ହିଣ୍ଡନବର୍ଗ ରିପୋର୍ଟ ହ୍ରାସ କଲା ଆଦାନୀ ଗ୍ରୁପର ସେୟାର ମୂଲ୍ୟ, ସ୍ପଷ୍ଟିକରଣ ଦେଲେ ସମୂହ
25/01/2023 at 6:22 PM

ମୁମ୍ବାଇ ୨୫।୧: ବଜାରରେ ବୁଧବାର ଆଦାନୀ ଗ୍ରୁପ ସେୟାର ମୂଲ୍ୟରେ ହ୍ରାସ ଦେଖାଯାଇଛି। ଆମେରିକାର ହିଣ୍ଡନବର୍ଗ ରିସର୍ଚ୍ଚ ଏଲଏଲସିଙ୍କ ଏକ ରିପୋର୍ଟ ପରେ ଏପରି ପରିସ୍ଥିତି ଉପୁଜିଥିବା ଜଣାପଡିଛି। ରିପୋର୍ଟରେ ଆଦାନୀ ସମୂହଙ୍କ ସେୟାରର ବିକ୍ରି ବଢିଯାଇଥିବା ଉଲ୍ଲେଖ ଥିଲା। ରସର୍ଚ୍ଚ ଫାର୍ମ ତାଙ୍କ ରିପୋର୍ଟରେ ଆଦାନୀ ସମୂହଙ୍କ ଷ୍ଟକ୍ସ ନିଜର ଉଚିତ ଭାଲୁଏସନର ୮୫ ପ୍ରତିଶତ ମହଙ୍ଗା ଦରରେ ବିକ୍ରି ହେଉଥିବା ମଧ୍ୟ ଉଲ୍ଲେଖ କରିଥିଲେ।
ସେହିପରି ରିପୋର୍ଟରେ ସମୂହ ମାର୍କେଟ ମାନିପୁଲେସନ ଓ ଆକାଉଣ୍ଟିଂ ଫ୍ରଡର ମଧ୍ୟ ଅଭିଯୋଗ କରିଥିଲା। ହିଣ୍ଡନବର୍ଗ ରିସର୍ଚ୍ଚ ଏଲଏଲସି ଏପରି ଏକ ସମୟରେ ତାଙ୍କର ରିପୋର୍ଟ ପ୍ରକାଶନ କରିଛନ୍ତି ଯେତେବେଳେ ଜାନୁାୟାରୀ ୨୭ ତାରିଖ ଦିନ ଆଦାନୀ ଏଣ୍ଟରପ୍ରାଇଜେସ୍ ୨୦ ହଜାର କୋଟି ଟଙ୍କାର ଫଲୋଅନ ପବ୍ଲିକ୍ ଅଫର (ଏଫପିଓ) ଓପନ କରିବାକୁ ଯାଉଛନ୍ତି। ହିଣ୍ଡନବର୍ଗଙ୍କ ଏହି ରିପୋର୍ଟ ଯୋଗୁ ଆଦାନୀ ସମୂହଙ୍କ ସେୟାର ମୂଲ୍ୟରେ ହ୍ରାସ ଦେଖାଯାଇଛି।

ଏଥିରେ ଆଦାନୀ ପୋର୍ଟସ୍ ସେୟାର ମୂଲ୍ୟରେ ୬.୧୦ ପ୍ରତିଶତ ହ୍ରାସ ଦେଖାଯାଇଥିବା ବେଳେ ଆଦାନୀ ଟ୍ରାନ୍ସମିସନରେ ୫.୬୯, ଆଦାନୀ ଟୋଟାଲ ଗ୍ୟାସ୍ରେ ୪.୭୨, ଆଦାନୀ ପାୱାରରେ ୪.୭୫, ଆଦାନୀ ୱିଲମର ସେୟାର ମୂଲ୍ୟରେ ୪.୯୭, ଆଦାନୀ ଗ୍ରିନ ଏନର୍ଜୀ ୩.୬୭ ଓ ଆଦାନୀ ଏଣ୍ଟରପ୍ରାଜର୍ସ ସେୟାର ମୂଲ୍ୟରେ ୧.୫୭ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସରେ କାରବାର କରୁଥିବା ଦେଖାଯାଇଛି। ଆଦାନୀ ସମୂହ ଦ୍ୱାରା ନିକଟରେ କିଣାଯାଇଥିବା ସିମେଣ୍ଟ କମ୍ପାନୀ ଅମ୍ବୁଜା ସିମେଣ୍ଟ ସେୟାର ମୂଲ୍ୟରେ ୮.୧୪ ପ୍ରତିଶତ ଓ ଏସିସି ସେୟାର ମୂଲ୍ୟରେ ୭.୧୧ ପ୍ରତିଶତ ହ୍ରାସ ଦେଖାଯାଇଛି।
Media statement on a report published by Hindenburg Research. pic.twitter.com/ZdIcZhpAQT
— Adani Group (@AdaniOnline) January 25, 2023
ରିପୋର୍ଟକୁ ନେଇ ଆଦାନୀ ମସୂହଙ୍କ ସିଏଫଓ ୟୁଗେସିନ୍ଦର ସିଂହ ତାଙ୍କର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ ହିଣ୍ଡେନବର୍ଗ ରସର୍ଚ୍ଚଙ୍କ ରିପୋର୍ଟ ଆଶ୍ଚର୍ଯ୍ୟଜନକ। କାରଣ ହିଣ୍ଡନବର୍ଗ ଆମ ସହ ସମ୍ପର୍କ ନ କରି ତଥା ସଠିକ ତଥ୍ୟ ଭେରିଫାଏ ନ କରି ରିପୋର୍ଟ ପ୍ରକାଶ କରିଛନ୍ତି। ଆଦାନୀ ସମୂହ କହିଛନ୍ତି ଯେ ଏହି ରିପୋର୍ଟ ତ୍ରୁଟିପୂର୍ଣ୍ଣ ସୂଚନା ଓ ପୂରୁଣା, ନିରାଧାର ଓ ବଦନାମ କରୁଥିବା ଅଭିଯୋଗର ଦୁର୍ଭାବନା ପୂର୍ଣ୍ଣ ମିଶ୍ରଣ। ଯାହାକୁ ଭାରତର ଉଚ୍ଚତମ ନ୍ୟାୟାଳୟ ଦ୍ୱାରା ପରଖାଯାଇଥିବା ବେଳେ କୋର୍ଟ ଏହାକୁ ଅଗ୍ରାହ୍ୟ ମଧ୍ୟ କରିଛନ୍ତି।
ଆଦାନୀ ସମୂହ ରିପୋର୍ଟର ଟାଇମିଂକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ସିଏଫଓ କହିଛନ୍ତି ଯେ ରିପୋର୍ଟ ପ୍ରକାଶନର ସମୟ ସ୍ପଷ୍ଟ ରୂପେ ଆଦାନୀ ସମୂହର ପ୍ରତିଷ୍ଠାକୁ ଦୁର୍ବଳ କରିବା ସହ ଆଦାନୀ ଏଣ୍ଟରପ୍ରାଇଜେସ୍ର ଆଗାମୀ ଫଲୋଅନ ପବ୍ଲିକ୍ ଅଫରିଂ କୁ କ୍ଷତିରେ ପକାଇବା ଉଦ୍ଦେଶ୍ୟରେ କରାଯାଇଛି, ଯାହା ଭାରତର ଏପର୍ଯ୍ୟନ୍ତ ସବୁଠୁ ବଡ ଏଫପିଓ। ତେବେ ନିବେଶକମାନେ ସର୍ବଦା ଆଦାନୀ ସମୂହ ଉପରେ ଆର୍ଥିକ ବିଶେଷଜ୍ଞ ଓ ପ୍ରମୁଖ ଜାତୀୟ ଏବଂ ଅନ୍ତର୍ଜାତୀୟ ଏଜେନ୍ସୀଙ୍କ ଦ୍ୱାରା ପ୍ରସ୍ତୁତ ବିସ୍ତୃତ ବିଶ୍ଲେଷଣ ଓ ରିପୋର୍ଟ ଆଧାରରେ ଭରସା କରି ଆସୁଛନ୍ତି ବୋଲି କୁହାଯାଇଛି।