୨୪ ଓ ୨୫ରେ ଘଡଘଡି ସହ ପ୍ରବଳ ବର୍ଷା ସମ୍ଭାବନା, ୟେଲୋ ଓ୍ବାର୍ଣ୍ଣିଂ ଜାରିକଲା ପାଣିପାଗ ବିଭାଗ

Published By : Prameya-News7 Bureau | February 22, 2020 IST

ଭୁବନେଶ୍ବର ୨୨।୨: ରାଜ୍ୟର ଅନେକ ସ୍ଥାନରେ ଆସନ୍ତା ୨୪ ଓ ୨୫ ତାରିଖରେ ଘଡଘଡି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୨୩ ତାରିଖ ସକାଳୁ ଉତ୍ତର ପୂର୍ବ ଓଡିଶାରେ ଝିପିଝିପି ବର୍ଷା ଆରମ୍ଭ ହେବ । ୨୪ରୁ ବର୍ଷାର ପରିମାଣ ବଢିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

୨୩ ତାରିଖ ସକାଳୁ ଝାରସୁଗୁଡା, ସମ୍ବଲପୁର, ବରଗଡ, ଦେଓଗଡ, କେଉଁଝର ଓ ସୁନ୍ଦରଗଡ ଜିଲ୍ଲାରେ ଅଳ୍ପ ବର୍ଷା ହେବ । ୨୪ ତାରିଖ ସକାଳୁ ଉତ୍ତର ପୂର୍ବ ଓଡିଶା ସମେତ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ହେବ । ଝାରସୁଗୁଡା, ସମ୍ବଲପୁର, ଦେଓଗଡ, ସୁନ୍ଦରଗଡ, କେଉଁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ନୟାଗଡ ପାଇଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବା ବେଳେ ଭୁବନେଶ୍ବରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

୨୫ ତାରିଖରେ ଉପକୂଳ ଓଡିଶା ସମେତ ଦକ୍ଷିଣ ଓ ଉତ୍ତର ଆଭ୍ୟନ୍ତରୀଣ ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବ । କଟକ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଓ ଭଦ୍ରକରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବ । ମୟୂରଭଞ୍ଜ, କେଉଁଝର, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ ଓ କନ୍ଧମାଳରେ ମଧ୍ୟ ବର୍ଷିବ ।

୨୬ ତାରିଖରେ ମଧ୍ୟ ଉପକୂଳ ଓଡ଼ିଶା ସମେତ ଆଉ କିଛି ସ୍ଥାନରେ ବର୍ଷା ହେବ ବୋଲି ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି । ଓଡ଼ିଶା ବାୟୁମଣ୍ଡଳ ଉପରେ ଏକ ଟ୍ରଫ୍‌ଲାଇନ୍‌ ସୃଷ୍ଟି ହେବ । ଏଥିସହ ବଙ୍ଗୋପସାଗରର ଦକ୍ଷିଣ-ପୂର୍ବ ଦିଗରୁ ପବନ ବହିବ । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ୨୩ ତାରିଖରୁ ବର୍ଷା ଆରମ୍ଭ ହୋଇଯିବ ବୋଲି ଡ. ସାହୁ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.