ଦୀଘା ନିକଟରେ ସ୍ଥଳଭାଗ ଅତିକ୍ରମ କଲା ଗଭୀର ଅବପାତ, ଶନିବାର ଓଡିଶାର ତିନି ଜିଲ୍ଲାରେ ପ୍ରବଳ ବର୍ଷା
19/08/2022 at 10:24 PM

ଭୁବନେଶ୍ଵର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇ ସ୍ଥଳଭାଗ ଅତିକ୍ରମ କରିଛି। ଏହା ପଶ୍ଚିମବଙ୍ଗର ଦୀଘା ନିକଟରେ ସ୍ଥଳଭାଗ ଅତିକ୍ରମ କରିଥିବା କହିଛନ୍ତି ସ୍ଵତନ୍ତ୍ର ରିଲିଫ କମିଶନର। ପ୍ରଭାବରେ ୮ ଘଣ୍ଟା ପର୍ଯ୍ୟନ୍ତ ବର୍ଷା ଜାରି ରହିବ। ଗଭୀର ଅବପାତ ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି। ବନ୍ୟା ସ୍ଥିତି ଏବଂ ତାର ମୁକାବିଲା ପ୍ରସ୍ତୁତି ନେଇ ସ୍ଵତନ୍ତ୍ର ରିଲିଫ କମିଶନର ପ୍ରେସମିଟ୍ରେ ଏହାର ସୂଚନା ଦେଇଛନ୍ତି।
ଏସଆରସି କହିଛନ୍ତି, ଗଭୀର ଅବପାତ ପ୍ରଭାବରେ ଉତ୍ତର ବାଲେଶ୍ଵରରେ ବର୍ଷା ଲାଗି ରହିଛି। ମୟୂରଭଞ୍ଜ ଏବଂ ଭଦ୍ରକରେ ମଧ୍ୟ ବର୍ଷା ଜାରି ରହିଛି। ଆସନ୍ତାକାଲି ବାଲେଶ୍ଵର, କେନ୍ଦୁଝର ଏବଂ ମୟୂରଭଞ୍ଜରେ ପ୍ରବଳ ବର୍ଷା ହେବ। ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି। ବାଲେଶ୍ଵର ସହରରୁ ୩ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ତିନି ଜିଲ୍ଲାକୁ ଏନଡିଆରଏଫ ଏବଂ ଓଡ୍ରାଫ ଟିମ୍ ପଠାଯାଇଛି। ମହାନଦୀରେ ଜଳସ୍ତର ବୃଦ୍ଧି ହେବାର ଆଶଙ୍କା ନାହିଁ ଏବଂ ମୁଣ୍ଡଳିରେ ଜଳସ୍ତର କମୁଥିବା କହିଛନ୍ତି ଏସଆରସି ପ୍ରଦୀପ ଜେନା।