ ୧୦ ଡିଗ୍ରୀ ସେଲସିୟସ ଥିଲା l
ଏବେ ଘନ କୁହୁଡିର ଚାଦର ତଳେ ସାରା କନ୍ଧମାଳ । କୁହୁଡି ଯୋଗୁ ମୁହଁକୁ ମୁହଁ ଦେଖାଯାଉନି । ଫଳରେ ସକାଳ ୯ଟା ପୂର୍ବରୁ ଘରୁ ପଦାକୁ ବାହାରି ପାରୁ ନାହାନ୍ତି ଲୋକେ । ସେପଟେ ସଞ୍ଜ ନଇଁବା କ୍ଷଣି ଏବେ ପୁଣି ଦୁଇ ଦିନ ହେଲା ଥଣ୍ଡା ମାଡି ଆସୁଛି। ଫଳରେ ରାସ୍ତାଘାଟ ମଧ୍ୟ ଜନଶୁନ୍ୟ ହୋଇ ପଡୁଛି ତା ସାଙ୍ଗକୁ ଦୋକାନ ବଜାର ବି ଖାଁ ଖାଁ ଲାଗୁଛି । କି ବୁଢା କି ପିଲା ସଭିଏ ଏବେ ନିଆଁ ଜାଳି, ନିଆଁ ପାଖରେ ଦିନରାତି ବସି ରହୁଛନ୍ତି । ଦିନ ମଜୁରିଆ ମାନେ ଥଣ୍ଡା ଯୋଗୁଁ କାମକୁ ଯାଇପାରୁନାହାନ୍ତି l ଆଗକୁ ଆହୁରି ତାପମାତ୍ରା ଖସିବାର ସଂଭାବନା ରହିଛି l ଥଣ୍ଡା ବଢିବା ଫଳରେ ଏବେ ଗରମ ପୋଷାକର ମଧ୍ୟ ଚାହିଦା ବଢିବାରେ ଲାଗିଛି । ଫଳରେ ଗାଁରୁ ସହର ଯାଏ ଗରମ ପୋଷାକର ପସରା ମେଲିଥିବା ଦେଖାଯାଉଛି। ଲୋକେ ମଧ୍ୟ ଗରମ ପୋଷାକ କିଣାକିଣି କରୁଥିବା ଦେଖିବାକୁ ମିଳୁଛି ।
ସେହିପରି ଜ଼ିଲ୍ଲାର ବାଲିଗୁଡାରେ ବି ଥଣ୍ଡାର ପ୍ରକୋପ ବଢ଼ିବାରେ ଲାଗିଛି l ଥଣ୍ଡା ସାଙ୍ଗକୁ ଘନ କୁହୁଡି ଅସ୍ତବ୍ୟସ୍ତ କରିପକାଇଛି ଜନ ଜୀବନ l ସେହିପରି ଜିଲ୍ଲାର ବେଲଘର, ତୁମୁଡିବନ୍ଧ, ରାଇକିଆ, ମଣ୍ଡାସୁର, ଜିଉଦୟଗିରି, ରାଇକିଆ, ଆଦି ଅଞ୍ଚଳରେ ମଧ୍ୟ ତାପମାତ୍ରା ୫ ଡିଗ୍ରୀ ତଳକୁ ଖସି ଆସିଥିବାରୁ ଏସବୁ ସ୍ଥାନରେ ଏବେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ତେବେ ଏବେ ପର୍ଯ୍ୟଟନ ଋତୁ ହୋଇଥିବାରୁ କନ୍ଧମାଳ ଜିଲାର ପ୍ରାକୃତିକ ମନୋରମ ପରିବେଶକୁ ମନଭରି ଉପଭୋଗ କରିବା ଲାଗି ଜିଲ୍ଲାରେ ଥିବା ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଗୁଡିକରେ ବଣଭୋଜିର ଆସର ସାଙ୍ଗଙ୍କୁ ରାଜ୍ୟ ଓ ରାଜ୍ୟ ବାହାରର ପର୍ଯ୍ୟଟକମାନଙ୍କ ଭିଡ଼ ଜମୁଛି l