ନୂଆଦିଲ୍ଲୀ ୨୩।୯: ରାଜଧାନୀ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ୨୩ ସେପ୍ଟେମ୍ବର ଶନିବାର ପାଗ ବଦଳିଛି। କଳା ବାଦଲ ଘୋଟେଇ ଆସିବା ସହ ରାଜଧାନୀର ବିଭିନ୍ନ ସ୍ଥାନରେ ପବନ ସହ ବର୍ଷା ହୋଇଛି। ତେବେ ଜାତୀୟ ରାଜଧାନୀର ପାଗ ପରିବର୍ତ୍ତନ ନେଇ ଆଗରୁ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ କରିଥିଲେ। ବର୍ଷା ସାଙ୍ଗକୁ ପବନ ବହିବା ଯୋଗୁ ଦିଲ୍ଲୀର କେତେକ ଅଞ୍ଚଳରେ ଗଛ ଉପୁଡି ପଡିଥିବାର ଖବର ଆସୁଛି। କେବଳ ଦିଲ୍ଲୀ ନୁହେଁ ନୋଏଡା, ଗାଜିୟାବାଦ ଓ ଫରିଦାବାଦରେ ପବନ ସହିତ ବର୍ଷା ହୋଇଥିବାର ଜଣାପଡିଛି।
ପବନ ସହ ବର୍ଷା ଯୋଗୁ ଗ୍ରେଟର ନୋୟଡାରେ ଆୟୋଜିତ ହେଉଥିବା ମୋଟୋ ଜିପି ରେସ୍କୁ ବାତିଲ କରିଦିଆଯାଇଛି। ବର୍ଷା ଓ ପବନ ଯୋଗୁ ବୁଦ୍ଧ ଇଣ୍ଟରନ୍ୟାସନାଲ ସର୍କିଟ୍ରେ ଲଗାଯାଇଥିବା ତମ୍ବୁ ଓ ହୋର୍ଡିଂସବୁ ଉପୁଡିପଡିଛି। ଏଣୁ ମୋଟୋ ଜିପି ଅଭ୍ୟାସ ପ୍ରଦର୍ଶନ ଦେଖିବାକୁ ଆସୁଥିବା ଲୋକେ ନିରାଶ ହୋଇଛନ୍ତି। ଏଠାରେ ୨୪ ସେପ୍ଟେମ୍ବର ରବିବାର ମୋଟୋ ଜିପି ରେସ୍ର ଆୟୋଜନ କରାଯାଇଥିଲା। ତେବେ ପାଗ ସୁଧୁରିବା ପରେ ଆୟୋଜକ ଏ ନେଇ କୌଣସି ନିଷ୍ପତ୍ତି ନେଇପାରନ୍ତି ବୋଲି ଅନୁମାନ କରାଯାଉଛି। ଆଇଏମଡିଙ୍କ ଅନୁସାରେ ଶନିବାର ଦିନ ତମାମ ରାଜଧାନୀରେ ଏପରି ମେଘୁଆ ପାଗ ସାଙ୍ଗକୁ ବର୍ଷା ପୂର୍ବାନୁମାନ କରିଛନ୍ତି।
{"id":848244,"width":837,"height":957,"sizeSlug":"full","linkDestination":"none"}
ତେବେ ବର୍ଷା ଓ ପବନ ଯୋଗୁ ରାଜଧାନୀ ଦିଲ୍ଲୀବାସୀଙ୍କୁ ଗତ କିଛି ଦିନ ହେଲା ଲାଗି ରହିଥିବା ଗୁଳଗୁଳି ଓ ଗରମରୁ ଆଶ୍ୱସ୍ତି ମିଳିଛି। ଉତ୍ତର-ପଶ୍ଚିମ ଭାରତରୁ ମୌସୁମୀ ଫେରିବାର ସମୟ ହୋଇଗଲାଣି। ତେବେ ମୌସୁମୀ ଫେରିବା ପୂର୍ବରୁ ରାଜଧାନୀବାସୀଙ୍କ ଉପରେ ପାଗ ପୁଣି ଥରେ କୃପା କରିଛି। ଫଳରେ ଜାତୀୟ ରାଜଧାନୀ ଅଞ୍ଚଳ(ଏନସିଆର)ରେ ଭଲରକମ ବର୍ଷା ହୋଇଛି। ତେବେ ଦିଲ୍ଲୀରେ ଏପରି ପାଗ ରବିବାର ସେପ୍ଟେମ୍ବର ୨୪ରେ ମଧ୍ୟ ଜାରି ରହିବ। ଏଥିରେ ସେପ୍ଟେମ୍ବର ୨୫ ସୁଦ୍ଧା ଉତ୍ତର-ପଶ୍ଚିମ ଭାରତରୁ ମୌସୁମୀ ପ୍ରତ୍ୟାହାର ଆରମ୍ଭ ହୋଇପାରେ ବୋଲି ଆଇଏମଡି ପୂର୍ବାନୁମାନ କରିଛନ୍ତି।
ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ୧ ଜୁନ ସୁଧା ଭାରତକୁ ଆଗମନ କରିଥାଏ। ଏହା ପ୍ରଥମେ କେରଳ ପହଞ୍ଚିବା ପରେ ଜୁଲାଇ ୮ ସୁଧା ସାରା ଦେଶକୁ ପ୍ରସରିଯାଇଥାଏ। ସେପ୍ଟେମ୍ବର ୧୭ ତାରିଖ ବେଳକୁ ଦେଶରୁ ମୌସୁମୀ ଫେରସ୍ତ ଆରମ୍ଭ କରିଥାଏ ଓ ଅକ୍ଟୋବର ୧୫ ବେଳକୁ ଦେଶରୁ ସମ୍ପୂର୍ଣ୍ଣ ହଟି ସାରିଥାଏ। ହେଲେ ଏଥର ମୌସୁମୀ ଫେରିବାରେ ବିଳମ୍ବ ହୋଇଛି। ୨୫ ସେପ୍ଟେମ୍ବର ବେଳକୁ ପଶ୍ଚିମ ରାଜସ୍ଥାନର କିଛି ଅଞ୍ଚଳରୁ ମୌସୁମୀ ଫେରିବା ଲାଗି ପରିସ୍ଥିତି ଏବେ ଅନୁକୂଳ ରହିଛି।
{"id":848245,"width":840,"height":472,"sizeSlug":"full","linkDestination":"none"}
ଉତ୍ତର-ପଶ୍ଚିମ ଭାରତରୁ ମୌସୁମୀର ପ୍ରତ୍ୟାବର୍ତ୍ତନ ଭାରତୀୟ ଉପମହାଦ୍ୱୀପରୁ ଏହା ଫେରିଯିବାର ସୂଚନା। ମୌସୁମୀ ଫେରିବାରେ ବିଳମ୍ବ ଦୀର୍ଘ ବର୍ଷା ଋତୁର ପ୍ରତୀକ, ଯାହା କୃଷି ଉତ୍ପାଦନ ଉପରେ ସୁଦୂର ପ୍ରଭାବ ପକାଇଥାଏ। ଖାସ କରି ଉତ୍ତର-ପଶ୍ଚିମ ଭାରତରେ ଏହା ରବି ଫସଲ ନିମନ୍ତେ ବେଶ୍ ସହାୟକ ହୋଇଥାଏ। ଚଳିତ ମୌସୁମୀ ଋତୁରେ ଭାରତରେ ଏପର୍ଯ୍ୟନ୍ତ ୭୮୦.୩ ମିଲିମିଟର ବର୍ଷା ରେକର୍ଡ ହୋଇଛି। ତେବେ ଭାରତରେ ସ୍ୱଭାବିକ ବର୍ଷା ୮୩୨.୪ ମିଲିମିଟର।