ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ଓ ବଜ୍ରପାତରେ ୧୭ ଗୋରୁଙ୍କ ମୃତ୍ୟୁ, ୩ ଜଗୁଆଳ ଆହତ

Published By : Prameya-News7 Bureau | September 12, 2021 IST

ମାଲକାନଗିରି ୧୨।୦୯: ରାଜ୍ୟରେ ଜାରି ରହିଛି ଲଘୁଚାପଜନିତ ବର୍ଷା। ସମଗ୍ର ମାଲକାନଗିରି ଜିଲ୍ଲାରେ ଘଡଘଡି ବିଜୁଳି ମାରି ପ୍ରବଳ ବର୍ଷା ସହ ବଜ୍ରପାତ ଘଟି ୧୭ ଗୋରୁଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗାଈ ଜଗୁଆଳି ସାମାନ୍ୟ ଆହତ  ହୋଇ ଅଳ୍ପକେରୁ ରକ୍ଷା ପାଇ ଯାଇଛନ୍ତି। ମାଲକାନଗିରି ଜିଲ୍ଲା କାଲିମେଳ ବ୍ଲକ୍  ଅନ୍ତର୍ଗତ ତେଲକୋଇ ପଞ୍ଚାୟତ ଆଦିବାସୀ ଅଧ୍ୟୁଷିତ ସୁଧାକୋଣ୍ଡା ଗ୍ରାମର କିଛି ଲୋକଙ୍କ ଗାଇଗୋରୁ ନିକଟସ୍ଥ ପଡିଆକୁ ଘାସ ଚରିବା ପାଇଁ ଯାଇଥିଲେ। ହଠାତ ଘଡ ଘଡି ସହ ବର୍ଷା ଏବଂ ବିଜୁଳି ମାରିବାରୁ ଗୋରୁ ଗୁଡିକ ଗୋଟିଏ ସ୍ଥାନରେ ରୁଣ୍ଡ ହୋଇ ଯାଇଥିଲେ। ହେଲେ ବଜ୍ରପାତରେ ୧୭ ଗୋରୁଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ୩ ଗୋରୁ ଜଗୁଆଳି ବଜ୍ରପାତରେ ଅଚେତ ହୋଇ ସାମାନ୍ୟ ଆହତ ହୋଇ ପଡିଥିଲେ।

କିଛି ସମୟ ପରେ ସେମାନଙ୍କ ଚେତା ଫେରି ଆସିବାରୁ ନିକଟରେ ୧୭ଟି ଗୋରୁ ମରି ପଡିଥିବା ଦେଖି ଗ୍ରାମବାସୀଙ୍କୁ ଜଣାଇଥିଲେ। ସୁଧାକୋଣ୍ଡା ଗ୍ରାମର ଦେବା କବାସୀ, ମାଲା କବାସୀ,  ଗାଙ୍ଗି ମାଡକାମିଙ୍କ ଗୋରୁ ବଜ୍ରପାତରେ ମରିଥିବା  ଜଣା ପଡିଛି। ଏ ନେଇ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ ଘଟଣା ବିଷୟରେ ଜଣାଇବା ପରେ ସୋମବାର ସକାଳେ କାଲିମେଳା ଗୋଷ୍ଠୀ  ଚିକିତ୍ସାଳୟର ଅତିରିକ୍ତ ପ୍ରାଣୀ ଚିକିତ୍ସକ ଡ. ଯଶୋବନ୍ତ କୁମାର କୁମୁଟି, ଡ. ଅମିୟଲାଲ ପାତ୍ର ଘଟଣାସ୍ଥଳରେ ପହଞ୍ଚି ମୃତ ଗୋରୁ ମାନଙ୍କର ଶବ ବ୍ୟବଚ୍ଛେଦ କରିଛନ୍ତି। ଏକା ସଙ୍ଗେ ୧୭ଟି ଗୋରୁଙ୍କ ମୃତ୍ୟୁ ଘଟିଥିବାରୁ ସୁଧାକୋଣ୍ଡା ଗ୍ରାମବାସୀଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଛି। ମୃତ ଗୋରୁଙ୍କ ମାଲିକମାନେ ଅତ୍ୟନ୍ତ ଗରିବ  ଆଦିବାସୀ ସଂପ୍ରଦାୟର ହୋଇଥିବାରୁ ସେମାନଙ୍କୁ ସରକାରଙ୍କ ପକ୍ଷରୁ ସହାୟତା ଯୋଗାଇବା ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.